ରାୟଗଡ଼ା: ବିନା ୱାଇ ଫର୍ମରେ ଖିଲିମିସିଗୁଡା ଘାଟରୁ ବାଲି ଚାଲାଣ ଘଟଣାର ତଦନ୍ତ ଆରମ୍ଭ କରିଛି ରାଜସ୍ବ ବିଭାଗ। ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନଙ୍କ ନିର୍ଦେଶରେ ଜେମାଦେଇପେଣ୍ଠ ରାଜସ୍ବ ନୀରିକ୍ଷକ ତୁଷାର ରଞ୍ଜନ ବେହେରା ତଦନ୍ତ କରି ରିପୋର୍ଟ ଦେଇଛନ୍ତି। ମାତ୍ର ୨୭ ସିଏମ୍ ବାଲି ବିନା ୱାଇ ଫର୍ମରେ ଚାଲାଣ ହୋଇଥିବା ରାଜସ୍ବ ନୀରିକ୍ଷକ ଦେଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି। ଯାହାକୁ ନେଇ ସନ୍ଦେହ ବଢ଼ିଛି।
ଖିଲିମିସିଗୁଡା ବାଲି ଘାଟରେ ଚଢ଼ାଉ କରି ଅନିୟମିତତା ଧରିବା ପରେ ଲିଜଧାରୀଙ୍କୁ କୈଫିୟତ ତଲବ କରିଥିଲେ ତହସିଲଦାର ତାପସ କୁମାର ରାଉତ। କାହିଁକି ବିନା ୱାଇ ଫର୍ମରେ ବାଲି ଚାଲାଣ ହେଉଥିଲା ସେ ନେଇ ସପ୍ତାହକ ମଧ୍ୟରେ ତହସିଲଦାରଙ୍କ କୋର୍ଟରେ ପକ୍ଷ ରଖିବାକୁ ଲିଜଧାରୀଙ୍କୁ କୁହାଯାଇଥିଲା। ନଭେମ୍ବର ୧୧ ତାରିଖରେ କୋର୍ଟରେ ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ ହୋଇଥିବା ବେଳେ ପକ୍ଷ ରଖିବାକୁ ଲିଜଧାରୀ ଆଉ ଏକ ସପ୍ତାହ ଅଧିକ ସମୟ ମାଗିଥିଲେ। ଆଜି ରାୟଗଡ଼ା ତହସିଲଦାରଙ୍କ କୋର୍ଟରେ ହୋଇଥିବା ଶୁଣାଣିରେ ତହସିଲଦାର ଶ୍ରୀ ରାଉତ, ଅତିରିକ୍ତ ତହସିଲଦାର ସୁନୀଲ କୁମାର ଖରା, ରାଜସ୍ବ ନୀରିକ୍ଷକ ଶ୍ରୀ ବେହେରା ଉପସ୍ଥିତ ଥିଲେ। ଲିଜଧାରୀ ସିନା ଆପଡୁ ପୁଆଲା କୋର୍ଟରେ ନିଜ ପକ୍ଷ ରଖିବା ସହ ବାଲି ଖନନରେ କୌଣସି ଅନିୟମିତତା ହୋଇନଥିବା କହିଛନ୍ତି। ଅତିରିକ୍ତ ଜିଲ୍ଲାପାଳ ଚଢ଼ାଉ ସମୟରେ କେବଳ ୱାଇ ଫର୍ମ ବୁକ୍ ନଥିଲା। ବାକି ସବୁ ଠିକ୍ ଥିଲା। ରାତିରେ ବାଲି ଖନନ ହେଉନଥିବା ଏବଂ ଖନନ ପାଇଁ କୌଣସି ହିଟାଚି ବ୍ୟବହାର ହେଉନଥିବା ଲିଜଧାରୀ ତହସିଲଦାରଙ୍କ ସମ୍ମୁଖରେ କହିଥିଲେ।
ଲିଜଧାରୀଙ୍କ ପକ୍ଷକୁ ନେଇ ତହସିଲଦାର ଶ୍ରୀ ରାଉତ ବିରକ୍ତି ପ୍ରକାଶ କରିବା ସହ ପୁର୍ନବାର ଅଭିଯୋଗ ଆସିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦେଇଥିଲେ। ଅନ୍ୟପକ୍ଷରେ ଅଧିକା ୨୭ ସିଏମ୍ ବାଲି ଖନନ ପାଇଁ ଲିଜଧାରୀଙ୍କଠାରୁ କେତେ ଟଙ୍କା ଜରିମାନା ଆଦାୟ କରାଯିବ ସେ ନେଇ ବିଚାର ବିମର୍ଶ ଚାଲିଛି ବୋଲି ତହସିଲଦାର ଶ୍ରୀ ରାଉତ ସୂଚନା ଦେଇଛନ୍ତି। ରାଜସ୍ବ ନୀରିକ୍ଷକଙ୍କ ତଦନ୍ତ ରିପୋର୍ଟକୁ ନେଇ ସନ୍ଦେହ ବଢ଼ୁଥିବାରୁ ବେଆଇନ ବାଲି ଖନନର ଷ୍ଟେସନ ସର୍ଭେ ପାଇଁ ଦାବି ହୋଇଛି। ଲିଜଧାରୀ ରାତି ଅଧିଆ ହିଟାଚିରେ ବାଲି ଖନନ କରି ଟ୍ରକ୍, ଟିପରରେ ଆନ୍ଧ୍ରକୁ ବାଲି ଚାଲାଣ କରୁଥିବାରୁ ଭିଡ଼ିଓ କିଛି ଲୋକ ଉତ୍ତୋଳନ କରି ରାଜସ୍ବ ବିଭାଗ ଅଧିକାରୀଙ୍କୁ ପ୍ରଦାନ କରିଛନ୍ତି। ଏହା ପରେ ବି ଲିଜଧାରୀ ରଖିଥିବା ପକ୍ଷକୁ ତଦନ୍ତ ଅଧିକାରୀ ଭରସା କରୁଥିବାରୁ ତଦନ୍ତକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଗୋଟିଏ ଟ୍ରାକ୍ଟରରେ ୩ ସିଏମ୍, ଟ୍ରକରେ ୬ ସିଏମ୍, ଟିପରରେ ୯ ସିଏମ୍, ହାଇୱାରେ ଥରକେ ୧୮ ସିଏମ୍ ପର୍ଯ୍ୟନ୍ତ ବାଲି ଚାଲାଣ ହେଉଛି। ଅତିରିକ୍ତ ଜିଲ୍ଲାପାଳ ବାଲି ଘାଟରେ ଚଢ଼ାଉ କରିବା ଦିନ ଲିଜଧାରୀଙ୍କ ପକ୍ଷରେ କୌଣସି ୱାଇ ଫର୍ମ ନଥିଲା। ବିନା ୱାଇ ଫର୍ମରେ ଦିନ ତମାମ ବାଲି ଚାଲାଣ ଚାଲିଥିଲା। ଅଥଚ ରାଜସ୍ବ ନୀରିକ୍ଷକ ତଦନ୍ତ ରିପୋର୍ଟରେ ମାତ୍ର ୨୭ ସିଏମ୍ ବାଲି ଚାଲାଣ ହୋଇଥିବା ଦର୍ଶାଇବା ଲିଜଧାରୀ-ରାଜସ୍ବ ବିଭାଗ ଅଧିକାରୀଙ୍କ ମଧ୍ୟରେ ଥିବା ମଧୁଚନ୍ଦ୍ରିକାକୁ ପଦାରେ ପକାଇଛି।
ସୂଚନାଯୋଗ୍ୟ, ରାୟଗଡ଼ା ତହସିଲର ଖିଲିମିସିଗୁଡା ଘାଟରୁ ବାଲି ଚାଲାଣ ଲାଗି ୫ ବର୍ଷ ପାଇଁ ଲିଜ୍ ପାଇଛନ୍ତି ସିନା ଆପଡୁ ପୁଆଲା। ପ୍ରତି ବର୍ଷ ଘାଟରୁ ୮ ହଜାର ୬୦୦ ସିଏମ୍ ବାଲି ଉଠାଣ ପାଇଁ ଚୁକ୍ତି ହୋଇଛି। ଚୁକ୍ତି ମୁତାବକ ରାୟଗଡ଼ା ତହସିଲ ପକ୍ଷରୁ ଲିଜଧାରୀକୁ ଚଳିତ ଆର୍ଥିକ ବର୍ଷରେ ଏଯାବତ୍ ୧୮୫୦ ସିଏମ୍ ବାଲି ଉଠାଣ ପାଇଁ ୱାଇ ଫର୍ମ ପ୍ରଦାନ କରାଯାଇଛି। ଲିଜଧାରୀ ଇତି ମଧ୍ୟରେ ୧୮୦୦ ୱାଇ ଫର୍ମ ମାଧ୍ୟମରେ ବାଲି ଚାଲାଣ କରି ସାରିଥିବା ତଦନ୍ତ ସମୟରେ ଜଣା ପଡିଛି।