ବିଧାନସଭାରେ ମନ୍ତ୍ରୀଙ୍କ ଉତ୍ତର: ୨୫ଟି ଜିଲ୍ଲାରେ କମ୍‌ ବୃଷ୍ଟିପାତ, ପରିସ୍ଥିତି ସଙ୍କଟଜନକ ହୋଇପାରେ

ଭୁବନେଶ୍ୱର: ରାଜ୍ୟର ୫ଟି ଜିଲ୍ଲାରେ ସ୍ୱାଭାବିକ ଠାରୁ କମ୍‌ ବର୍ଷା ହୋଇଛି । କୋରାପୁଟ, ଖୋର୍ଦ୍ଧା, ନବରଙ୍ଗପୁର, କଟକ ଏବଂ କଳାହାଣ୍ଡି ଜିଲ୍ଲାରେ  କମ୍‌ ବର୍ଷା ହୋଇଥିବା ବିଧାନସଭାରେ ରାଜସ୍ୱମନ୍ତ୍ରୀ ସୁଦାମ ମାରାଣ୍ଡି  ବିବୃତି ରଖିଛନ୍ତି । ସେହିପରି ୨୫ଟି ଜିଲ୍ଲାରେ -୧୯%ରୁ +୧୯%  ମଧ୍ୟରେ ବର୍ଷା ହୋଇଛି।  ହେଲେ ବ୍ଲକ ସମୀକ୍ଷାରୁ ଜଣାଯାଏ ରାଜ୍ୟର ୩୧୪ଟି ବ୍ଲକ ମଧ୍ୟରୁ ୭୯ଟି ବ୍ଲକରେ ସ୍ୱାଭାବିକ ବର୍ଷା ହୋଇଥିବାବେଳେ ୨୩୫ଟି ବ୍ଲକରେ ସ୍ୱାଭାବିକ ଠାରୁ କମ୍‌ ବୃଷ୍ଟିପାତ ହୋଇଛି । ଆଉ ୨୧ ଗୋଟି ବ୍ଲକରେ ସ୍ୱାଭାବିକ ବୃଷ୍ଟିପାତ ଠାରୁ ଶତକଡ଼ା ୫୯ ଭାଗରୁ କମ୍‌ ବର୍ଷା ହୋଇଛି ବୋଲି ବିଭାଗୀୟ ମନ୍ତ୍ରୀ ବିବୃତି ରଖିଛନ୍ତି।

ସେପଟେ ଚିନ୍ତାଜନକ ବିଷୟ କି, ଜଳସମ୍ପଦ ବିଭାଗ ଠାରୁ ମିଳିଥିବା ତଥ୍ୟ ମୁତାବକ, ବର୍ଷାର ପରିମାଣ କମ୍‌ ରହିଥିବାରୁ ରାଜ୍ୟର ଅନେକ ନଦୀ, ନାଳ ଏବଂ ମଧ୍ୟମ କ୍ଷୁଦ୍ର ଜଳଭଣ୍ଡାରରେ ଆଶାନୁରୂପ ଜଳପ୍ରବାହ ହେଉନାହିଁ । ତେଣୁ ଜଳଭଣ୍ଡାରଗୁଡ଼ିକରେ ଜଳସେଚନ ଯୋଗାଇ ଦେବାପାଇଁ ଜଳ ଉପଲବ୍ଧ ନାହିଁ ।

ଏହାବାଦ୍‌ ୨ହଜାର ୬୯୯ଟି କ୍ଷୁଦ୍ର ଜଳ  ପ୍ରକଳ୍ପ ମଧ୍ୟରୁ ୨ ହଜାର ୧୬୦ଟି ପ୍ରକଳ୍ପରେ ଡେଡ୍‌ ଷ୍ଟୋରେଜ ସ୍ତର ତଳେ ଜଳ ପ୍ରବାହିତ ହେଉଛି । ତେଣୁ ଅନେକ ସ୍ଥାନରେ ଜଳସେଚନ ହୋଇପାରୁ ନାହିଁ । ଏହାକୁ ଦୃଷ୍ଟିରେ ରଖି ଜଳସମ୍ପଦ ବିଭାଗ ଜଳର ସୁପରିଚାଳନା କରି ସୁଷମ ବଣ୍ଟନ କରିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛି ।

ଅନ୍ୟପଟେ ସ୍ୱତନ୍ତ୍ର ରିଲିଫ୍‌ କମିଶନରଙ୍କ ଦ୍ୱାରା ପ୍ରତିଦିନ ବୃଷ୍ଟିପାତର ସମୀକ୍ଷା କରାଯାଉଛି ।କୃଷି ଉତ୍ପାଦନ କମିସନରଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ କମିଟି ଗଠନ କରାଯାଇଛି । କୃଷି ଓ କୃଷକଙ୍କ ସଶକ୍ତିକରଣ ବିଭାଗ ଠାରୁ ପ୍ରାପ୍ତ ତଥ୍ୟ ଅନୁସାରେ, ଚଳିତ ଖରିଫ୍‌ ଋତୁରେ ୨୫ ଲକ୍ଷ ୮୦ ହଜାର ୫୭୯ ହେକ୍ଟର ଜମିରେ ଧାନ ଏବଂ ଅଣଧାନ ଫସଲ ହୋଇଛି, ଯାହାକି ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମର ୪୧% ଭାଗ ଅଟେ ।

ଆଉ ଫସଲର ବୁଣା କାର୍ଯ୍ୟ ମଧ୍ୟ ଶେଷ ହୋଇଯାଇଛି । ତଳିଘେରା ପ୍ରସ୍ତୁତ ହୋଇ ତଳି ପଡ଼ିଛି । ପାଣିଥିବା ସ୍ଥାନରେ ଠାଏ ଠାଏ ରୁଆ ଚଲିଛି । ଆଉ ଫସଲକୁ ସୁରକ୍ଷା ଦେବା ପାଇଁ ବିଭିନ୍ନ କୃଷି ପରାମର୍ଶ ଦୈନିକ ଖବରକାଗଜ ରେଡ଼ିଓ ଏବଂ ଦୂରଦର୍ଶନ ମାଧ୍ୟମରେ ଚାଷୀଙ୍କ ପାଇଁ ପ୍ରସାରଣ କରାଯାଉଛି ବୋଲି ମନ୍ତ୍ରୀ ବିବୃତି ରଖିଛନ୍ତି ।

ସମ୍ବନ୍ଧିତ ଖବର