ଭୁବନେଶ୍ବର : ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଥିବାବେଳେ ଆଜି ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ ସ୍ଥିତି ସମୀକ୍ଷା କରିଛନ୍ତି। ବୈଠକରେ ସ୍ବତନ୍ତ୍ର ରିଲିଫ କମିସନର ସତ୍ୟବ୍ରତ ସାହୁ, ବିଭିନ୍ନ ବିଭାଗର ପ୍ରମୁଖ ସଚିବ, ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଏଚ୍‌.ଆର୍‌ ବିଶ୍ବାସ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ବୈଠକରେ ଗ୍ରୀଷ୍ମପ୍ରବାହର ମୁକାବିଲା ପାଇଁ କ୍ଷେତ୍ରୀୟ ସ୍ତରରେ ବ୍ୟାପକ ବ୍ୟବସ୍ଥା କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ସେହିପରି ଅଂଶୁଘାତଜନିତ ମୃତ୍ୟୁ ରୋକିବା ପାଇଁ ଜନସାଧାରଣ ଆବଶ୍ୟକୀୟ ସତର୍କତାମୂଳକ ପଦକ୍ଷେପ ଗ୍ରହଣ ପାଇଁ ବ୍ୟାପକ ସଚେତନତା ସୃଷ୍ଟି କରିବା ଉପରେ ଗୁରୁତ୍ବାରୋପ କରାଯାଇଥିଲା।

Advertisment

ରାଜ୍ୟରେ କୌଣସି ଅଞ୍ଚଳରୁ ଅଂଶୁଘାତଜନିତ ମୃତ୍ୟୁର ଅଭିଯୋଗ ଆସିଲେ ଏହାର ଯୁଗ୍ମ ତଦନ୍ତ କରି ୪୮ଘଣ୍ଟା ମଧ୍ୟରେ ସ୍ବତନ୍ତ୍ର ରିଲିଫ କମିସନରଙ୍କ କାର୍ଯ୍ୟାଳୟକୁ ରିପୋର୍ଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅଂଶୁଘାତଜନିତ ମୃତ୍ୟୁ ଅଭିଯୋଗ ଆସିଲେ ଜିଲ୍ଲା ପ୍ରଶାସନ ସ୍ତରରେ ତୁରନ୍ତ ତଦନ୍ତ କରାଯାଇ ବିପର୍ଯ୍ୟୟ ସହାୟତା ପାଣ୍ଠିରୁ ଅନୁକମ୍ପାମୂଳକ ସହାୟତା ରାଶି ୫୦ହଜାର ଟଙ୍କା ମୃତ ବ୍ୟକ୍ତିଙ୍କ ନିକଟତମ ସମ୍ପର୍କୀୟଙ୍କୁ ଦେବାକୁ ବ୍ୟବସ୍ଥା କରାଯାଇଛି। ଏହାସହ ନିରବଚ୍ଛିନ୍ନ ବିଦ୍ୟୁତ ସରବରାହ ଠିକ୍ ଭାବେ କାର୍ଯ୍ୟ କରିବା ପାଇଁ ଶକ୍ତି ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ଜିଲ୍ଲାପାଳମାନେ ଏସ୍‌ଆର୍‌ସିଙ୍କ ପକ୍ଷରୁ ଜାରି ହୋଇଥିବା ଏସ୍‌ଓପିକୁ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।