ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟାର ମୁକାବିଲା ନେଇ ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ବର ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ଗଭୀର ଅବପାତରେ ପରିଣତ ହୋଇଥିବାବେଳେ ଏହା ଖୁବ୍ଶୀଘ୍ର ବାତ୍ୟାର ରୂପ ନେବ। ବର୍ତ୍ତମାନ ସୁଦ୍ଧା ଏହାର ଗତିପଥ ସ୍ପଷ୍ଟ ହୋଇନଥିଲେ ହେଁ ଏହାର ତୀବ୍ରତା ବୃଦ୍ଧି ପାଉଛି। ତେଣୁ ବର୍ତ୍ତମାନର ସ୍ଥିତିକୁ ଦେଖି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାର ଆଜି ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ଏହି ବୈଠକରେ ମନ୍ତ୍ରୀ ଶ୍ରୀ ପୂଜାରୀ ଏବଂ ସ୍ବତନ୍ତ୍ର ରିଲିଫ କମିସନର ଦେଓରଂଜନ କୁମାର ସିଂହ ସମ୍ଭାବ୍ୟ ବାତ୍ୟାରେ ପ୍ରଭାବିତ ହେବାକୁ ଥିବା ଜିଲ୍ଲାଗୁଡ଼ିକର ଜିଲ୍ଲାପାଳଙ୍କ ସହ ଆଭାସୀ ମାଧ୍ୟମରେ ଆଲୋଚନା କରିଥିଲେ। ବାତ୍ୟା ପାଇଁ କ’ଣ ପ୍ରସ୍ତୁତି ହୋଇଛି ସେନେଇ ସ୍ଥିତି ସମୀକ୍ଷା କରିଥିଲେ।
ସମ୍ଭାବ୍ୟ ବାତ୍ୟା ମୁକାବିଲା ପ୍ରସ୍ତୁତିର ସମୀକ୍ଷା କଲେ ରାଜସ୍ବ ମନ୍ତ୍ରୀ
୧୫ଜିଲ୍ଲାକୁ ବାତ୍ୟା ଭୟ
ଏହାପରେ ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଅକ୍ଟୋବର ୨୭ରୁ ୨୯ ପର୍ଯ୍ୟନ୍ତ ଦକ୍ଷିଣ ଓଡ଼ିଶା ଓ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ହୋଇପାରେ। ଏଥିରେ ରାଜ୍ୟର ୧୫ଟି ଜିଲ୍ଲା ପ୍ରଭାବିତ ହେବାର ଆଶଙ୍କା ରହିଛି। ତେଣୁ ଅତୀତର ଅନୁଭବ ଓ ବର୍ତ୍ତମାନର ସ୍ଥିତିକୁ ଦୃଷ୍ଟିରେ ରଖି ସରକାର ସମସ୍ତ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। ଏନ୍ଡିଆର୍ଏଫ୍, ଓଡ୍ରାଫ୍ ଓ ଅଗ୍ନିଶମ ବାହିନୀକୁ ସଜାଗ ରଖାଯାଇଛି। ସରକାର କୃଷି, ଜଳସମ୍ପଦ, ଶକ୍ତି, ପଞ୍ଚାୟତିରାଜ, ସ୍ୱାସ୍ଥ୍ୟ, ସମବାୟ, ଗ୍ରାମ୍ୟ ଉନ୍ନୟନ, ପ୍ରାଣୀସମ୍ପଦ ବିଭାଗ ସହ ସମନ୍ୱୟ ରକ୍ଷା କରି ପ୍ରସ୍ତୁତି ଜାରି ରଖିଛନ୍ତି। ପ୍ରବଳ ବର୍ଷା ହେଲେ ଜଳବନ୍ଦୀ ସମସ୍ୟା ଉପୁଜିବାର ଆଶଙ୍କା ଥିବାରୁ ରାଜ୍ୟର ତଳିଆ ଓ ଜଳମଗ୍ନ ଅଞ୍ଚଳଗୁଡ଼ିକୁ ଚିହ୍ନଟ କରାଯାଇଛି। ବାତ୍ୟା ପ୍ରଭାବ ଓଡ଼ିଶା ଉପରେ ଅଧିକ ପଡ଼ିବ ବୋଲି ଜଣାପଡ଼ିଲେ ଲୋକଙ୍କୁ ଆବଶ୍ୟକସ୍ଥଳେ ବାତ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯିବ। ଏଥିପାଇଁ ବାତ୍ୟା ଆଶ୍ରୟସ୍ଥଳଗୁଡ଼ିକୁ ପ୍ରସ୍ତୁତ ରଖାଯାଇଛି। ସେଠାରେ ଖାଦ୍ୟପଦାର୍ଥ, ପାନୀୟ ଜଳ, ଗୋଖାଦ୍ୟ, ଆବଶ୍ୟକୀୟ ଔଷଧ ଇତ୍ୟାଦିର ବ୍ୟବସ୍ଥା କରାଯାଇଛି। ଏହାସହ ସେ କହିଛନ୍ତି ଯେ ସରକାର ଧନଜୀବନ ରକ୍ଷା ସହ ସମ୍ପତ୍ତିର ସୁରକ୍ଷା ପ୍ରତି ସ୍ୱତନ୍ତ୍ର ଭାବେ ଧ୍ୟାନ ଦେଉଛନ୍ତି। ଏବେ ଭୂସ୍ଖଳନ ଓ ସହରୀ ବନ୍ୟା ଉପରେ ମଧ୍ୟ ସତର୍କ ଦୃଷ୍ଟି ରଖାଯାଇଛି। ଲୋକମାନେ ବାତ୍ୟାକୁ ନେଇ ଆତଙ୍କିତ ହୁଅନ୍ତୁନି। ସରକାର ବାତ୍ୟା ସମ୍ପର୍କିତ ଯେଉଁ ସୂଚନା ଦେଉଛନ୍ତି ତାକୁ ଲୋକମାନେ ଗୁରୁତ୍ବ ଦିଅନ୍ତୁ ଏବଂ ସଜାଗ ରୁହନ୍ତୁ।
/sambad/media/agency_attachments/2024-07-24t043029592z-sambad-original.webp)