ଜମି ମାଲିକାନା ପରିବର୍ତ୍ତନ ପାଇଁ ଲାଞ୍ଚ : ଭିଜିଲାନ୍ସ ଜାଲରେ ରାଜସ୍ବ ସୁପରଭାଇଜର ଓ ଅବସରପ୍ରାପ୍ତ ରାଜସ୍ବ ନିରୀକ୍ଷକ 

ସୋନପୁର/ବୀରମହାରାଜପୁର : ଜମି ମାଲିକାନା ପରିବର୍ତ୍ତନ ପାଇଁ ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ବୀରମହାରାଜପୁର ତହସିଲ ରାଜସ୍ବ ସୁପରଭାଇଜର ନବେନ୍ଦ୍ର ମହାକୁଡ଼ ଓ ଅବସରପ୍ରାପ୍ତ ରାଜସ୍ବ ନିରୀକ୍ଷକ ବାବାଜୀ ଚରଣ ସାହୁ।

ଭିଜିଲାନ୍ସ ବିଭାଗ ସୂତ୍ରରୁ ପ୍ରକାଶ ଯେ, ସୁବଳୟା ଟିକିରାପଡ଼ାରୁ ଥବିର ମେହେରଙ୍କ ବାପା ଝରିଆ ମେହେରଙ୍କ ପରଲୋକ ପରେ ଥବିର ତାଙ୍କ ବାପାଙ୍କ ନାମରେ ଥିବା ୮ଏକର ୭୫୨ ଡିସିମିଲ୍‌ ଜମିକୁ ନିଜ ନାମରେ ପରିବର୍ତ୍ତନ କରିବାକୁ ଚାହିଁଥିଲେ। ଏନେଇ ଥବିର ଗତ ଡିସେମ୍ବର ମାସରେ ବୀରମହାରାଜପୁର ତହସିଲଦାରଙ୍କୁ ଭେଟି ସତ୍ୟପାଠ କରିବା ସହ ଅନ୍ୟାନ୍ୟ କାଗଜ ପତ୍ର ‌ରାଜସ୍ବ ସୁପରଭାଇଜର ନବେନ୍ଦ୍ର ମହାକୁଡ଼ଙ୍କୁ ଦେଇଥିଲେ। ଏହି କାଗଜପତ୍ର ଯାଞ୍ଚ କରିବା ପାଇଁ ସୁବଳୟା ହାଇଟେକ୍‌ ସର୍ଭେରେ କାମ କରୁଥିବା ରାଜସ୍ବ ନିରୀକ୍ଷକ ବାବାଜୀ ଚରଣ ସାହୁଙ୍କୁ ଭେଟିବା ପାଇଁ ଶ୍ରୀ ମହାକୁଡ଼ ଥବିରଙ୍କୁ ପରାମର୍ଶ ଦେଇଥିଲେ। ତେବେ ଭିଜିଲାନ୍ସ ବିଭାଗ ଯାଞ୍ଚ ସମୟରେ ଶ୍ରୀ ସାହୁ ଗତ ଜୁନ ୩୦ ତାରିଖରୁ କାର୍ଯ୍ୟରୁ ଅବସର ଗ୍ରହଣ କରିଥିବା ଜଣାପଡ଼ିଛି। ଥବିର ନିଜର କାଗଜପତ୍ର ପ୍ରସ୍ତୁତ ପାଇଁ ଅବସରପ୍ରାପ୍ତ ଆର୍‌ଆଇ ଶ୍ରୀ ସାହୁଙ୍କୁ ଅନେକ ଥର ଭେଟିଥିଲେ। ଏହାର ଦଶ ଦିନ ପରେ ଅବସରପ୍ରାପ୍ତ ଆର୍‌ଆଇ ଶ୍ରୀ ସାହୁ ରାଜସ୍ବ ସୁପରଭାଇଜର ଶ୍ରୀ ମହାକୁଡ଼ଙ୍କୁ ବୀରମହାରାଜପୁରରେ ଭେଟିବାକୁ ଥବିରଙ୍କୁ କହିଥିଲେ। ଥବିର ବୀରମହାରାଜପୁର ଯାଇ ଶ୍ରୀ ମହାକୁଡ଼ଙ୍କୁ ଭେଟିଥିଲେ। ମାଲିକାନା ପରିବର୍ତ୍ତନ ପାଇଁ ୧୦ ହଜାର ଟଙ୍କା ଦେଲେ କାର୍ଯ୍ୟ ହେବ ବୋଲି ଶ୍ରୀ ମହାକୁଡ଼ ଥବିରଙ୍କୁ କହିଥିଲେ। ସେତେବେଳେ ଥବିର ଏତେ ଟଙ୍କା ଦେବାକୁ ସେ ଅସମର୍ଥ ଥିବା କହିଥିଲେ।

ଗତ ୧୭ ତାରିଖ ଦିନ ରାତି ପ୍ରା‌ୟ ୮ଟା ବେଳେ ଥବିର ଅବସରପ୍ରାପ୍ତ ଆର୍‌ଆଇ ଶ୍ରୀ ସାହୁଙ୍କୁ ଭେଟିଥିଲେ। ଏହି ସମୟରେ ଶ୍ରୀ ସାହୁ ଟଙ୍କା ଦେଲେ କାମ ହେବ ବୋଲି ଥବିରଙ୍କୁ କହିଥିଲେ। ଏହାକୁ ନେଇ ଥବିର ଭିଜିଲାନ୍ସରେ ଅଭିଯୋଗ କରିଥିଲେ। ସମ୍ବଲପୁର ଭିଜିଲାନ୍ସ କେସ୍‌ ନମ୍ବର ୪/୨୦୨୧ ତା.୧୮/୨/୨୦୨୧ ଅନୁଯାଇ ଏକ ମକଦ୍ଦମା ରୁଜୁ ହୋଇଥିଲା। ଗୁରୁବାର ସନ୍ଧ୍ୟାରେ ସୁବଳୟାସ୍ଥିତ ରାଜସ୍ବ ନିରୀକ୍ଷକଙ୍କ ସରକାରୀ ବାସଭବନରେ ଥବିର ଅବସରପ୍ରାପ୍ତ ଆର୍‌ଆଇ ଶ୍ରୀ ସାହୁଙ୍କୁ ୧୦ ହଜାର ଟଙ୍କା ଲାଞ୍ଚ ଦେଇଥିଲେ। ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ଉ କରାଯାଇ ଶ୍ରୀ ସାହୁଙ୍କଠାରୁ ଲାଞ୍ଚ ଟଙ୍କା ଜବତ କରାଯାଇଥିଲା। ରାଜସ୍ବ ସୁପରଭାଇଜର ନବେନ୍ଦ୍ର ମହାକୁଡ଼ ଏବଂ ଅବସରପ୍ରାପ୍ତ ରାଜସ୍ବ ନିରୀକ୍ଷକ ବାବାଜୀ ଚରଣ ସାହୁଙ୍କୁ ଗିରଫ କରି ବଲାଙ୍ଗୀର ଭିଜିଲାନ୍ସ କୋର୍ଟକୁ ଚାଲାଣ କରିଥିବା ସୂଚନା ଦିଆଯାଇଛି। ସୁପରଭାଇଜର ଶ୍ରୀ ମହାକୁଡ଼ଙ୍କ ଘରେ ମଧ୍ୟ ଭିଜିଲାନ୍ସ ପକ୍ଷରୁ ଯାଞ୍ଚ କରାଯାଇଛି। ଏହି ଚଢ଼ଉରେ ସମ୍ବଲପୁର ଭିଜିଲାନ୍ସ ଡିଏସ୍‌ପି ଦାଶରଥି ସେଠୀ, ଇନ୍ସପେକ୍ଟର ତୁଷାରକାନ୍ତ ମହାପାତ୍ର, ସଞ୍ଜୟ ଯୋଶୀ, ନନ୍ଦକିଶୋର ବଗର୍ତ୍ତି, ବିଷ୍ଣୁ ପ୍ରସାଦ ଜାଲ ପ୍ରମୁଖ ସାମିଲ ଥିଲେ।

ସମ୍ବନ୍ଧିତ ଖବର