ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ଜିଲ୍ଲାସ୍ତରୀୟ ବୈଠକ

ରାୟଗଡା: ରାୟଗଡା ଜିଲ୍ଲାସ୍ଥରୀୟ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ଓ ପରିଚାଳନା ପ୍ରସ୍ତୁତ ବୈଠକ ମଙ୍ଗଳବାର ରାୟଗଡା ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଜିଲ୍ଲା ପରିଷଦ ସଦଭାବନା ଗୃହରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ କୋରାପୁଟ ଲୋକସଭା ସlସଂଦ ସପ୍ତଗିରି ଉଲ୍ଲାକା, ବିଧାୟକ  ମକରନ୍ଦ ମୁଦୁଲି, ଗୁଣପୁର ବିଧ୍ୟାୟକ ରଘୁନାଥ ଗମାଙ୍ଗ, ଜ଼ିଲ୍ଲାପରିଷଦ ଅଧ୍ୟକ୍ଷା ସରସ୍ବତୀ ମାଝୀ, ରାୟଗଡା ନଗରପାଳ ମହେଶ ପଟ୍ଟନାୟକ, ଗୁଣପୁର ପୌର ଉପନଗରପାଳ ଶିବ ନାରାୟଣ ଗୌଡ଼, ଜିଲ୍ଲାପରିଷଦ ଉପାଧ୍ୟକ୍ଷ ସନ୍ତୋଷ କୁମାର ସୁନା, ଉପଜିଲ୍ଲାପାଳ ଗୁଣପୁର ଲଳିତ କୁମାର କହଁର ପ୍ରମୁଖ ଯୋଗଦେଇ ଆଗାମୀ ଦିନରେ ସମ୍ଭାବ୍ୟ ପ୍ରାକୃତିକ ବିପର୍ଯୟ ମୁକାବିଲା ନିମନ୍ତେ ପ୍ରସ୍ତୁତି ରହିବା ଉପରେ ଆଲୋଚନା ‌କରିଥିଲେ।

ବିଶେଷ କରି ବର୍ଷାଦିନେ ସମ୍ବାବ୍ୟ ବନ୍ୟା ଓ ବତ୍ୟାର କିପରି ମୁକାବିଲା କରାଯାଇପାରିବ ସେଥିନିମନ୍ତେ ବିସ୍ତୃତଭାବେ ଆଲୋଚନା କରିଥିଲେ। ଜିଲ୍ଲାର ପ୍ରମୁଖ ନାଗାବଳୀ, ବଂଶଧାରା ନଦୀବନ୍ଧ ଗୁଡିକର ସ୍ଥିତି ସଂପୃକ୍ତ ବିଭାଗୀୟ ଅଧିକାରୀମାନଙ୍କ ଠାରୁ ପଚାରି ବୁଝିଥିଲେ। ଦୁର୍ବଳ ନଦୀବନ୍ଧଗୁଡ଼ିକର ଚିହ୍ନଟ କରି ତୁରନ୍ତ ମରାମତି କରିବାକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଧାନ ନିର୍ଦ୍ଦେଶ ଦେଇଥିଲେ। ବନ୍ୟା ପ୍ରବଣ ଅଂଚଳ ଗୁଡିକରେ ଅତ୍ୟାବଶ୍ୟକ ସାମଗ୍ରୀ ଯଥା ଚାଉଳ, ଚୂଡ଼ା, ଗୁଡ, ବିସ୍କୁଟ, କ୍ୟାଣ୍ଡେଲ, କିରାସିନି, ଔଷଧ ଆଦି ଆଗୁଆ ମହଜୁଦ ରଖିବାକୁ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବର୍ଷା ଦିନରେ ବନ୍ୟା ସମୟରେ ବିଶୁଦ୍ଧ ପାନୀୟଜଳ ପାଇଁ ଆଗୁଆ ବ୍ୟବସ୍ଥା କରିବାକୁ ଗ୍ରାମ୍ୟ ଜଳ ଯୋଗାଣ ସଂସ୍ଥା ନିର୍ବାହୀ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଦୁର୍ମଗ ଅଞ୍ଚଳରେ ସ୍ୱାସ୍ଥ୍ୟ ସେବା ଯୋଗାଇବା ନିମନ୍ତେ ଆଗୁଆ ଔଷଧ, ସାପକାମୁଡା ନିରାକରଣ ଇଂଜେକସନ, ଓଆରଏସ, ହେଲୋଜେନ, ବ୍ଲିଚିଂ ପାଉଡର ଆଦି ଆଗୁଆ ମହଜୁଦ ରଖିବାକୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଅତିରିକ୍ତ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ପ୍ରାଣୀ ଚିକିତ୍ସା ପାଇଁ ମଧ୍ୟ ଆଗୁଆ ବ୍ୟବସ୍ଥା କରିବାକୁ ଜିଲାମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କୁ କୁହାଯାଇଛି।

ବର୍ଷାଦିନ ପୂର୍ବରୁ ନାଳନର୍ଦ୍ଦମା ଗୁଡିକର ସଫାସୁତୁରା ଓ ମରାମତି କରିବାକୁ ସଂପୃକ୍ତ ଅଧିକାରୀ ମାନଙ୍କୁ କୁହାଯାଇଛି। ବନ୍ୟା ବାତ୍ୟା ସମୟରେ ଚାଷୀମାନଙ୍କୁ ଆଗୁଆ ସତର୍କ କରିବାକୁ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କୁ ଅତିରିକ୍ତ ଜିଲ୍ଲାପାଳ କହିଥିଲେ। ବାତ୍ୟା ଆଶ୍ରୟ ସ୍ଥଳି, ବାତ୍ୟା ସମୟରେ ବ୍ୟବହାର ନିମନ୍ତେ ଚିହ୍ନଟ କରାଯାଇଥିବା ବିଦ୍ୟାଳୟ ଗୁଡିକର ମରାମତି କରିବାକୁ ନିର୍ବାହୀ ଅଧିକାରୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବର୍ଷା ମାପ ଯନ୍ତ୍ର ଗୁଡିକର ନିରୀକ୍ଷଣ କରି ଓ ବର୍ଷାର ସଠିକ ମାପ କରି ରିପୋର୍ଟ ଦେବାକୁ ଅତିରିକ୍ତ ଜିଲ୍ଲାପାଳ କହିଥିଲେ। ବର୍ଷାଦିନ ପୂର୍ବରୁ ରାସ୍ତା ଘାଟ,ବିଦ୍ୟୁତ ଯୋଗାଯୋଗ କାର୍ଯ୍ୟ ଗୁଡ଼ିକର ମରାମତି କରିବାକୁ ସଂପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବନ୍ୟା ବାତ୍ୟା ମୁକାବିଲା ନିମନ୍ତେ ଆବଶ୍ୟକ ଯନ୍ତ୍ରପାତି,ଡ଼ଙ୍ଗା ସହ ପ୍ରସ୍ତୁତି ରହିବାକୁ ଓଡ୍ରାଫ ଟିମ ଓ ଅଗ୍ନିଶମ ବିଭାଗକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଧାନ ନିର୍ଦ୍ଦେଶ ଦେଇଥିଲେ। ବିଭିନ୍ନ ବ୍ଲକର ବିଡ଼ିଓ, ତହସିଲଦାର, ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ବୈଠକରେ ବହୁ ଅଧିକାରୀ ଯୋଗ ଦେଇନଥିବାରୁ ଅତିରିକ୍ତ ଜିଲ୍ଲାପାଳ କ୍ଷୋଭ ପ୍ରକାଶ କରିବା ସହ କାର୍ଯ୍ୟାନୁଷ୍ଠାନ ନିଆଯିବା ନେଇ ମଧ୍ୟ ତାଗିଦ କରିଛନ୍ତି।

 

ସମ୍ବନ୍ଧିତ ଖବର