ଭୁବନେଶ୍ବର: ସମବାୟ ସମିତି ଗଠନ ମାଧ୍ୟମରେ ଅଧିକରୁ ଅଧିକ ଦୁଗ୍ଧ ଚାଷୀଙ୍କୁ ଓମ୍‌ଫେଡ୍‌ର ସଦସ୍ୟଭୁକ୍ତ କରିବା ସହିତ ସେମାନଙ୍କୁ ରୋଜଗାର ବୃଦ୍ଧି ଦିଗରେ ଏକ ରୋଡ୍‌ମ୍ୟାପ୍‌ ପ୍ରସ୍ତୁତ ପାଇଁ କୃଷି ଏବଂ ପ୍ରାଣୀ ପାଳନ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ପରାମର୍ଶ ଦେଇଛନ୍ତି। କୃଷି ଭବନରେ ଆୟୋଜିତ ବୈଠକରେ ଓଡ଼ିଶା ରାଜ୍ୟ ସମବାୟ ଦୁଗ୍ଧ ଉତ୍ପାଦକ ମହାସଂଘ ଲିମିଟେଡ୍‌ ‘ଓମ୍‌ଫେଡ୍‌’ର ବିଭିନ୍ନ କାର୍ଯ୍ୟକ୍ରମର ଅଗ୍ରଗତି ସଂପର୍କରେ ମନ୍ତ୍ରୀ ସମୀକ୍ଷା କରି କରିଥିଲେ। ମନ୍ତ୍ରୀ କହିଥିଲେ, ଓମଫେଡ କ୍ଷୀର ଉତ୍ପାଦନରେ ଓଡ଼ିଶାକୁ ଏକ ଅଗ୍ରଣୀ ରାଜ୍ୟରେ ପରିଣତ କରିବା ଅପରିହାର୍ଯ୍ୟ ହୋଇପଡ଼ିଛି। ବିଶେଷକରି ଏହି ସଂସ୍ଥା ପୁଷ୍ଟିକର ଦୁଗ୍ଧ ଏବଂ ଦୁଗ୍ଧଜାତ ଦ୍ରବ୍ୟ ଯୋଗାଣ ବୃଦ୍ଧି ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବା ଦରକାର। ଦୁଗ୍ଧ ପ୍ରକ୍ରିୟାକରଣ ପ୍ଲାଣ୍ଟ ନିମନ୍ତେ ଚାଷୀମାନଙ୍କଠାରୁ ଅଧିକ କ୍ଷୀର ସଂଗ୍ରହ ଦିଗରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ଲାଗି ମନ୍ତ୍ରୀ ପରାମର୍ଶ ଦେଇଥିଲେ।

Advertisment

ବୈଠକରେ କ୍ଷୀର ସଙ୍ଗଠନର ସଭାପତିମାନେ ସେମାନଙ୍କ ସମସ୍ୟାର ସମାଧାନ ଦିଗରେ ବିଭିନ୍ନ ପ୍ରସ୍ତାବ ଦେଇଥିଲେ। ଓମଫେଡ ପକ୍ଷରୁ ସେଗୁଡ଼ିକ ତର୍ଜମା କରି ଆବଶ୍ୟକ ପଦକ୍ଷେପ ଗ୍ରହଣ ପାଇଁ ନିର୍ଦେଶ ଦିଆଯାଇଥିଲା। ଏହି ଅବସରରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଓମଫେଡ ପକ୍ଷରୁ ପ୍ରକାଶିତ ପୁସ୍ତିକା ‘ପ୍ରାଣୀପାଳନ ସହାୟିକା’ର ଉନ୍ମୋଚନ କରିଥିଲେ। ବୈଠକରେ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଠ, ପ୍ରାଣୀପାଳନ ଓ ପ୍ରାଣୀଚିକିତ୍ସା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଡ. ୟେଦୁଲ୍ଲା ବିଜୟ, ଓମଫେଡର ସଭାପତି କିଶୋର ଚନ୍ଦ୍ର ପ୍ରଧାନୀ, ଓମଫେଡର ପରିଚାଳନା ନିର୍ଦ୍ଦେଶକ ଆଶିଷ ଚନ୍ଦ୍ର ସିହ୍ନା ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ସୂଚନା ଦିଆଯାଇଥିଲା ଯେ, ୨୦୦୦ ମସିହାର କ୍ଷୀର ଉତ୍ପାଦନ ୮ ଲକ୍ଷ ୭୫ ହଜାର ମେଟ୍ରିକ ଟନ୍‌ରୁ ୨୦୨୧ରେ ୨୩ ଲକ୍ଷ ୭୩ ହଜାର ମେଟ୍ରିକ୍‌ ଟନକୁ ବୃଦ୍ଧି ପାଇଛି।