ଭୁବନେଶ୍ୱର: ସାମୁଦ୍ରିକ ଝଡ଼ ‘ଫନି’ର ତାଣ୍ଡବର ଷଷ୍ଠ ଦିନରେ ପୁରୀରୁ ଏବେ ୧୨ ଯୋଡ଼ି ଟ୍ରେନ ବିଭିନ୍ନ ସ୍ଥାନକୁ ଚାଲୁଛି। ଆଗାମୀ ୧୨ ତାରିଖ ସୁଦ୍ଧା ଏହା ୧୮ ଯୋଡ଼ା ହୋଇଯିବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ଏକ ସମୀକ୍ଷା ବୈଠକ ପରେ ସୂଚନା ଦେଇଛନ୍ତି। ଭୁବନେଶ୍ୱରସ୍ଥିତ ରେଳକୁଞ୍ଜରେ ରେଲବାଇର ସ୍ଥିତି ସମୀକ୍ଷା କରିବା ଅବସରରେ ପ୍ରଧାନ କହିଛନ୍ତି, ପୁରୀକୁ ରେଳ ଚଳାଚଳ ସ୍ୱାଭାବିକ ହେଉଛି। ରେଳବାଇର ଭୁବନେଶ୍ୱର, ଖୋର୍ଦ୍ଧା, ପୁରୀ ଓ କଟକ ଜୋନ୍ରେ ବ୍ୟାପକ କ୍ଷତି ହୋଇଛି।
କେନ୍ଦ୍ରମନ୍ତ୍ରୀ ପ୍ରଧାନ କହିଛନ୍ତି, ହାଓ୍ଵଡା-ଚେନ୍ନାଇ ରୁଟ୍ରେ ଟ୍ରେନ୍ ଚଳାଚଳ ସ୍ୱାଭାବିକ ହୋଇପାରିଛି। ପୁରୀ ଯାଏଁ ସବୁ ଟ୍ରେନ୍ରେ ଖୁବଶୀଘ୍ର ବିଦ୍ୟୁତ, ପିଇବା ପାଣି ବ୍ୟବସ୍ଥା କରାଯିବ। ଆଗାମୀ ରଥଯାତ୍ରାକୁ ଦୃଷ୍ଟିରେ ରଖି ରେଳବାଇ ଅଧିକ ସକ୍ରିୟ ହୋଇଯିବ।
ପେଟ୍ରୋଲ, ଡିଜେଲ ଉପଲବ୍ଧ ସ୍ଥିତି ସମୀକ୍ଷା କରି କେନ୍ଦ୍ରମନ୍ତ୍ରୀ କହିଛନ୍ତି, ପାଖାପାଖି ୯୦ ପ୍ରତିଶତ ପେଟ୍ରୋଲ ପମ୍ପରେ ତୈଳ ମିଳୁଛି ଏବଂ ପୁରୀରେ ଏବେ ୮ଟି ମୋବାଇଲ ଭ୍ୟାନ ଦ୍ଵାରା ସେବା ଯୋଗାଇ ଦିଆଯାଉଛି। ପୁରୀରେ ୫୨ଟି ପେଟ୍ରୋଲ ପମ୍ପ ମଧ୍ୟରୁ ୨୯ଟି କ୍ଷତିଗ୍ରସ୍ତ ହୋଇଥିବା ବେଳେ ଏଯାଏଁ ୨୩ଟି କାର୍ଯ୍ୟକ୍ଷମ ହୋଇଛି। ପୁରୀରେ ୬ଟି ବଡ଼ ଟ୍ୟାଙ୍କର ଯୋଗେ ଡିଜେଲ ଯୋଗାଇ ଦିଆଯାଉଛି। ଭୁବନେଶ୍ୱରରେ ୯୫ ପ୍ରତିଶତ ପେଟ୍ରୋଲ ପମ୍ପ ଖୋଲା ରଖାଯାଇଛି।