ଭୁବନେଶ୍ବର : ଚଳିତ ବର୍ଷ ମାଛ ଯାଁଳ ଉତ୍ପାଦନ କ୍ଷେତ୍ରରେ ଓଡ଼ିଶା ନୂଆ ରେକର୍ଡ କରିଛି। ଏବର୍ଷ ଧାର୍ଯ୍ୟ ଲକ୍ଷ୍ୟ ପୂରଣ ସହ ୨୮୦ କୋଟି ମାଛ ଯାଁଳ ଉତ୍ପାଦନ ହୋଇଛି। ମାଛ ଉତ୍ପାଦନ ନେଇ ମତ୍ସ୍ୟ ଅଧିକାରୀଙ୍କ ଉପସ୍ଥିତିରେ ଅନୁଷ୍ଠିତ ଏକ ସମୀକ୍ଷା ବୈଠକରେ ମତ୍ସ୍ୟ ଓ ପଶୁ ସଂପଦ ବିକାଶ ବିଭାଗ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଏହି ସୂଚନା ଦେଇଛନ୍ତି। ଏହି ଅବସରରେ ମନ୍ତ୍ରୀ ଶ୍ରୀ ସ୍ବାଇଁ କହିଥିଲେ ଯେ ରାଜ୍ୟରେ ଚିଙ୍ଗୁଡ଼ି ଚାଷ ପାଇଁ ବିପୁଳ ସୁଯୋଗ ରହିଛି। ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଚଳନ କରାଯାଇଥିବା ଗୋ-ସୁଗମ ପୋର୍ଟାଲର ଲାଭ ଯେପରି ମତ୍ସ୍ୟଚାଷୀମାନେ ପାଇପାରିବେ, ସେଥିପାଇଁ ପଦକ୍ଷେପ ନେବା ସହ କର୍ତ୍ତବ୍ୟରେ ଖିଲାପ କରୁଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଭିନ୍ନକ୍ଷମ ଏବଂ କିନ୍ନରମାନଙ୍କୁ ମତ୍ସ୍ୟ ବିଭାଗର ବିଭିନ୍ନ ଯୋଜନାରେ ସାମିଲ କରିବା ପାଇଁ ମଧ୍ୟ ବୈଠକରେ ପରାମର୍ଶ ଦିଆଯାଇଥିଲା। ସାମାଜିକ ଗଣମାଧ୍ୟମର ଉପଯୋଗ କରି ଇଆଇସି କାର୍ଯ୍ୟକ୍ରମକୁ ବ୍ୟାପକ କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ବାଇଁ କହିଥିଲେ।
ବୈଠକରେ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗର କମିସନର୍ ସୁରେଶ କୁମାର ବଶିଷ୍ଠ, ବାୟୋଫ୍ଲକ୍ ପଦ୍ଧତିରେ ମାଛଚାଷ କରିବା ନିମନ୍ତେ ଓଡ଼ିଶା ଜୀବିକା ମିସନ୍ ସହ ସମନ୍ୱୟ ବୈଠକ କରିବା ପାଇଁ କହିଥିଲେ। ହୀରାକୁଦ ଜଳଭଣ୍ଡାର ପରେ ଇନ୍ଦ୍ରାବତୀ ଓ ରେଙ୍ଗାଲି ଜଳଭଣ୍ଡାରରେ ମଧ୍ୟ କେଜ୍ କଲଚର୍ ମାଛଚାଷ ଉପରେ ସଚିବ ଶ୍ରୀ ବଶିଷ୍ଠ ଗୁରୁତ୍ୱାରୋପ କରିଥିଲେ। ସେତୁ ଯୋଜନାରେ ଜଳାଶୟରେ ମାଛ ଉତ୍ପାଦନ ହେକ୍ଟର୍ ପିଛା ୫କେଜିରୁ ୫୦ରୁ ୬୦କେଜି ବୃଦ୍ଧି ପାଇଛି ବୋଲି ସେ କହିଥିଲେ। ସେହିପରି ଗୋ-ସୁଗମ ପୋର୍ଟାଲରେ ସ୍ଥାନିତ ହୋଇନଥିବା ଯୋଜନାଗୁଡ଼ିକୁ ଡିଏସ୍ଏସ୍ ପୋର୍ଟାଲରେ ସ୍ଥାନିତ କରିବା ପାଇଁ ଶ୍ରୀ ବଶିଷ୍ଠ ପ୍ରସ୍ତାବ ଦେଇଥିଲେ। ସମୁଦ୍ରରେ ମାଛ ଧରିବା ନିମନ୍ତେ କଟକଣା ଜାରି ହୋଇଥିବା ପରିପ୍ରେକ୍ଷୀରେ ମତ୍ସ୍ୟଜୀବୀମାନଙ୍କୁ ସହାୟତା ପ୍ରଦାନ ସଂପର୍କରେ ବୈଠକରେ ଆଲୋଚନା ହୋଇଥିଲା।
ମତ୍ସ୍ୟ ପୋଖରୀ ଯୋଜନା, ପଞ୍ଚାୟତ ପୋଖରୀରେ ମହିଳା ସ୍ୱୟଂସହାୟକ ଗୋଷ୍ଠୀଙ୍କ ଦ୍ୱାରା ମାଛଚାଷ, ଫାର୍ମପଣ୍ଡରେ ମାଛଚାଷ ନିମନ୍ତେ ବ୍ୟବହୃତ ଯନ୍ତ୍ରପାତି ଓ ଉପକରଣ ଏବଂ ଭିତ୍ତିଭୂମିର ବିକାଶ ଦିଗରେ ବିଶଦ୍ ଆଲୋଚନା ହୋଇଥିଲା। କାର୍ଯ୍ୟକ୍ରମରେ ମତ୍ସ୍ୟ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ସ୍ମୃତିରଞ୍ଜନ ପ୍ରଧାନ, ପ୍ରାଣୀପାଳନ ଓ ପ୍ରାଣୀଚିକିତ୍ସା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଡ. ୟେଦୁଲ୍ଲା ବିଜୟଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀ, ନୋଡାଲ ଅଧିକାରୀ, ସମସ୍ତ ଜିଲ୍ଲା ମତ୍ସ୍ୟ ଅଧିକାରୀ, ଅତିରିକ୍ତ ଜିଲ୍ଲା ମତ୍ସ୍ୟ ଅଧିକାରୀ (ସାମୁଦ୍ରିକ) ଉପସ୍ଥିତ ଥିଲେ।