ଉତ୍ତରାଞ୍ଚଳ ରାଜସ୍ୱ କମିସନରଙ୍କ ସମୀକ୍ଷା ବୈଠକ: ଧାର୍ଯ୍ୟ ସମୟରେ ନିର୍ମାଣ କାମ ସାରିବାକୁ ନିର୍ଦ୍ଦେଶ

ବଲାଙ୍ଗୀର : ବୁଧବାର ଉତ୍ତାରାଞ୍ଚଳ ରାଜସ୍ୱ କମିସନର ଡ. ସୁରେଶ ଚନ୍ଦ୍ର ଦଳେଇ ବଲାଙ୍ଗୀର ଗସ୍ତରେ ଆସି ଅପରାହ୍ଣରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀକକ୍ଷଠାରେ ଆୟୋଜିତ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ। ଏହି ଅବସରରେ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନୟନ ଓ ଲୋକାଭିମୁଖୀ ଯୋଜନାଗୁଡ଼ିକର କାର୍ଯ୍ୟକାରିତା ଓ ଅଗ୍ରଗତି ସମ୍ପର୍କରେ ସେ ସମୀକ୍ଷା କରିଥିଲେ। ବୈଠକରେ ଜିଲ୍ଲାପାଳ ଚଞ୍ଚଳ ରାଣା, ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଦର ଧରୁଆ, ଅତିରିକ୍ତ ଜିଲ୍ଲାପାଳ ମହେନ୍ଦ୍ର ମହାପାତ୍ର, ବଲାଙ୍ଗୀର ଉପଜିଲ୍ଲାପାଳ କୁମାର ନାଗଭୂଷଣ, ପାଟଣାଗଡ଼ ଉପଜିଲ୍ଲାପାଳ ଡ. ବିଜୟାନନ୍ଦ ସେଠୀଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

ଉତ୍ତାରାଞ୍ଚଳ ରାଜସ୍ୱ କମିସନର ଡ. ଦଳେଇ ପୂର୍ତ୍ତ ବିଭାଗ ଜରିଆରେ ଭୀମ ଭୋଇ ମେଡିକାଲ କଲେଜର ନିର୍ମାଣାଧୀନ ୬୫୦ ଶଯ୍ୟା ବିଶିଷ୍ଟ ଟିଚିଙ୍ଗ ହସ୍ପିଟାଲର ଅଗ୍ରଗତି ସହ ଜିଲ୍ଲାର ଅନ୍ୟ ସ୍ୱାସ୍ଥ୍ୟ ଭିତ୍ତିଭୂମି ନିର୍ମାଣର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରି ଧାର୍ଯ୍ୟ ସମୟ ସୀମା ମଧ୍ୟରେ କାର୍ଯ୍ୟ ସମ୍ପୂର୍ଣ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଓଡ଼ିଶା ଆଦର୍ଶ ବିଦ୍ୟାଳୟ କୋଠା, ମେଡିକାଲ କଲେଜ ଛାତ୍ରାବାସ, ଇନ୍‌ଡୋର ଷ୍ଟାଡିୟମ ଇତ୍ୟାଦିର ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ। ଜଳସେଚନ, କ୍ଷୁଦ୍ର ଜଳସେଚନ, ଉଠା ଜଳସେଚନ ବିଭାଗ ଜରିଆରେ ନିର୍ମାଣାଧୀନ ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ।

ବଲାଙ୍ଗୀର, ପାଟଣାଗଡ଼ ଓ ଟିଟିଲାଗଡ଼ ଗ୍ରାମ୍ୟ ଉନ୍ନୟନ ବିଭାଗ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା, ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ଜରିଆରେ ନିର୍ମାଣାଧୀନ ରାସ୍ତା, ବିଜୁ ସେତୁ, ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ କୋଠା ନିର୍ମାଣର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ। ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ଜରିଆରେ ନିର୍ମାଣାଧୀନ ମେଗା ପାନୀୟ ଜଳ ପ୍ରକଳ୍ପ, ପାଇପ ଜଳ ଯୋଗାଣ ପ୍ରକଳ୍ପ ସହ ଜନସ୍ୱାସ୍ଥ୍ୟ ବିଭାଗ ଜରିଆରେ ନିର୍ମାଣାଧୀନ ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ସେ ସମୀକ୍ଷା କରିଥିଲେ। କୃଷି ଓ କୃଷକ ସଶକ୍ତୀକରଣ, ଉଦ୍ୟାନ କୃଷି, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗର କାର୍ଯ୍ୟାବଳୀ ସମ୍ପର୍କରେ ସମୀକ୍ଷା କରି ବିଭାଗ ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା କରି ସମନ୍ୱିତ କୃଷିଭିତ୍ତିକ କାର୍ଯ୍ୟକ୍ରମ ଜିଲ୍ଲାରେ କରିବା ସହ ଚାଷୀମାନଙ୍କ ଜୀବନ ଜୀବିକାର ଅଭିବୃଦ୍ଧି କରିବା ଦିଗରେ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ। ବିଭିନ୍ନ ଯୋଜନା ସମ୍ପର୍କରେ ଚାଷୀମାନଙ୍କୁ ଅବଗତ କରିବା ନିମନ୍ତେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ କରିବାକୁ ସେ ପରାମର୍ଶ ଦେଇଥିଲେ।

ଏହାଛଡ଼ା ଜିଲ୍ଲାରେ ଆରମ୍ଭ ହୋଇଥିବା ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ତଥା ଆନୁଷଙ୍ଗିକ ବ୍ୟବସ୍ଥା ସମ୍ପର୍କରେ ସମୀକ୍ଷା କରିଥିଲେ। ଶିକ୍ଷା ବିଭାଗର କାର୍ଯ୍ୟାବଳୀ ସମ୍ପର୍କରେ ସମୀକ୍ଷା କରି ଶିକ୍ଷା ଅଧିକାରୀମାନେ ନିୟମିତ ବିଦ୍ୟାଳୟ ପରିଦର୍ଶନ କରିବା ଉପରେ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ। ଜିଲ୍ଲାର ସ୍ୱାସ୍ଥ୍ୟ ଭିତ୍ତିଭୂମି, ରୋଗୀମାନଙ୍କ ନିମନ୍ତେ ଉପଲବ୍ଧ ଚିକିତ୍ସା ବ୍ୟବସ୍ଥା, ମାନବ ସମ୍ବଳ ଇତ୍ୟାଦିର ସମୀକ୍ଷା କରିବା ସହ ମିସନ ଶକ୍ତି ଗୃହ, ମିସନ ଶକ୍ତି ଭବନ ନିର୍ମାଣର ଅଗ୍ରଗତି, ମିସନ ଶକ୍ତି ଜରିଆରେ ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକ କରୁଥିବା ବିଭିନ୍ନ ଆୟଭିତ୍ତିକ କାର୍ଯ୍ୟକ୍ରମ, ବୁଣାକାର ସହାୟତା ଯୋଜନାର କାର୍ଯ୍ୟକାରିତା ସମ୍ପର୍କରେ ସେ ସମୀକ୍ଷା କରିଥିଲେ। ଏହାଛଡ଼ା ଜିଲ୍ଲା ଶିଳ୍ପକେନ୍ଦ୍ର, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଜରିଆରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ସମ୍ପର୍କରେ ସମୀକ୍ଷା କରିଥିଲେ। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଧରୁଆ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର