ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷଙ୍କ ସମୀକ୍ଷା ବୈଠକ : ବରଗଡ଼, ବୌଦ୍ଧ ଓ ସୁବର୍ଣ୍ଣପୁରର ହସ୍ତତନ୍ତକୁ ଅନ୍ତର୍ଜାତୀୟ ମାନର କରାଯିବ

ବୌଦ୍ଧ : ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଅସିତ ତ୍ରିପାଠୀ ଗୁରୁବାର ବୌଦ୍ଧ ଗସ୍ତରେ ଆସିଥିଲେ। ସେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ବୌଦ୍ଧ ଓ ‌ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ବିଭାଗର ଅଧିକାରୀଙ୍କୁ ନେଇ ସମୀକ୍ଷା କରିଥିଲେ। ସମୀକ୍ଷା ବୈଠକରେ ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଓ ସୁବର୍ଣ୍ଣପୁର ଜିଲ୍ଲାପାଳ ମୋନିଷା ବାନାର୍ଜିଙ୍କ ସହ ବୌଦ୍ଧ ଏସ୍‌ପି ଭି. ରଘୁନାଥ ରାଓ, ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ମୁଖ୍ୟ ନିର୍ବାହୀ ଅଧିକାରୀ ଏସ୍‌. କେ. ପଟେଲ ଓ ଡିଆର୍‌ଡିଏ ପିଡି ବବିତା ଦଳବେହେରା ଉପସ୍ଥିତ ଥିଲେ।

ବୈଠକ ପରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବିସ୍ତୃତ ସୂଚନା ଦେଇଥିଲେ। ପଶ୍ଚିମ ଓଡ଼ିଶାର ଜିଲ୍ଲାମାନଙ୍କରେ ଅନେକ ସମ୍ଭାବନା ଅଛି। କୃଷି, ଉଦ୍ୟାନ କୃଷି, ପଶୁ ପାଳନ, କୁକୁଡ଼ା ଚାଷରେ ବୌଦ୍ଧ ଜିଲ୍ଲା ଆତ୍ମନିର୍ଭରଶୀଳ ହୋଇ ପାରିଛି। କ୍ଷୀର ଯୋଗାଣରେ ମଧ୍ୟ ବୌଦ୍ଧ ଜିଲ୍ଲା ଆଗୁଆ ଅଛି। ହସ୍ତତନ୍ତରେ ବୌଦ୍ଧ ଓ ସୁବର୍ଣ୍ଣପୁର ଜିଲ୍ଲାର ସୁନାମ ରହିଛି। ଦୁଇ ଜିଲ୍ଲାରେ ୯ ହଜାର ପରିବାର ଏଥିରେ ଅନ୍ତର୍ଭୁକ୍ତ ଅଛନ୍ତି। ବରଗଡ଼, ବୌଦ୍ଧ ଓ ସୁବର୍ଣ୍ଣପୁର ଜିଲ୍ଲାର ହସ୍ତତନ୍ତକୁ ଅନ୍ତର୍ଜାତୀୟ ମାନର କରାଯିବ। ଏଥିପାଇଁ ରାଜ୍ୟସ୍ତରୀୟ ଯୋଜନା ଥିବା ଶ୍ରୀ ତ୍ରିପାଠୀ ପ୍ରକାଶ କରିଥିଲେ।

ସୂଚନା ଯୋଗ୍ୟ ପଶ୍ଚିମ ଓଡ଼ିଶା ବିକାଶ ପରିଷଦରୁ ବୌଦ୍ଧ ଜିଲ୍ଲାର ୧୬୧୬ ପ୍ରକଳ୍ପ ପାଇଁ ୮୧.୩୧ କୋଟି ଟଙ୍କା ମଞ୍ଜୁର ହୋଇଛି। ସେଥି ମଧ୍ୟରୁ ୧୪୫୮ଟି ପ୍ରକଳ୍ପ ଶେଷ ହୋଇଥିବା ୧୫୮ଟି ପ୍ରକଳ୍ପ ନିର୍ମାଣାଧୀନ ରହିଛି। ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ପ୍ରକଳ୍ପଗୁଡ଼ିକୁ ଶେଷ କରିବାକୁ ପରାମର୍ଶ ଦେଇଥିଲେ। ସେହିପରି ସୁବର୍ଣ୍ଣପୁର ଜିଲ୍ଲାରେ ୧୯୮୫ ପ୍ରକଳ୍ପ ପାଇଁ ଏକ ଶହ କୋଟି ଟଙ୍କା ମଞ୍ଜୁର ହୋଇଛି। ସେଥି ମଧ୍ୟରୁ ୮୪ କୋଟି ଟଙ୍କା ବ୍ୟୟରେ ୧୫୦୫ଟି ପ୍ରକଳ୍ପର କାମ ଶେଷ ହୋଇଛି। ୪୮୦ ପ୍ରକଳ୍ପ ନିର୍ମାଣାଧୀନ ରହିଛି। ସମୀକ୍ଷା ବୈଠକ ପୂର୍ବରୁ ଐତିହାସିକ ଜିଲ୍ଲା ସଂଗ୍ରହାଳୟ ପରିଦର୍ଶନ କରି ଖୁସି ବ୍ୟକ୍ତ କରିଥିଲେ। ଏହି ସଂଗ୍ରହାଳୟ ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ମଧ୍ୟରେ ଯୋଗସୂତ୍ର ରକ୍ଷା କରିବ। ନିଜ ଇତିହାସ ଓ ସଂସ୍କୃତିକୁ ନେଇ ଆଗାମୀ ପିଢ଼ି ଗର୍ବ ଅନୁଭବ କରିବ ବୋଲି ପ୍ରକାଶକ କରିଥିଲେ। ‘ଇନଟାକ୍‌’ ଓ ରାଜ୍ୟ ସଂଗ୍ରହାଳୟ ସହ ସମନ୍ବୟ ରକ୍ଷା କରି ସଂଗ୍ରହାଳୟର ବିକାଶ କରିବାକୁ ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଥିଲେ।

ସମ୍ବନ୍ଧିତ ଖବର