ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସମୀକ୍ଷା ବୈଠକ: ଏଣିକି ସବୁ ସ୍କୁଲ ରଙ୍ଗ ଏକା ପ୍ରକାର

ଯୁକ୍ତ୨ କଲେଜର ତଦାରଖ କରିବେ ଡିଇଓ, ୧୫ ହଜାର ଏସ୍‌ଏଚ୍‌ଜିକୁ ସ୍କୁଲ ରକ୍ଷଣାବେକ୍ଷଣ ଦାୟିତ୍ବ

ଭୁବନେଶ୍ୱର: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନ ସମସ୍ତ ବିଦ୍ୟାଳୟ କୋଠାର ରଙ୍ଗ ଏକ ପ୍ରକାର ହେବ। ଏଥିସହ ସ୍କୁଲଗୁଡ଼ିକର ରକ୍ଷଣାବେକ୍ଷଣ, ମଧ୍ୟାହ୍ନଭୋଜନ ଓ ରୋଷେଇ, ବଗିଚାର କାର୍ଯ୍ୟ ଦାୟିତ୍ବ ୧୫ ହଜାର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ(ଏସ୍‌ଏଚ୍‌ଜି)ର ସଦସ୍ୟାଙ୍କୁ ପ୍ରଦାନ କରାଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଗଣଶିକ୍ଷା ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଆଜି ବସିଥିବା ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ) ଓ ଜିଲ୍ଲା ପ୍ରକଳ୍ପ ସଂଯୋଜକ(ଡିପିସି), ସମଗ୍ର ଶିକ୍ଷାଙ୍କ ସମୀକ୍ଷା ବୈଠକରେ ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ)ମାନଙ୍କୁ ଅଧିକ କ୍ଷମତା ପ୍ରଦାନ କରାଯାଇଛି। ଜିଲ୍ଲାରେ ଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟଗୁଡ଼ିକର ସମସ୍ୟା ଡିଇଓମାନେ ତଦାରଖ କରିବେ। ସମସ୍ତ ଆଦର୍ଶ ବିଦ୍ୟାଳୟ ପାଇଁ ଜମି ମିଳିସାରି ଥିବାରୁ ସେଠାରେ ଯୁଦ୍ଧକାଳୀନ ଭିତ୍ତିରେ କାମ କରିବା ଦିଗରେ ଡିଇଓମାନେ ପଦକ୍ଷେପ ନେବେ। ଆସନ୍ତା ବର୍ଷଠାରୁ ଆଦର୍ଶ ବିଦ୍ୟାଳୟଗୁଡ଼ିକର ସମସ୍ତ ଛାତ୍ରଛାତ୍ରୀ ଯେପରି ପାସ୍‌ କରିବେ ସେଥିପାଇଁ ସ୍କୁଲ ଅଧ୍ୟକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଯେହେତୁ ଏକାଦଶ ଓ ଦ୍ୱାଦଶ ଶ୍ରେଣୀ ଗଣଶିକ୍ଷା ବିଭାଗ ଅଧୀନକୁ ଆସିଛି, ତେଣୁ ଡିଇଓମାନେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତଥା ଯୁକ୍ତ୨ କଲେଜଗୁଡ଼ିକର ତଦାରଖ କରିବା ସହ ବିଭାଗର ସମସ୍ତ ନିର୍ଦ୍ଦେଶ ପାଳନ କରିବେ।

ଯୁକ୍ତ୨ କଲେଜର ତଦାରଖ କରିବେ ଡିଇଓ
୧୫ ହଜାର ଏସ୍‌ଏଚ୍‌ଜିକୁ ସ୍କୁଲ ରକ୍ଷଣାବେକ୍ଷଣ ଦାୟିତ୍ବ
ସେପ୍ଟେମ୍ବର ସୁଦ୍ଧା ୬୩ ହଜାର ଶିକ୍ଷକଙ୍କୁ ପଦୋନ୍ନତି
ନିୟମିତ ଭାବେ ଛାତ୍ରଛାତ୍ରୀଙ୍କ ୟୁନିଟ୍‌ ଟେଷ୍ଟ ହେବ

ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ(ଯୋଜନା) ଏଥିପାଇଁ ନୋଡାଲ ଅଧିକାରୀ ଭାବେ କାର୍ଯ୍ୟ କରିବେ। ରାଜ୍ୟ ସରକାରଙ୍କ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ଜନ କଲ୍ୟାଣକାରୀ ଯୋଜନା ଲାଭକୁ ଛାତ୍ରଛାତ୍ରୀଙ୍କ ପାଖରେ ପହଞ୍ଚାଇବା ପାଇଁ ଡିଇଓମାନେ ସେମାନଙ୍କର ମୋବାଇଲ୍‌ ନମ୍ବର ସଂଗ୍ରହ କରିବେ। ବିଭିନ୍ନ ସାମାଜିକ ବାର୍ତ୍ତାଗୁଡ଼ିକୁ ନିର୍ଦ୍ଧାରିତ ହୋର୍ଡିଂରେ ସ୍କୁଲର ମୁଖ୍ୟ ସ୍ଥାନଗୁଡ଼ିକରେ ଲଗାଯିବ। ଆସନ୍ତା ୧ ତାରିଖରେ ମାଧ୍ୟମିକ ଶିକ୍ଷକ ଚାକିରିରେ ନିଯୁକ୍ତି ପାଇଁ ଓଡ଼ିଶା ମାଧ୍ୟମିକ ଶିକ୍ଷା ଯୋଗ୍ୟତା ପରୀକ୍ଷା (ଓଏସ୍‌ଏସ୍‌ଟିଇଟି) ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା କରାଯିବ। ଏହାର ପରିଚାଳନା ପାଇଁ ଡିଇଓମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଏଣିକି ନିୟମିତ ଭାବେ ଛାତ୍ରଛାତ୍ରୀଙ୍କ ୟୁନିଟ୍‌ ଟେଷ୍ଟ କରାଯିବ। ସେଥିପାଇଁ ସମସ୍ତ ଜିଲ୍ଲା ରିସୋର୍ସ ଗ୍ରୁପ୍‌ ଜରିଆରେ ପ୍ରଧାନଶିକ୍ଷକଙ୍କ ପ୍ରଶିକ୍ଷଣକୁ ଶୀଘ୍ର ସାରିବାକୁ ମାଧ୍ୟମିକ ଶିକ୍ଷା ପରିଷଦକୁ ନିର୍ଦ୍ଦେଶ ଦିଆଯାଇଛି। ମଧ୍ୟାହ୍ନ ଭୋଜନ ପାଇଁ ଡିଇଓମାନେ ଚାଉଳ ଉଠାଇବେ ଏବଂ କାର୍ଯ୍ୟ ଦକ୍ଷତା ଗ୍ରେଡିଂ ଇନ୍‌ଡେକ୍ସ(ପିଜିଆଇ) ପରଫର୍ମାନ୍ସର ଉନ୍ନତି ପାଇଁ ପ୍ରଚେଷ୍ଟା କରିବେ। ଏହାବ୍ୟତୀତ ଭିତ୍ତିଭୂମି ଓ କୋଠାବାଡ଼ି ଉନ୍ନୟନରେ ଦିଆଯାଇଥିବା ଟଙ୍କା ଠିକ୍‌ ସମୟରେ ଖର୍ଚ୍ଚ କରିବାକୁ ସଚିବ ଶ୍ରୀ ସାହୁ ନିର୍ଦ୍ଦେଶ ଦେଇଛନ୍ତି। ସେପ୍ଟେମ୍ବର ସୁଦ୍ଧା ୬୩ ହଜାର ପ୍ରାଥମିକ ଶିକ୍ଷକଙ୍କୁ ପଦୋନ୍ନତି ଦିଆଯିବ। ଅନ୍ୟାନ୍ୟ ନିର୍ଦ୍ଦେଶଗୁଡ଼ିକୁ ପାଳନ କରିବା ପାଇଁ ବିଇଓମାନଙ୍କୁ ନେଇ ନିୟମିତ ବୈଠକ କରାଯିବ। ଚଳିତବର୍ଷଠାରୁ ନବମ ଓ ଦଶମ ଶ୍ରେଣୀର ସାହିତ୍ୟ ବହିରେ ‘ବନ୍ଦେ ଉତ୍କଳ ଜନନୀ’କୁ ଅନ୍ତର୍ଭୁକ୍ତ କରାଯାଇଛି। ୧୧୨୩ ହାଇସ୍କୁଲରେ ରୂପାନ୍ତରଣ କାର୍ଯ୍ୟକ୍ରମ ମାଧ୍ୟମରେ ସ୍ମାର୍ଟ କ୍ଲାସ/ଇ-ଲାଇବ୍ରେରି/ଲାବୋରେଟୋରି ବ୍ୟାପକ ଭାବେ କାର୍ଯ୍ୟକାରୀ ହେବ। ଏଥିପାଇଁ ପ୍ରତି ଜିଲ୍ଲାସ୍ତରରେ ସ୍ୱତନ୍ତ୍ର ଭାବେ ଇ-କଣ୍ଟେଟ୍‌ ସମୃଦ୍ଧ କରାଯିବ। ‘ମୋ ସ୍କୁଲ’ କାର୍ଯ୍ୟକ୍ରମରେ ୩୨ ହଜାର ୪୪୭ଟି ବିଦ୍ୟାଳୟ ସାମିଲ ହୋଇଛି। ଆଗାମୀ ଦିନରେ ଅଧିକରୁ ଅଧିକ ପ୍ରାଥମିକ ବିଦ୍ୟାଳୟକୁ ଯୋଜନାରେ ଅନ୍ତର୍ଭୁକ୍ତ କରିବା ପାଇଁ ମଧ୍ୟ ନିଷ୍ପତ୍ତି ହୋଇଛି।

ସମ୍ବନ୍ଧିତ ଖବର