ପୁରୀ ରଥଯାତ୍ରା ପାଇଁ ଅଗ୍ନିଶମ ବିଭାଗର ସମୀକ୍ଷା ବୈଠକ

ଭୁବନେଶ୍ବର : ଆସନ୍ତା ଜୁଲାଇ ୧ ତାରିଖରେ ବିଶ୍ବ ପ୍ରସିଦ୍ଧ ପୁରୀ ରଥଯାତ୍ରା। ସୁରକ୍ଷାକୁ ଦୃଷ୍ଟିରେ ରଖି ଅଗ୍ନିଶମ ବିଭାଗ ପକ୍ଷରୁ ଏକ ସମୀକ୍ଷା ବୈଠକ କରାଯାଇଛି। ଆଜି ବରମୁଣ୍ଡାସ୍ଥିତ ଓଡ଼ିଶା ଅଗ୍ନିଶମ ସେବା ଓ ବିପର୍ଯ୍ୟୟ ମୁକାବିଲା ଏକାଡେମିଠାରେ ଅନୁଷ୍ଠିତ ଏହି ବୈଠକରେ ଡିଜି(ଅଗ୍ନିଶମ) ସନ୍ତୋଷ ଉପାଧ୍ୟା‌ୟ ପୁରୀ ରଥଯାତ୍ରାକୁ ନେଇ ସ୍ଥିତି ସମୀକ୍ଷା କରିଥିଲେ। ରଥ ଯାତ୍ରା ସମୟରେ ପ୍ରାକୃତିକ ଦୁର୍ବିପାକ ହେଉ କି ଦୁର୍ଘଟଣା ବା ଅଗ୍ନିକାଣ୍ଡକୁ ନେଇ‌ ଯେଭଳି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନହୁଏ ସେଥିପାଇଁ ଅଗ୍ନିଶମ ବିଭାଗ ପକ୍ଷରୁ ବ୍ୟ‌ାପକ ପ୍ରସ୍ତୁତି କରାଯାଇଛି।

ରଥଯାତ୍ର ପୂର୍ବରୁ ଯେକୌଣସି ଦୁର୍ଘଟଣାଗ୍ରସ୍ତ ଯାନ ଏବଂ କୌଣସି ଅପ୍ରତ୍ୟାଶିତ ପରିସ୍ଥିତିର ସାମ୍ନା କରିବା ପାଇଁ ଦୁଇଟି କୁଇକ୍ ରେସପନ୍ସ ୟୁନିଟ୍‌ ମୁତୟନ କରାଯିବ। ଗୋଟିଏ ପିପିଲି ବାଇପାସ୍ ଛକ ଏବଂ ଅନ୍ୟଟି କୋଣାର୍କ ଛକ ନିକଟରେ ମୁତୟନ ହେବ। ସେହିପରି ରଥଯାତ୍ରା ସମୟରେ ୨୧ଟି ଦମକଳ, ୩ଟି ବଡ଼ ଦମକଳ, ଗୋଟିଏ ଉଦ୍ଧାରକାରୀ କ୍ରେନ୍‌, ଗୋଟିଏ ଅତ୍ୟାଧୁନିକ କ୍ରେନ୍‌ ମେସିନ୍‌, ୯ଟି କୁଇକ୍ ରେସପନ୍ସ ୟୁନିଟ୍‌, ୩ଟି ଅଗ୍ନି ଆମ୍ବୁଲାନ୍ସ, ୩ଟି ମିଷ୍ଟ ବାଇକ୍‌, ଫାୟାର ପମ୍ପ ଏବଂ ପାୱାର ଡଙ୍ଗା ଆବଶ୍ୟକୀୟ ମୁତାବକ ମୁତୟନ କରାଯିବ ବୋଲି ଅଗ୍ନିଶମ ଡିଜି ଶ୍ରୀ ଉପାଧ୍ୟାୟ କହିଛନ୍ତି। ଏହି ସମୟରେ ପୁରୀ ଜିଲ୍ଲାର ସମସ୍ତ ଫାୟାର ଷ୍ଟେସନକୁ କମ୍ବିଟୁଲ ପ୍ରଦାନ କରାଯିବା ସହ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାଛଡ଼ା ସମସ୍ତ ଅଗ୍ନିଶମ ବରିଷ୍ଠ ଅଧିକାରୀଙ୍କୁ ଓଡିଆର୍‌ଏଏଫ୍‌, ଏନ୍‌ଡିଆର୍‌ଏଫ୍‌ ଜିଲ୍ଲା ମାଜିଷ୍ଟ୍ରେଟ, ରେଳବାଇ କର୍ତ୍ତୃପକ୍ଷ, କୋଷ୍ଟଗାର୍ଡ, ରାଜ୍ୟ ପୁଲିସ ସଂଗଠନ ଏବଂ ଅନ୍ୟାନ୍ୟ ଲାଇନ ବିଭାଗ ସହ ସୁସମ୍ପର୍କ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ବିଭାଗ ଗୁଡ଼ିକ ପରସ୍ପର ମଧ୍ୟରେ ସମନ୍ବୟ ରକ୍ଷା କରି କାମ କରିବେ। ଆଜିର ସମୀକ୍ଷା ବୈଠକରେ ବରିଷ୍ଠ ଅଧିକାରୀ ମୁଖ୍ୟ ଅଗ୍ନିଶମ ଅଧିକାରୀ(ଏସ୍‌ଏଜି), କଟକ ମୁଖ୍ୟ ଅଗ୍ନିଶମ ଅଧିକାରୀ, ଓଏଫ୍‌ଡିଆର୍‌ଏର ଅଗ୍ନିଶମ ଅଧିକାରୀ, ପୁରୀ ଓଏସ୍‌ଡବ୍ଲ୍ୟୁଏଏଲ୍‌ଆଇ ଅଗ୍ନିଶମ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର