ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ସମୀକ୍ଷା ବୈଠକ : ମତଦାନ ଶେଷ ପର୍ଯ୍ୟାୟରେ ଭୋଟ ଦେବେ କୋଭିଡ୍‌ ଆକ୍ରାନ୍ତ

ନୋଡାଲ୍‌ ସ୍ବାସ୍ଥ୍ୟ ଅଧିକାରୀ ଭାବେ ଜଣେ ଲେଖାଏଁ ଅଭିଜ୍ଞ ଡାକ୍ତରଙ୍କୁ ନିୟୋଜିତ କରାଯିବ

ଭୁବନେଶ୍ୱର : ଭାରତ ନିର୍ବାଚନ କମିସନଙ୍କ ବିଜ୍ଞପ୍ତି ଅନୁସାରେ ବିହାର ବିଧାନସଭା ନିର୍ବାଚନ ସହିତ ଓଡ଼ିଶାରେ ଖାଲି ପଡ଼ିଥିବା ଦୁଇଟି ବିଧାନସଭା ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବ। ବିଧାନସଭା ଆସନ ୩୮-ବାଲେଶ୍ବର ଓ ୧୦୨- ତିର୍ତ୍ତୋଲ ନିର୍ବାଚନମଣ୍ଡଳୀରେ ଉପନିର୍ବାଚନ ନେଇ ଆଜି ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ଭିଡିଓ କନଫରେନ୍‌ସିଂ ଜରିଆରେ ବାଲେଶ୍ବର ଓ ଜଗତସିଂହପୁର ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଓ ଏସ୍‌ପିମାନଙ୍କ ସହ ସମୀକ୍ଷା କରିଛନ୍ତି।

ସମ୍ପ୍ରତ୍ତି କୋଭିଡ-୧୯ ପରିସ୍ଥିତିରେ ଏସବୁ ଉପନିର୍ବାଚନକୁ ସୁରୁଖୁରୁରେ ପରିଚାଳନା କରିବା ଏକ ଚାଲେଞ୍ଜ୍‌। ନିର୍ବାଚନ ସମୟରେ କୋଭିଡ ନିୟମକୁ କଡ଼ାକଡ଼ି ଭାବେ କିପରି ଅନୁପାଳନ କରାଯିବ, ସେ ନେଇ ବ୍ୟାପକ ଦୃଷ୍ଟି ଦିଆଯିବ। ଏଥିପାଇଁ ସାମାଜିକ ଦୂରତା, ଥର୍ମାଲ ସ୍କ୍ରିନିଂ, ମାସ୍କ୍‌ ବ୍ୟବହାର, ଗ୍ଲୋବ୍‌ସ୍‌ ପରିଧାନ, ସାନିଟାଇଜର୍‌ ବ୍ୟବହାର ଉପରେ ଗୁରୁତ୍ବାରୋପ କରାଯାଇଛି। ଉଭୟ ଭୋଟର ଓ ନିର୍ବାଚନ କାର୍ଯ୍ୟରେ ନିୟୋଜିତ କର୍ମଚାରୀମାନଙ୍କ ନିମନ୍ତେ ବ୍ୟାପକ ସଚେତନତା ସୃଷ୍ଟି ଉପରେ ଧ୍ୟାନ ଦିଆଯିବ। ନିର୍ବାଚନ ସମୟରେ ଜଣେ ଅଭିଜ୍ଞ ଡାକ୍ତରଙ୍କୁ ଜିଲ୍ଲା ଓ ନିର୍ବାଚନମଣ୍ଡଳୀ ସ୍ତରରେ ନୋଡାଲ୍‌ ସ୍ବାସ୍ଥ୍ୟ ଅଧିକାରୀ ଭାବେ ନିୟୋଜିତ କରିବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ ନିର୍ଦ୍ଦେଶ ଦେଇଛନ୍ତି। ଗୋଟିଏ ବୁଥରେ ସର୍ବାଧିକ ୧ ହଜାର ମତଦାତା ମତାଦାନ କରିପାରିବେ। ଜିଲ୍ଲା ନିର୍ବାଚନ ଅଧିକାରୀମାନେ ସମ୍ପୃକ୍ତ ରାଜନୈତିକ ଦଳର କର୍ମକର୍ତ୍ତାମାନଙ୍କ ସହ ଆଲୋଚନା କରି ଅତିରିକ୍ତ ବୁଥ ଗଠନ ଉପରେ ଗୁରୁତ୍ବ ଦେବେ। କୋଭିଡ୍‌ ଆକ୍ରାନ୍ତ ଭୋଟରଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବା ସହ ଆଇସୋଲେସନ୍‌ ସେଣ୍ଟର ଓ କୋଭିଡ୍‌ ସଂକ୍ରମିତ ଭୋଟରଙ୍କୁ ଭୋଟଦାନ ସମୟର ଶେଷ ପର୍ଯ୍ୟାୟରେ ମତଦାନ କରିବାକୁ ଅନୁମତି ପ୍ରଦାନ କରାଯିବ। ନିର୍ବାଚନ କାର୍ଯ୍ୟରେ ନିୟୋଜିତ କର୍ମଚାରୀମାନଙ୍କୁ ତାଲିମ ପ୍ରଦାନ, ଯାନବାହାନର ବ୍ୟବସ୍ଥା, ସୁରକ୍ଷା ବ୍ୟବସ୍ଥା, ଷ୍ଟ୍ରଙ୍ଗରୁମ୍‌ ଓ ଭୋଟଗଣତି କେନ୍ଦ୍ର ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଭବାନୀ ପ୍ରସାଦ ରାୟ, ଯୁଗ୍ମ ମୁଖ୍ୟ ନିର୍ବାଚନ ଅଧିକାରୀ ଶତ୍ରୁଘ୍ନ କର ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର
AdBlock Detected

Looks like you are using an ad-blocking browser extension. We request you to whitelist our website on the ad-blocking extension and refresh your browser to view the content.