କଟକ ସହରର ସୌନ୍ଦର୍ଯ୍ୟୀକରଣ ନେଇ ସମୀକ୍ଷା ବୈଠକ

ଭୁବନେଶ୍ବର : କଟକର ମଧୁପାଟଣାଠାରୁ ବାଦାମବାଡ଼ି ରାସ୍ତା, କଟକ ରେଳ ଷ୍ଟେସନ୍‌ଠାରୁ ରେଭେନ୍‌ସା କଲେଜ୍‌, ମଙ୍ଗଳାବାଗ୍‌ ରୋଡ଼୍‌, ଯୋବ୍ରା ରୋଡ୍‌ ଓ ସତୀଚଉରା ରୋଡ଼୍‌ଗୁଡ଼ିକର ପ୍ରଶସ୍ତୀକରଣ କରାଯିବ। ଏହାସହିତ ସେହି ସ୍ଥାନମାନଙ୍କରେ ବୃକ୍ଷରୋପଣ କରାଯାଇ ଆଲୋକୀକରଣର ବ୍ୟବସ୍ଥା କରାଯିବ। ଆଜି ଲୋକସେବା ଭବନରେ କଟକ ସହରର ସୋନ୍ଦର୍ଯ୍ୟୀକରଣ ଉପରେ ଆୟୋଜିତ ସମୀକ୍ଷା ବୈଠକରେ ଏପରି ନିର୍ଦ୍ଦେଶ ଦେଇଛନ୍ତି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା। ଅତ୍ୟାଧୁନିକ ପଦ୍ଧତିରେ ସହରର ପରିମଳ ବ୍ୟବସ୍ଥାର ଉନ୍ନତିକରଣ କରିବା ସହ ଐତିହାସିକ କଟକ ସହରକୁ ସ୍ମାର୍ଟ୍‌ ସିଟିରେ ପରିଣତ କରିବା ଉପରେ ମନ୍ତ୍ରୀ ଗୁରୁତ୍ବ ଦେଇଥିଲେ। ସହରର ଜନସଂଖ୍ୟାକୁ ଦୃଷ୍ଟିରେ ରଖି ପର୍ଯ୍ୟାପ୍ତ ସପିଂ ମଲ୍‌, ବିବାହ ମଣ୍ଡପ ଇତ୍ୟାଦି ନିର୍ମାଣ ସମ୍ପର୍କରେ ବିଭାଗୀୟ ଅଧିକାରୀମାନଙ୍କୁ ସେ ପରାମର୍ଶ ଦେଇଥିଲେ।

ବୈଠକରେ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି, କଟକ ମହାନଗର ନିଗମ କମିସନର ଅନନ୍ୟା ଦାସ, ନିର୍ବାହୀ ଅଧିକାରୀ ରମେଶ କୁମାର ମହାନ୍ତି, ପୂର୍ବତନ କର୍ପୋରେଟର୍‌ ରଞ୍ଜନ କୁମାର ବିଶ୍ବାଳ, ସି଼ଡିଏର ଆଇନ ଅଧିକାରୀ ଜ୍ଞାନଚନ୍ଦ୍ର ପ୍ରସାଦ ସାମଲ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର