ଋଣ ପୁନର୍ବିନ୍ୟା‌ସ, ବୀମା କ୍ଷତିପୂରଣ ନେଇ ବୈଠକ : ବ୍ୟବସାୟିକ କାରବାର ସ୍ବାଭାବିକ କରାଇବା ଉପରେ ଗୁରୁତ୍ବାରୋପ

କେନ୍ଦ୍ର-ରାଜ୍ୟ ମଧ୍ୟରେ ହେଲା ଆଲୋଚନା, ବ୍ୟାଙ୍କର୍ସ କମିଟିର ସ୍ବତନ୍ତ୍ର ଟାସ୍କ ଫୋର୍ସ ବୈଠକ, ୪୯୫ କୋଟିର ସମ୍ପତ୍ତି ନଷ୍ଟ ନେଇ ବୀମା କମ୍ପାନିଙ୍କ ଆକଳନ

ଭୁବନେଶ୍ବର : ବାତ୍ୟା ପ୍ରଭାବିତ ଅଞ୍ଚଳରେ ବ୍ୟବସାୟିକ କାରବାର କିପରି ସ୍ବାଭାବିକ ହେବ, ତାହା ଏବେ ବଡ଼ ପ୍ରସଙ୍ଗ। ପୁରୀରେ ହୋଟେଲ୍‌ ଶିଳ୍ପ ସମେତ ଭୁବନେଶ୍ବର, କଟକ ଓ ପୁରୀରେ ଅନ୍ୟ ବହୁ ଶିଳ୍ପ ସଂସ୍ଥା ଓ ବ୍ୟବସାୟିକ ସଂସ୍ଥା ସାଂଘାତିକ କ୍ଷତି ସହିଛନ୍ତି। ସେମାନଙ୍କ ଋଣ ପରିଶୋଧ ବ୍ୟବସ୍ଥାର ପୁନର୍ବିନ୍ୟାସ, ପୁନରୁଦ୍ଧାର ପାଇଁ ନୂଆ ଋଣ ଯୋଗାଣ, ସୁଧ ହାର ହ୍ରାସ, ବୀମା ଟଙ୍କା ତୁରନ୍ତ ପ୍ରଦାନ ଆଦି ବ୍ୟବସ୍ଥା ନେଇ କେନ୍ଦ୍ର-ରାଜ୍ୟ ମଧ୍ୟରେ ଆଜି ଏକ ଉଚ୍ଚସ୍ତରୀୟ ସମୀକ୍ଷା କରାଯାଇଛି। କେନ୍ଦ୍ର ସରକାରଙ୍କ ଅର୍ଥ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ଭୁବନେଶ୍ବର ଆସି ଏସବୁ ପ୍ରସଙ୍ଗ‌ରେ ଆଲୋଚନା କରିଛନ୍ତି। ପୁଣି ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟିର ସ୍ବତନ୍ତ୍ର ଟାସ୍କ ଫୋର୍ସ ବୈଠକ ଡକାଯାଇ ଋଣ ସଂକ୍ରାନ୍ତରେ ଆଲୋଚନା ହୋଇଛି। ଖୁବ୍ ଶୀଘ୍ର ସମାଧାନର ବାଟ ବାହାର କରାଯବ ବୋଲି ବ୍ୟବସାୟୀମାନଙ୍କୁ ଆଶ୍ବାସନା ବି ଦିଆଯାଇଛି।

ପ୍ରଥମେ ରାଜ୍ୟ ଅତିଥି ଭବନରେ ଭାରତ ସରକାରଙ୍କ ଅର୍ଥ ବିଭାଗର ଅତିରିକ୍ତ ଶାସନ ସଚିବ ଦେବାଶିଷ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ କୁହାଯାଇଥିଲା ବାତ୍ୟାରେ ୪୯୫ କୋଟିର ସମ୍ପତ୍ତି ନଷ୍ଟ ହୋଇଥିବା ନେଇ ବୀମା କମ୍ପାନିମାନେ ଆକଳନ କରିଛନ୍ତି। ବୀମା କମ୍ପାନିମାନେ ସେମାନଙ୍କ ପାଖରେ ଆବଶ୍ୟକ ସଂଖ୍ୟକ ସର୍ଭେୟର ନଥାଇ ବି ପଡ଼ୋଶୀ ରାଜ୍ୟ ଆନ୍ଧ୍ର ପ୍ରଦେଶ, ପଶ୍ଚିମ ବଙ୍ଗଳାରୁ ସର୍ଭେୟର କର୍ମଚାରୀ ଆଣି କ୍ଷୟକ୍ଷତି ଆକଳନକୁ ତ୍ବାରାନ୍ବିତ କରିଛନ୍ତି। ଫସଲ କ୍ଷୟକ୍ଷତି ରିପୋର୍ଟ ରାଜ୍ୟ ସରକାର ପ୍ରଦାନ କରିବାପରେ ବୀମାଭୁକ୍ତ ହୋଇଥିବା ଫସଲର କ୍ଷତିପୂରଣ ପ୍ରଦାନ କରାଯିବ ‌େବାଲି ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି।

ବ୍ୟାଙ୍କିଙ୍ଗ୍ ଓ ଏଟିଏମ୍ ସେବା କାର୍ଯ୍ୟକ୍ଷମ ହେବା ପ୍ରସଙ୍ଗରେ ଶ୍ରୀ ପଣ୍ଡା କହିଛନ୍ତି, ବାତ୍ୟା ପ୍ରଭାବିତ ଅଞ୍ଚଳରେ ବର୍ତ୍ତମାନ ସୁଦ୍ଧା ୯୯% ବ୍ୟାଙ୍କ ସେବା କାର୍ଯ୍ୟକ୍ଷମ ହେଲାଣି। ଆସନ୍ତା ୪ରୁ ୫ ଦିନ ମଧ୍ୟରେ ସମସ୍ତ ଏଟିଏମଗୁଡ଼ିକୁ କାର୍ଯ୍ୟକ୍ଷମ କରିବାକୁ ବ୍ୟାଙ୍କମାନେ ପ୍ରତିଶ୍ରୁତି ଦେଇଛନ୍ତି।

ରାଜ୍ୟ ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଅଶୋକ କୁମାର ମୀନା କହିଛନ୍ତି, ବର୍ତ୍ତମାନ ରାଜ୍ୟରେ ୬୮% ଏଟିଏମ୍ କାର୍ଯ୍ୟକ୍ଷମ ହୋଇଛି। ଆଜି ସନ୍ଧ୍ୟା ସୁଦ୍ଧା ପୁରୀ ସହରରେ ୪୦% ଏଟିଏମ୍ କାର୍ଯ୍ୟକ୍ଷମ ହୋଇଯିବ। ଏଟିଏମ କାର୍ଯ୍ୟକ୍ଷମ ହେଲେ ଲୋକମାନଙ୍କ ପାଖରେ ନଗଦ ଟଙ୍କା ଉପଲବ୍ଧ ହେବାରେ ସୁବିଧା ଆସିବ। ସୁକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ପାଇଁ ପ୍ରଦାନ କରାଯାଇଥିବା ଋଣର ପୁନର୍ବିନ୍ୟାସ କରିବାକୁ ସରକାର ବ୍ୟାଙ୍କର୍ସ ଓ ଭାରତ ସରକାରଙ୍କୁ ଅନୁରୋଧ କରିଛନ୍ତି। ଭାରତୀୟ ଷ୍ଟେଟବ୍ୟାଙ୍କର ଭୁବନେଶ୍ବର ସର୍କଲ ମୁଖ୍ୟ ମହାପ୍ରବନ୍ଧକ ପ୍ରବୀଣା କାଲା କହିଥିଲେ, ଆରବିଆଇର ମାଷ୍ଚର ସର୍କୁଲାର ଅନୁଯାୟୀ ଯେଉଁ ଋଣଗ୍ରହୀତା ଇଏମଆଇ ଖିଲାପ କରିନଥିବେ ସେମାନଙ୍କ ପାଇଁ ଇଏମଆଇ ପରିମାଣ ହ୍ରାସ କରିବା ସହ ସୁଧ ମଧ୍ୟ ହ୍ରାସ କରିବା ପାଇଁ ବିଚାର କରାଯାଇପାରିବ। ଏପରିକି ସେମାନଙ୍କୁ ପ୍ରଦାନ କରିବାକୁ ଥିବା ନୂଆ ଋଣ ଉପରେ ଏକ ବର୍ଷ ପର୍ଯ୍ୟନ୍ତ ମୋରାଟୋରିଅମ ମଧ୍ୟ ଦିଆଯାଇପାରିବ। ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ବିନାସୁଧରେ ଋଣ ପ୍ରଦାନ କରିବା ଆରମ୍ଭ କରାଯାଇଛି।

ଋଣ ପୁନର୍ବିନ୍ୟାସ ନେଇ ସଚିବାଳୟରେ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟିର ସ୍ବତନ୍ତ୍ର ଟାସ୍କ ଫୋର୍ସ ବୈଠକ ହୋଇଥିଲା। ଏଥିରେ ଏମଏସଏମଇ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଲକ୍ଷ୍ମୀନାରାୟଣ ଗୁପ୍ତା କହିଥିଲେ, ଆର୍‌ବିଆଇର ମାଷ୍ଟର ନିର୍ଦ୍ଦେଶ ମୁତାବକ ପ୍ରାକୃତିକ ଦୁର୍ବିପାକ ପ୍ରଭାବିତ ଅଞ୍ଚଳରେ ଏମଏସଏମଇ ଶିଳ୍ପମାନେ ନେଇଥିବା ଋଣ ପୁନର୍ବିନ୍ୟାସର ସର୍ବନିମ୍ନ ୯୦ ଦିନ ସମୟକୁ ଋଣ ବିନ୍ୟାସ କ୍ଷେତ୍ରରେ କୋହଳ କରିବା ସହିତ ସୁଧହାର ହ୍ରାସ କରିବା ଉପରେ ବିଚାର କରିବାକୁ କୁହାଯାଇଥିଲା। ଏହାଦ୍ବାରା ଏମଏସଏମଇମାନଙ୍କ ନିକଟରେ ନଗଦ ଅର୍ଥ ପହଞ୍ଚିବାରେ କୌଣସି ସମସ୍ୟା ରହିବ ନାହିଁ। ସେହିପରି ପ୍ରଧାନମନ୍ତ୍ରୀ ନିଯୁକ୍ତି ସୃଜନ କାର୍ଯ୍ୟକ୍ରମରେ ବିଚାରାଧୀନ ଥିବା ‘ଫନି’ ପ୍ରଭାବିତ ଜିଲ୍ଲାଗୁଡ଼ିକୁ ଆସିଥିବା ୫୨୫୮ଟି ପ୍ରକଳ୍ପ ଦରଖାସ୍ତକୁ ମଞ୍ଜୁର କରିବା ନିମନ୍ତେ ତ୍ବରିତ ନିଷ୍ପତ୍ତି ନେବାକୁ ବ୍ୟାଙ୍କରମାନଙ୍କୁ କୁହାଯାଇଥିଲା। ଏ ନେଇ କେଭିଆଇସିର ରାଜ୍ୟ ନିର୍ଦ୍ଦେଶକ କହିଥିଲେ, ଚଳିତ ବର୍ଷ ମାର୍ଜିନ ମନି ଆସିଷ୍ଟାନ୍ସ ଟାର୍ଗେଟ ପାଣ୍ଠିରେ ୧୦୭ କୋଟି ଟଙ୍କା ଉପଲବ୍ଧ ଅଛି। ବାତ୍ୟା ଦ୍ବାରା ପ୍ରଭାବିତ ଅଞ୍ଚଳରେ ପ୍ରଥମ ଋଣ ପରିଶୋଧ କରିଥିବା ହିତାଧିକାରୀଙ୍କୁ ୧ କୋଟି ଟଙ୍କା ଦ୍ବିତୀୟ ଋଣ ପ୍ରଦାନ କରାଯିବ। ବାତ୍ୟା ପ୍ରଭାବିତ ଅଞ୍ଚଳରେ ଜୀବିକାର ପୁନରୁଦ୍ଧାର ପାଇଁ ବ୍ୟାଙ୍କ ଶାଖାମାନେ ମୁଦ୍ରା, ପିଏ//ମ୍‌ଇଜିପି, ଓ ଷ୍ଟାର୍ଟ-ଅପ୍ ଯୋଜନାରେ ଏମଏସଏମଇମାନଙ୍କୁ ନୂଆ ଋଣ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସମ୍ବନ୍ଧିତ ଖବର