କନ୍ଧମାଳ ଜିଲ୍ଲାରେ ଶାନ୍ତି ଶୃଙ୍ଖଳା ଓ ଅବାଧ ଭାବେ ମାଟ୍ରିକ ପରୀକ୍ଷା ସୁପରିଚାଳନା ଉପରେ ଜିଲ୍ଲାପାଳଙ୍କ ଗୁରୁତ୍ୱ : ବିଭ୍ରାଟ କିମ୍ବା ବିଶୃଙ୍ଖଳା ହେଲେ ଦୃଢ କାର୍ଯ୍ୟାନୁଷ୍ଠାନ
ଗେଟରେ କପି ଯାଞ୍ଚ କଡାକଡି, କେନ୍ଦ୍ର ଭିତରକୁ ମୋବାଇଲ ମନା
କେନ୍ଦ୍ର ଅଧିକ୍ଷକଙ୍କୁ ପରୀକ୍ଷା ସୁପରିଚାଳନାର ମନ୍ତ୍ର ଦେଲେ ଜିଲ୍ଲାପାଳ
Sambad is now on WhatsApp
Join and get latest news updates delivered to you via WhatsApp
ଫୁଲବାଣୀ : ମାଟ୍ରିକ ପରୀକ୍ଷାକୁ ଆଉ ମାତ୍ର ୫ ଦିନ। ଆସନ୍ତା ୧୯ରୁ ମାଟ୍ରିକ ପରୀକ୍ଷା ହେବାକୁ ଯାଉଥିବା ବେଳେ କନ୍ଧମାଳ ଜିଲ୍ଲାରେ ଶାନ୍ତି ଶୃଙ୍ଖଳା ଓ ଅବାଧ ଭାବେ ପରୀକ୍ଷା ସୁପରିଚାଳନା ଉପରେ ଜିଲ୍ଲାପାଳ ଡା.ବୃନ୍ଦା ଡି ଗୁରୁତ୍ବ ଦେଇଛନ୍ତି। ଏ ନେଇ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ଗୃହଠାରେ ଜିଲ୍ଲାର ସମସ୍ତ ମାଟ୍ରିକ ପରୀକ୍ଷା କେନ୍ଦ୍ରର ଅଧିକ୍ଷକମାନଙ୍କୁ ନେଇ ପରୀକ୍ଷା ପରିଚାଳନା ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ଜିଲ୍ଲାପାଳ ପରୀକ୍ଷା ପରିଚାଳନା ଶୃଙ୍ଖଳିତ କିଭଳି ହେବ ସେ ନେଇ ଆଲୋକପାତ କରିଥିଲେ।
କେନ୍ଦ୍ର ଭିତରକୁ ଯିବା ପୂର୍ବରୁ ଛାତ୍ରଛାତ୍ରୀଙ୍କ ପାଖରୁ କପି ଯାଞ୍ଚ କରାଯିବ। ତାପରେ କ୍ଲାସ ରୁମରେ ବି ଯାଞ୍ଚ ହେବ। କେହି ଯେଭଳି କେନ୍ଦ୍ର ଭିତରକୁ ମୋବାଇଲ ନ ନେବେ ସେଥି ପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ଅଧିକ୍ଷକମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଯଦି ବାହାର ଲୋକ କେହି କପି ଯୋଗାଇବାକୁ ଉଦ୍ୟମ କରନ୍ତି ତାହା ହେଲେ ତୁରନ୍ତ ପୁଲିସକୁ ଜଣାଇବାକୁ ସେ କହିଥିଲେ। ପ୍ରଶ୍ନପତ୍ର ଯେଭଳି ଭାଇରାଲ ନ ହେବ ସେଥି ପ୍ରତି କଡା ନଜର ରଖିବାକୁ ସେ କହିଥିଲେ। ମୋଟ ଉପରେ କହିବାକୁ ଗଲେ ଯଦି ପରୀକ୍ଷା ପରିଚାଳନାରେ ବିଭ୍ରାଟ କିମ୍ବା ବିଶୃଙ୍ଖଳା ହୁଏ ତାହା ହେଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ସତର୍କ କରାଇ ଦେଇଥିଲେ।
ଜିଲ୍ଲା ଶିକ୍ଷା ଅଧିକାରୀ ବିକାଶଚନ୍ଦ୍ର ପ୍ରଧାନ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ମାନସ ଜେନା,ଜିଲ୍ଲା ମଂଗଳ ଅଧିକାରୀ ଶେଷଦେବ ବେହେରା, ମଂଗଳ ବିଭାଗ ମଣ୍ଡଳାଧୀଶ ପ୍ରହଲ୍ଲାଦ ବେହେରା ପ୍ରମୁଖ ମାଟ୍ରିକ ପରୀକ୍ଷା ଶାନ୍ତିଶୃଙ୍ଖଳାର ସହ ସୁପରିଚାଳନା ନେଇ କେନ୍ଦ୍ର ଅଧିକ୍ଷକମାନଙ୍କୁ ଟିପସ୍ ଦେଇଥିଲେ। ଏହି ବୈଠକରେ ସବୁ ବ୍ଳକ ଶିକ୍ଷା ଅଧିକାରୀ ଏବଂ ସବୁ ପରୀକ୍ଷା କେନ୍ଦ୍ରର ଅଧିକ୍ଷକ ଉପସ୍ଥିତ ଥିଲେ। ଚଳିତ ବର୍ଷ କନ୍ଧମାଳ ଜିଲ୍ଲାରୁ ୨୦୫ ସ୍କୁଲର ୧୦ ହଜାର ୮୪୮ ଜଣ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେବେ। ଏଥି ନିମନ୍ତେ ସମୁଦାୟ ୫୮ଟି କେନ୍ଦ୍ର ନିର୍ଦ୍ଧାରିତ ହୋଇଛି। ଏଥିରୁ ୨୧ଟି ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲାଗିବାର ବ୍ୟବସ୍ଥା କରାଯାଇଛି। ପ୍ରଶ୍ନପତ୍ର ସୁରକ୍ଷିତ ରହିବା ପାଇଁ ୧୭ଟି ନୋଡାଲ ସେଣ୍ଟର ହୋଇଥିବା ବେଳେ ସେଥି ମଧ୍ୟରୁ ୭ଟି ରହିଛି ଥାନା।