ସରକାରଙ୍କୁ ଘାରିଲାଣି ରାଜସ୍ୱ ଚିନ୍ତା

ଲଘୁ ଖଣିଜରୁ ୧୦୦୦ କୋଟି ଆଦାୟ ଲକ୍ଷ୍ୟ
୧୧୨୯ଟି ନୂଆ ସୈରାତ ଚିହ୍ନଟ
ଆଉ ୧୪୯୬ଟି ସୈରାତର ନିଲାମ ପାଇଁ ପ୍ରସ୍ତୁତି
ଚୋରା ଖଣିଜ ଖନନ, ପରିବହନ ଉପରେ ରହିବ କଡ଼ା ନଜର

ଭୁବନେଶ୍ବର : ଗୋଟିଏ ପଟେ କରୋନା ମହାମାରୀର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ଖର୍ଚ୍ଚ ବଢ଼ିବାରେ ଲାଗିଛି। ଅନ୍ୟପଟେ ଉଦ୍ୟୋଗ ଜଗତରେ ଉତ୍ପାଦନ ବ୍ୟାହତ ଓ ବ୍ୟବସାୟ ବାଧାପ୍ରାପ୍ତ ହେବା କାରଣରୁ ରାଜସ୍ବ ଆଦାୟ ସାଂଘାତିକମାତ୍ରାରେ ପ୍ରଭାବିତ ହୋଇଛି। ଫଳରେ ରାଜସ୍ବ ଆଦାୟ ବୃଦ୍ଧି କରି ବର୍ଦ୍ଧିତ ଖର୍ଚ୍ଚ ତୁଲାଇବା ଏବେ ସରକାରଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଲାଣି। ଏଥିପାଇଁ ସରକାର କେଉଁସବୁ କ୍ଷେତ୍ରରୁ ଅଧିକ ରାଜସ୍ବ ଆଦାୟ କରାଯାଇ ପାରିବ ତାହା ଉପରେ ଆଖି ପକାଇବା ଆରମ୍ଭ କରିଦେଇଛନ୍ତି। ଏହି କ୍ରମରେ ଆଜି ରାଜ୍ୟ ସରକାର ରାଜ୍ୟର ଲଘୁ ଖଣିଜ ସାମଗ୍ରୀରୁ କିଭଳି ଅଧିକ ରାଜସ୍ବ ଆଦାୟ କରାଯାଇ ପାରିବ ତାହା ଉପରେ ଜୋରଦାର ମାନସମନ୍ଥନ କରିଛନ୍ତି। ଲଘୁ ଖଣିଜରୁ ଅତିକମ୍‌ରେ ୧୦୦୦ କୋଟି ଟଙ୍କାର ରାଜସ୍ବ ଚଳିତ ଆର୍ଥିକ ବର୍ଷରେ ଆଦାୟ କରିବା ପାଇଁ ଲୋକସେବା ଭବନରେ ଆୟୋଜିତ ଏକ ଉଚ୍ଚସ୍ତରୀୟ ବୈଠକରେ ମୁଖ୍ୟ ଶାସନ ସଚିବ ଅସିତ୍ କୁମାର ତ୍ରିପାଠୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ବେଆଇନ ଖଣିଜ ସାମଗ୍ରୀ ପରିବହନକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ଓଡ଼ିଶା ଶିଳ୍ପ ସୁରକ୍ଷା ବଳ (ଓଆଇଏସଏଫ)କୁ ଏହି କାର୍ଯ୍ୟରେ ମୁତୟନ କରିବାକୁ ମୁଖ୍ୟ ସଚିବ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।

ଲଘୁ ଖଣିଜର ଚାହିଦା ଏବଂ ଯୋଗାଣ ମଧ୍ୟରେ ରହିଥିବା ପାର୍ଥ୍ୟକକୁ ପୂରଣ କରିବା ପାଇଁ ନୂଆ ନୂଆ ସୈରାତ ଉତ୍ସର ସନ୍ଧାନ କରିବା ପାଇଁ ମୁଖ୍ୟ ସଚିବ ଏହି ଅବସରରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଅଧିକରୁ ଅଧିକ ସୈରାତ ଉତ୍ସରୁ ଆଇନଗତ ଭାବେ ଲଘୁ ଖଣିଜ ସଂଗ୍ରହ କରାଯାଇ ପାରିଲେ ଏହାର ଏକାଧିକ ଅନୁକୂଳ ପ୍ରଭାବ ଅର୍ଥନୀତି ଉପରେ ପଡ଼ିବ। ପ୍ରଥମତଃ ଶ୍ରମଭିତ୍ତିକ ନିର୍ମାଣ କ୍ଷେତ୍ର ଲାଗି ଆବଶ୍ୟକ ହେଉଥିବା ବାଲି ଉପଲବ୍ଧ ହୋଇପାରିବ। ଦ୍ବିତୀୟତଃ ଏ କ୍ଷେତ୍ରରେ ହେଉଥିବା ଚୋରିକୁ ରୋକାଯାଇପାରିବ। ତୃତୀୟତଃ ରାଜ୍ୟ ସରକାରଙ୍କ ରାଜସ୍ବ ମଧ୍ୟ ବଢ଼ିପାରିବ।

ବୈଠକରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ଯୋଗଦେଇ କହିଥିଲେ, ଗତ କିଛି ମାସ ମଧ୍ୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ୧୧୨୯ଟି ନୂଆ ସୈରାତ ଉତ୍ସ ଚିହ୍ନଟ କରାଯାଇଛି। ଏଥିଯୋଗୁଁ ରାଜ୍ୟରେ ଲଘୁ ଖଣିଜ ସୈରାତ ଉତ୍ସ ସଂଖ୍ୟା ୪୯୬୫କୁ ବୃଦ୍ଧି ପାଇବ ବୋଲି ସେ କହିଥିଲେ। ରାଜ୍ୟରେ ଖୁବ୍ କମ୍ ସମୟ ମଧ୍ୟରେ ଲଘୁ ଖଣିଜ ନିର୍ଦ୍ଦେଶାଳୟ ସ୍ଥାପନ କରାଯାଇ ପାରିଛି ବୋଲି ସେ କହିଥିଲେ।

ରାଜ୍ୟର ସବୁ ପ୍ରମୁଖ ନଦୀ ଯଥା ମହାନଦୀ, ବୈତରଣୀ, ବ୍ରାହ୍ମଣୀ, ଋଷିକୁଲ୍ୟା, ସୁବର୍ଣ୍ଣରେଖା ଆଦିର ଶଯ୍ୟାରେ ଅନେକ ସ୍ଥାନ ରହିଛି ଯେଉଁଠାରୁ ନିର୍ମାଣ କାମ ପାଇଁ ବାଲି ଉଠାଯାଇ ପାରିବ। ଜଳସଂପଦ ଏବଂ ଜଙ୍ଗଲ ଓ ପରିବେଶ ବିଭାଗର ସହଯୋଗରେ ଏସବୁ ସ୍ଥାନର ଚିହ୍ନଟ କରିବାକୁ ମୁଖ୍ୟ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ବାଲି ଖନନ ନେଇ ଏକ ଯୋଜନା ପ୍ରସ୍ତୁତ କରିବା ସହିତ ପ୍ରତିଯୋଗିତାମୂଳକ ନିଲାମ ମାଧ୍ୟମରେ ଅନ୍ୟ ରାଜ୍ୟକୁ ବାଲି ପରିବହନ କରିବା ଲାଗି ମଧ୍ୟ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଲଘୁ ଖଣିଜର ଚୋରିକୁ ଯେଭଳି ସଫଳତାର ସହ ରୋକାଯାଇ ପାରିବ ସେଥିପାଇଁ ଜଗାରଖା କାର୍ଯ୍ୟ ସୁଦୃଢ଼ କରିବାକୁ ମୁଖ୍ୟ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ଓଆଇଏସ୍‌ଏଫ୍‌କୁ ଏହି କାର୍ଯ୍ୟରେ ନିୟୋଜିତ କରିବା ପାଇଁ ମୁଖ୍ୟ ସଚିବ ଜିଲ୍ଲାପାଳ ଓ ଏସପିମାନଙ୍କୁ କହିଛନ୍ତି। ଚୋରାରେ ଖଣିଜ ପଦାର୍ଥ ଖନନ କରୁଥିବା ଏବଂ ପରିବହନ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ମୁଖ୍ୟ ସଚିବ ନିର୍ଦ୍ଦେଶ ଦେଇଛନ୍ତି।

ବୈଠକରେ ଖଣି ନିର୍ଦ୍ଦେଶକ ବିଭୂତି ଭୂଷଣ ଦାସ ଯୋଗଦେଇ ସୂଚନା ଦେଇଥିଲେ ଚଳିତ ଆର୍ଥିକ ବର୍ଷର ପ୍ରଥମ ଦୁଇମାସରେ ଲଘୁ ଖଣିଜ ସାମଗ୍ରୀରୁ ୩୭.୧୧ କୋଟି ଟଙ୍କାର ରାଜସ୍ବ ଆଦାୟ ହୋଇଛି। ଏଥିସହିତ ରାଜ୍ୟରେ ଆଉ ୧୪୯୬ଟି ସୈରାତର ନିଲାମ କାର୍ଯ୍ୟ ଠିକ୍ ସମୟରେ ସାରିବା କାର୍ଯ୍ୟ ଯଥେଷ୍ଟ ଅଗ୍ରଗତି କରିଛି। ଏଥିପାଇଁ ଖନନ ଯୋଜନା ପ୍ରସ୍ତୁତ, ପରିବେଶ ଅନୁମତି ହାସଲ ଆଦି କାର୍ଯ୍ୟ ଏବଂ ନିଲାମ ଆଦି କାର୍ଯ୍ୟ ପାଇଁ ପ୍ରକ୍ରିୟା ଚାଲିଛି।

ମିଳିଥିବା ସୂଚନା ଅନୁଯାୟୀ, ପ୍ରଥମ ପର୍ଯ୍ୟାୟରେ ଲଘୁ ଖଣିଜ ଦୃଷ୍ଟିରୁ ୮ଟି ଗୁରୁତ୍ବପୂର୍ଣ୍ଣ ଜିଲ୍ଲାର ୧୦ଟି ସ୍ଥାନରେ ଓଆଇଏସଏଫର ୧୦ଟି ସେକ୍ସନକୁ ମୁତୟନ କରିବାକୁ ନିଷ୍ପତ୍ତି ନିଆଯାଇଛି। କଟକ ସଦର, ବାରଙ୍ଗ, ଜଳେଶ୍ବର, ଆନନ୍ଦପୁର, ଛତ୍ରପୁର, ଭଞ୍ଜନଗର, ଧର୍ମଶାଳା, ଟାଙ୍ଗି ଏବଂ ରଣପୁରଠାରେ ଓଆଇଏସଏଫ ମୁତୟନ ପାଇଁ ମଞ୍ଜୁରି ଦିଆଯାଇଛି। ଏତଦବ୍ୟତୀତ ଝାରସୁଗୁଡ଼ା, ଲଖନପୁର, ବ୍ରଜରାଜନଗରରେ ରୋଟେସନ ଭିତ୍ତିରେ ଓଆଇଏସଏଫ ମୁତୟନ ପାଇଁ ନିଷ୍ପତ୍ତି ହୋଇଛି। ଏସବୁ ସ୍ଥାନରେ ମୁତୟନ ହୋଇଥିବା ଓଆଇଏସଏଫ ବାହିନୀକୁ ଆବଶ୍ୟକତା ଅନୁଯାୟୀ ଅନ୍ୟ କୌଣସି ତହସିଲ ଓ ଉପଖଣ୍ଡକୁ ପଠାଯାଇପାରିବେ ବୋଲି ବୈଠକରେ ମୁଖ୍ୟ ସଚିବ କହିଥିଲେ। ଆଜିର ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଉନ୍ନୟନ କମିସନର ସୁରେଶ କୁମାର ମହାପାତ୍ର, ଅତିରିକ୍ତ ମୁଖ୍ୟ ଶାସନ ସଚିବ(ଇସ୍ପାତ ଓ ଖଣି) ରାଜ କୁମାର ଶର୍ମା, ଅର୍ଥ ବିଭାଗର ପ୍ରମୁଖ ସଚିବ ଅଶୋକ କୁମାର ମୀନା ପ୍ରମୁଖ ଯୋଗଦେଇଥିଲେ।

ସମ୍ବନ୍ଧିତ ଖବର