ରାୟଗଡ଼ା ଜିଲ୍ଲାରେ କୋଭିଡ୍‌ ପରିଚାଳନା ନେଇ ସମୀକ୍ଷା

ଭୁବନେଶ୍ବର : ରାୟଗଡ଼ା ଜିଲ୍ଲରେ କୋଭିଡ୍‌ ମୁକାବିଲା ପାଇଁ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା ଆଜି ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ସମୀକ୍ଷା କରିଛନ୍ତି। ଏଥିରେ ଅନୁସୂଚିତ ଜାତି ଓ ଜନଜାତି ମନ୍ତ୍ରୀ ଜଗନ୍ନାଥ ସାରକା, ରାୟଗଡ଼ା ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା, ରାୟଗଡ଼ା ସିଡିଏମ୍‌ଓ, ଡିଆର୍‌ଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଓ ଉପଜିଲ୍ଲାପାଳ ଅଂଶଗ୍ରହଣ କରିଥିଲେ। ବୈଠକରୁ ମିଳିଥିବା ସୂଚନା ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ୧୧୭୩ କୋଭିଡ୍‌ ପଜିଟିଭ୍ ରୋଗୀ ଚିହ୍ନଟ ହୋଇଛି। ପ୍ରତିଦିନ ଜିଲ୍ଲାରେ ୧୫୦ରୁ ୨୦୦ ନମୁନା ପରୀକ୍ଷା ହେଉଛି। ୬୯୦ ଜଣ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଜିଲ୍ଲାରେ କୋଭିଡ୍‌ ରୋଗୀଙ୍କ ପାଇଁ ୧୪,୧୩୦ ଶଯ୍ୟା ପ୍ରସ୍ତୁତ ହୋଇ ରହିଛି। ଆଉ ୫୦୦ ଶଯ୍ୟା‌ ବିଶିଷ୍ଟ ଚିକିତ୍ସା କେନ୍ଦ୍ର ପ୍ରସ୍ତୁତ କରି ରଖିବାକୁ ଶ୍ରୀ ଦାସବର୍ମା ପରାମର୍ଶ ଦେଇଥିଲେ। ଆସନ୍ନପ୍ରସବା ଗର୍ଭବତୀ ମହିଳାଙ୍କୁ ଜିଲ୍ଲା ସଦର ମହକୁମା ଓ ମା’ଘର ଆଦିକୁ ଯଥେଷ୍ଟ ପୂର୍ବରୁ ଆଣି ରଖିବା ଓ ସେମାନଙ୍କୁ ତିନି ମାସ ନିମନ୍ତେ ପୁଷ୍ଟିସାର ଖାଦ୍ୟ ଯୋଗାଇ ଦେବା ପାଇଁ ଜିଲ୍ଲା ରେଡ୍‌କ୍ରସ ପାଣ୍ଠିରୁ ବ୍ୟବସ୍ଥା କରିବାକୁ ସେ କହିଥିଲେ।

ଜିଲ୍ଲାକୁ ଆସିଥିବା ପ୍ରବାସୀ ଶ୍ରମିକମାନଙ୍କୁ ଲେବର୍‌ କାର୍ଡ ପ୍ରଦାନ ନିମନ୍ତେ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ବୈଠକରେ ଆଲୋଚନା ହୋଇଥିଲା। ଟିଏମ୍‌ସିରେ ଚିକିତ୍ସିତ ବ୍ୟକ୍ତିଙ୍କୁ ପ୍ରୋତ୍ସାହନ ରାଶି ପ୍ରଦାନ ସମ୍ପର୍କରେ ସମୀକ୍ଷା କରି କୋଭିଡ୍‌ ରୋଗରୁ ଆରୋଗ୍ୟ ଲାଭ କରିଥିବା ବ୍ୟକ୍ତିମାନେ ପ୍ଲାଜ୍‌ମା ଦାନ ସମ୍ପର୍କରେ ସମୀକ୍ଷା କରାଯାଇଥିଲା। ବର୍ତ୍ତମାନ ସୁଦ୍ଧା ୪୦ ଜଣ ପ୍ଲାଜ୍‌ମା ଦାନ ପାଇଁ ସମ୍ମତି ପ୍ରଦାନ କରିଛନ୍ତି ବୋଲି ସିଡିଏମ୍‌ଓ ସୂଚନା ଦେଇଥିଲେ। ଜିଲ୍ଲାପାଳ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ କୋଭିଡ୍‌ ରୋଗୀଙ୍କ ଚିକିତ୍ସାରେ ନିୟୋଜିତ ଡାକ୍ତର, ନର୍ସ ଓ ଅନ୍ୟ କର୍ମଚାରୀଙ୍କ ସହ ଭାବ ବିନିମୟ କରି ସେମାନଙ୍କୁ ଉତ୍ସାହିତ କରିବାକୁ ଶ୍ରୀ ଦାସବର୍ମା ପରାମର୍ଶ ‌େଦଇଥିଲେ। ମନ୍ତ୍ରୀ ଶ୍ରୀ ସାରକା ରୋଗୀଙ୍କୁ ଉପଯୁକ୍ତ ଖାଦ୍ୟ ପ୍ରଦାନ ଉପରେ ଗୁରୁତ୍ବାରୋପ କରିଥିଲେ। ଯୋଜନା ଓ ସଂଯୋଜନ ବିଭାଗର ଯୁଗ୍ମ ନିର୍ଦ୍ଦେଶିକା ସୁଧାପ୍ରିୟା ଦାସ ପ୍ରାରମ୍ଭିକ ସୂଚନା ଦେଇଥିଲେ।

ସମ୍ବନ୍ଧିତ ଖବର