ବିଧାନସଭାରେ ବିଭିନ୍ନ କମିଟିର ସମୀକ୍ଷା ବୈଠକ: ଜଳ ସଂରକ୍ଷଣ ପାଇଁ ଆଧୁନିକ ଜ୍ଞାନକୌଶଳ ବ୍ୟବହାର କରାଯାଉ

ଭୁବନେଶ୍ବର : ବିଧାନସଭା ଆକଳନ କମିଟିର ତୃତୀୟ ବୈଠକ ଆଜି ବିଧାୟକ ପ୍ରତାପ କେଶରୀ ଦେବଙ୍କ ଅଧ୍ୟକ୍ଷତା‌ରେ ବିଧାନସଭାର ୫୪ ନଂ ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗତ ଦୁଇ ବର୍ଷ ମଧ୍ୟରେ ପୂର୍ତ୍ତ ଓ ଜଳସମ୍ପଦ ବିଭାଗ ଦ୍ବାରା ନିର୍ମିତ ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିବା ସହ ଆଗାମୀ ଦିନରେ ନିର୍ମାଣ ହେବାକୁ ଥିବା ପ୍ରକଳ୍ପ ଉପରେ ଆଲୋଚନା କରାଯାଇଛି। ପର୍ଯ୍ୟା‌ପ୍ତ ପରିମାଣରେ ଜଳସଂରକ୍ଷଣ କରାଯାଇପାରୁନଥିବାରୁ ଅନେକ ସ୍ଥାନରେ ଜଳର ଉପଯୁକ୍ତ ବ୍ୟବହାର ହୋଇପାରୁନି। ତେଣୁ ଆଧୁନିକ ଜ୍ଞାନକୌଶଳ ବ୍ୟବହାର କରି ଜଳ ସଂରକ୍ଷଣ କରିବା ସହ ଜଳସଂରକ୍ଷଣ ଓ ସେତୁ ନିର୍ମାଣ ସମ୍ପର୍କିତ ବିଭିନ୍ନ ନିୟମରେ ସମୟାନୁଯାୟୀ ପରିବର୍ତ୍ତନ ଆଣିବା ଦରକାର ବୋଲି ଶ୍ରୀ ଦେବ କହିଛନ୍ତି।

ଏହି ବୈଠକରେ ପୂର୍ତ୍ତ ବିଭାଗ ଦ୍ବାରା ନିର୍ମାଣାଧୀନ ବିଭିନ୍ନ ରାସ୍ତା, ସେତୁ, ବିଜୁ ଏକ୍ସପ୍ରେସ୍‌ୱେ ଏବଂ ରାଜ୍ୟ ରାଜପଥ ସଂପ୍ରସାରଣ, ବିଭିନ୍ନ ବୃହତ୍ତ ଓ ମଧ୍ୟମ ଜଳସେଚନ ପ୍ରକଳ୍ପ, ମେଗା ଲିଫ୍ଟ ପଏଣ୍ଟ ଉପରେ ବିଧାୟକମାନେ ଆଲୋଚନା କରିଥିଲେ। ଗ୍ରୀଷ୍ମ ଦିନରେ ଚାଷ କାର୍ଯ୍ୟ କରିବା ପାଇଁ ଜଳର ଆବଶ୍ୟକତାକୁ ଦୃଷ୍ଟିରେ ରଖି ୧୦୦ଟି ସେତୁ ସହ ବ୍ୟାରେଜ୍ ନିର୍ମାଣର ଯୋଜନା ହୋଇଥିବାବେଳେ ଏହାର କାମ କେତେଦୂର ଆଗେଇଲାଣି ସେ ବିଷୟରେ କମିଟି ପୂର୍ତ୍ତ ବିଭାଗକୁ ତଥ୍ୟ ମାଗିଛି। ଅପରପକ୍ଷେ ଅନେକ ସ୍ଥାନରେ ସୌରଜଳ ପ୍ରକଳ୍ପଗୁଡ଼ିକ ବର୍ଷେରୁ ଦୁଇ ବର୍ଷ ମଧ୍ୟରେ ଖରାପ ହୋଇଯାଉଥିବାରୁ ଏହି ପ୍ରକଳ୍ପଗୁଡ଼ିକୁ ଅଧିକ ପ୍ରୋତ୍ସାହିତ ନକରିବାକୁ ସଦସ୍ୟମାନେ କହିଛନ୍ତି। ଏହାସହ ସମସ୍ତ ଅକାମୀ ମେଗା ଲିଫ୍ଟ ପଏଣ୍ଟଗୁଡ଼ିକୁ ତୁରନ୍ତ ମରାମତି କରିବା ପାଇଁ କମିଟି ନିର୍ଦ୍ଦେଶ ଦେଇଛି।

ସେହିପରି ବିଧାୟକ ଭୂପିନ୍ଦର ସିଂହଙ୍କ ଅଧ୍ୟକ୍ଷତାରେ ବିଦ୍ୟାଳୟ ଓ ଗଣଶିକ୍ଷା, ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବସେବା ବିଭାଗର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଶିକ୍ଷା ବ୍ୟବସ୍ଥାକୁ ଅଧିକ କ୍ରିୟାଶୀଳ କରିବା ପାଇଁ ୭ହଜାର ଶିକ୍ଷକ ଆବଶ୍ୟକ ଥିଲା। ଆସନ୍ତା ଜୁନ୍ ମାସ ମଧ୍ୟରେ ସେମାନଙ୍କୁ ନିଯୁକ୍ତି କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି ବୋଲି ବିଧାୟକ ଶ୍ରୀ ସିଂହ କହିଛନ୍ତି। ଏହାସହିତ ୨୪ଟି ମାଧ୍ୟମିକ ବିଦ୍ୟାଳୟକୁ ସ୍ବୀକୃତି ପ୍ରଦାନ କରିଥିବାବେଳେ ୬୩୯ଜଣ ବେସରକାରୀ ମହାବିଦ୍ୟାଳୟର ଅଧ୍ୟାପକଙ୍କୁ ସରକାର ନିଯୁକ୍ତି ଦେଇଛନ୍ତି। ଜୁନ୍‌ ମାସରେ ୨୬୮ଜଣ ରାଜନୀତି ବିଜ୍ଞାନ ଓ ଇଂରାଜୀ ଅଧ୍ୟାପକଙ୍କୁ ନିଯୁକ୍ତି ଦେବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିବା ଏହି ବୈଠକ‌ରୁ ଜଣାପଡ଼ିଛି।
ଏହା ସହ ବିଧାୟିକା ଉଷା ଦେବୀଙ୍କ ଅଧ୍ୟକ୍ଷତାରେ ମହିଳା ଓ ଶିଶୁ ବିକାଶ ବିକାଶ ଗୃହ କମିଟି ବୈଠକରେ ବିଭିନ୍ନ ଯୋଜନା ଓ ଏହାର କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରାଯାଇଛି। ବିଧାୟକ ପ୍ରଣବ ବଳବନ୍ତରାୟ, ଆଦିତ୍ୟ ମାଢ଼ୀ, ସୁନନ୍ଦା ଦାସ, ବିଷ୍ଣୁବ୍ରତ ରାଉତରାୟ, ବିଧାନସଭା ସଚିବ ଦାଶରଥୀ ଶତପଥୀ ପ୍ରମୁଖ ବୈଠକରେ ଯୋଗଦେଇଥିଲେ।

ସମ୍ବନ୍ଧିତ ଖବର