ଭୁବନେଶ୍ୱର: କୃଷି ସହିତ ପ୍ରାଣୀ ପାଳନ ଅଙ୍ଗାଙ୍ଗୀ ଭାବରେ ଜଡ଼ିତ । ପ୍ରାଣୀପାଳନ ଚାଷୀମାନଙ୍କର ଆୟ ବୃଦ୍ଧି ଓ ଗ୍ରାମାଞ୍ଚଳର ଆର୍ଥିକ ବିକାଶ ସହାୟକ ହୋଇଥିବାରୁ ରାଜ୍ୟ ସରକାର ବିଭିନ୍ନ ରିହାତି ପ୍ରଦାନ ମାଧ୍ୟମରେ ପ୍ରାଣୀ ପାଳନକୁ ପ୍ରୋତ୍ସାହିତ କରୁଛନ୍ତି ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀ
ସମ୍ପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି ।
ଆଜି କୃଷି ଭବନଠାରେ ଆୟୋଜିତ ବୈଠକରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ପ୍ରାଣୀ ସମ୍ପଦ ବିକାଶର ବିଭିନ୍ନ ଯୋଜନାର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରି କହିଲେ ରାଜ୍ୟରେ ଉନ୍ନତ ପ୍ରଜାତିର ପ୍ରାଣୀ ପାଳନ ନିମନ୍ତେ ଆକର୍ଷଣୀୟ ରିହାତି ପ୍ରଦାନର ବ୍ୟବସ୍ଥା କରାଯାଇଛି । ଚାଷୀମାନଙ୍କ ନିମନ୍ତେ ଉଦ୍ଦିଷ୍ଟ ଯୋଜନା
ଯେପରି ଠିକ୍ ସମୟରେ ହିତାଧିକାରୀଙ୍କ ନିକଟରେ ପହଞ୍ଚି ପାରିବ ସେଥିନିମନ୍ତେ ମନ୍ତ୍ରୀ ଶ୍ରୀ ସ୍ୱାଇଁ କ୍ଷେତ୍ର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ହିତାଧିକାରୀ ଚୟନ ପ୍ରକ୍ରିୟାକୁ ସଂପୂର୍ଣ୍ଣ ସ୍ୱଚ୍ଛ ଓ ତ୍ୱରାନ୍ୱିତ କରିବା ପାଇଁ ମନ୍ତ୍ରୀ କହିଥିଲେ । ଯଦ୍ଦ୍ୱାରା ସଠିକ୍ ସମୟରେ ଧାର୍ଯ୍ୟ ଲକ୍ଷ୍ୟ ପୂରଣ ହୋଇପାରିବ । ଏଥିସହିତ ବଜେଟ୍ରେ ବିଭିନ୍ନ ଯୋଜନାରେ ଆବଣ୍ଟିତ ଅର୍ଥକୁ ଠିକ୍ ସମୟରେ ଖର୍ଚ୍ଚ କରିବା ପାଇଁ ଓ ରିହାତି ରାଶିକୁ ହିତାଧିକାରୀଙ୍କୁ ପ୍ରଦାନ କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ନିର୍ଦ୍ଦେଶ ଦେଇଥିଲେ ।
ବୈଠକରେ କୃତିମ ପ୍ରଜନନ ରାଉଣ୍ଡ-୩ ଏବଂ କୃତି୍ରମ ପ୍ରଜନନ ସହ ଜାତୀୟ ପ୍ରାଣୀ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ ରାଉଣ୍ଡ-୩ରେ ଓଡ଼ିଶାରେ ତ୍ୱରାନ୍ୱିତ କରିବା ଉପରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଗୁରୁତ୍ୱ ଦେଇଥିଲେ । ରାଜ୍ୟରେ ଗୋ-ପାଳନ କ୍ଷେତ୍ରର ବିକାଶ ନିମନ୍ତେ ଗୋ-ଖାଦ୍ୟ ଉତ୍ପାଦନ ବ୍ୟବସ୍ଥାକୁ ସୁଦୃଢ଼ କରିବା ଉପରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଗୁରୁତ୍ୱାରୋପ କରିଥିବାବେଳେ ଗୋ-ମହିଷାଦିଙ୍କ ବନ୍ଧ୍ୟା ଦୂରୀକରଣ ନିମନ୍ତେ ଫଳପ୍ରସୂ ଯୋଜନା ପ୍ରସ୍ତୁତ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ ।
ସେହିପରି ମିଶନଶକ୍ତି ବିଭାଗ ସହ ସମନ୍ୱୟ ବୈଠକ ମାଧ୍ୟମରେ ରାଜ୍ୟରେ ଅଚଳ ହୋଇ ପଡ଼ିଥିବା କୁକୁଡ଼ା ହାଚେରୀଗୁଡ଼ିକୁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ କାର୍ଯ୍ୟକ୍ଷମ କରିବାକୁ କହିଥିଲେ । ଏଥିସହିତ ମ୍ୟାପିଂ ପଦ୍ଧତିରେ ରାଜ୍ୟରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦର ଆକଳନ କରିବା ପାଇଁ ମନ୍ତ୍ରୀ ନିର୍ଦ୍ଦେଶ କହିଥିଲେ । ପ୍ରତ୍ୟେକ ଜିଲ୍ଲା ନିମନ୍ତେ ଧାର୍ଯ୍ୟ ଲକ୍ଷ୍ୟକୁ ସମୟସୀମା ମଧ୍ୟରେ ପୂରଣ କରିବା ସହ ଜିଲ୍ଲା ପାଇଁ ନିୟୋଜିତ ନୋଡାଲ ଅଧିକାରୀମାନେ ନିୟମିତ ଜିଲ୍ଲା ଗସ୍ତକରି ବିଭିନ୍ନ ଯୋଜନାର ଅଗ୍ରଗତି ସଂପର୍କରେ ବିଭାଗକୁ ରିପୋର୍ଟ ପ୍ରଦାନ କରିବା ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲୋ
ବୈଠକରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗର କମିସନର ତଥା ଶାସନ ସଚିବ ସୁରେଶ କୁମାର ବଶିଷ୍ଠ ଆଗାମୀ ବର୍ଷର ବିଭିନ୍ନ ଯୋଜନାର ବାର୍ଷିକ କାର୍ଯ୍ୟ ଖସଡ଼ା ମାର୍ଚ୍ଚ ୨୦୨୩ ସୁଦ୍ଧା ପ୍ରସ୍ତୁତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଯଦ୍ଦ୍ୱାରା ବର୍ଷର ଶେଷସୁଦ୍ଧା ପ୍ରତ୍ୟେକ ଯୋଜନାର ଧାର୍ଯ୍ୟ ଲକ୍ଷ୍ୟ ପୂରଣ ହୋଇପାରିବ । ବୈଠକରେ ୫୦୦ କୁକୁଡ଼ା ବିଶିଷ୍ଟ ବ୍ରଏଲର ଫାର୍ମ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ପରିଚାଳିତ ୧୦୦୦ କୁକୁଡ଼ା ଫାର୍ମ, ପଞ୍ଜୁରୀ ପଦ୍ଧତିରେ ୧୦୦୦ ଅଣ୍ଡାଦିଆ କୁକୁଡ଼ା ଚାଷ, ବାଡ଼ି ଅଗଣା କୁକୁଡ଼ା ଓ ବତକ ଚାଷର ଅଗ୍ରଗତି ସମ୍ପର୍କରେ ଆଲୋଚନା ହୋଇଥିଲାା ଏଥି ସହିତ କ୍ଷୁଦ୍ର ହାଚେରୀ ପ୍ରତିଷ୍ଠା, କ୍ଷୁଦ୍ର କୁକୁଡ଼ା ଦାନା ମିଲ୍ ସ୍ଥାପନ, ଚିଆଁ କୁକୁଡ଼ା ପାଳନ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ଛେଳି ଓ ଘୁଷୁରୀ ପାଳନର ଅଗ୍ରଗତି ସମ୍ପର୍କରେ ବୈଠକରେ ସମୀକ୍ଷା କରାଯାଇଥିଲା । ଏତଦ୍ବ୍ୟତୀତ ପ୍ରାଣୀ ମଙ୍ଗଳ ନିମନ୍ତେ ରାଜ୍ୟରେ ନୂତନ ଗୋଶାଳା ନିର୍ମାଣ, ବୁଲା ପ୍ରାଣୀଙ୍କର ଜନ୍ମ ନିୟନ୍ତ୍ରଣ ଓ ପ୍ରାଣୀ ଚିକିତ୍ସା ଆମ୍ବୁଲାନ୍ସ ନିମନ୍ତେ ଆନିମାଲ ହେଲ¬ ଲାଇନ୍ ନମ୍ବର ଆଦି ବିଷୟରେ ବୈଠକରେ ଆଲୋଚନା ହୋଇଥିଲା । ସମୀକ୍ଷା ବୈଠକରେ ପ୍ରାଣୀ ପାଳନ ଓ ପ୍ରାଣୀ ଚିକିତ୍ସା ନିର୍ଦ୍ଦେଶକ ଡଃ ୟେଦୁଲ୍ଲା ବିଜୟ , ମତ୍ସ୍ୟ ନିର୍ଦ୍ଦେଶକ ସ୍ମୃତିରଞ୍ଜନ ପ୍ରଧାନଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀ, ସମସ୍ତ ଜିଲ୍ଲାର ସିଡିଭିଓ
ଏବଂ କ୍ଷେତ୍ର ଅଧିକାରୀମାନେ ଯୋଗ ଦେଇଥିଲେ ।