ସୁନ୍ଦରଗଡ଼ରେ ମୁଖ୍ୟ ସଚିବ ଓ ୫-ଟି ସଚିବଙ୍କ ସମୀକ୍ଷା

ସୁନ୍ଦରଗଡ଼ : ଶନିବାର ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ, ଜାତୀୟ ସ୍ବାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ଓ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଆର. ଭିଲିନ୍‌କ୍ରିଷ୍ଣା ଶନିବାର ସୁନ୍ଦରଗଡ ଜିଲ୍ଲା ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପ ପରିଦର୍ଶନ ସହ ଉନ୍ନୟନମୁଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଏହି ସଚିବ ସ୍ତରୀୟ ପ୍ରତିନିଧି ଦଳ ସକାଳ ସାଢ଼େ ୯ଟାରେ ସ୍ବତନ୍ତ୍ର ବିମାନରେ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରେ ଅବତରଣ କରିବା ପରେ ସେଠାରୁ ସଡ଼କ ପଥରେ ସୁନ୍ଦରଗଡ଼ ଆସି କୁଣ୍ଡୁକେଲାସ୍ଥିତ ୩୩/୧୧ କେଭି ବିଦ୍ୟୁତ ଗ୍ରିଡ୍‌ ସବ୍‌ଷ୍ଟେସନ, ଭେଡାବାହାଲ କୋଲ୍‌ କରିଡର ଦେଖିବା ପରେ ଭବାନୀପୁର ଠାରେ ଆଧୁନିକ ବାଲା ମଡେଲରେ ନିର୍ମିତ ଅଙ୍ଗନବାଡ଼ିକେନ୍ଦ୍ରକୁ ଯାଇଥିଲେ। ଛୋଟ ଛୋଟ ପିଲାଙ୍କ ଶିକ୍ଷାକୁ ଆନନ୍ଦମୟ କରିବା ପାଇଁ ବାଲା ମଡେଲରେ ସଂପୂର୍ଣ୍ଣ ନୂଆ ଢାଞ୍ଚାରେ ତିଆରି କରାଯାଇଥିବା ଅଙ୍ଗନବାଡ଼ିକେନ୍ଦ୍ର, ଏହାର ଆସବାପତ୍ର ଓ କାନ୍ଥବାଡ ଠାରୁ ଆରମ୍ଭ କରି ସଂପୂର୍ଣ୍ଣ ପରିବେଶ ପିଲାଙ୍କ ଶିକ୍ଷା ପାଇଁ ଆକର୍ଷଣୀୟ କରାଯାଇଥିବା ଦେଖିଥିଲେ।

ସୁନ୍ଦରଗଡ଼ ଜିଲ୍ଲାରେ ଥିବା ସମସ୍ତ ଅଙ୍ଗନବାଡ଼ିକେନ୍ଦ୍ର ସହିତ ନୂଆ ଅଙ୍ଗନବାଡ଼ିକେନ୍ଦ୍ର ଗୁଡିକୁ ଏହି ବାଲା ମଡେଲରେ ନିର୍ମାଣ କରାଯାଉଥିବା ଜିଲ୍ଲାପାଳ ଅବଗତ କରାଇଥିଲେ। ଏହା ପରେ କିଞ୍ଜିର୍ମା ସରକାରୀ ହାଇସ୍କୁଲର ରୂପାନ୍ତରଣ କାର୍ଯ୍ୟ ପରିଦର୍ଶନ କରିଥିଲେ। ଅଧିକାରୀମାନେ ସ୍ମାର୍ଟ କ୍ଲାସରେ ବସି ଷ୍ଟୁଡିଓରେ ଥିବା ଶିକ୍ଷୟିତ୍ରୀ ଓ ଅନ୍ୟ ଏକ କକ୍ଷରେ ବସି ପଢୁଥିବା ଛାତ୍ରଛାତ୍ରୀଙ୍କ ସହ ଭର୍ଚୁଆଲ ମାଧ୍ୟମରେ କଥାବାର୍ତ୍ତା କରିଥିଲେ। ସ୍କୁଲର ବିଜ୍ଞାନଗାର, ଖେଳପଡିଆ ଓ ଅନ୍ୟାନ୍ୟ ଭିତ୍ତିଭୂମି ବୁଲି ଦେଖିବା ସହ ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟର ଅଗ୍ରଗତି ସଂପର୍କରେ ସେମାନେ ସନ୍ତୋଷ ପ୍ରକାଶ କରିଥିଲେ। ଏହି ଅବସରରେ ପ୍ରତିନିଧି ଦଳକୁ ରାଜ୍ୟ ସରକାରଙ୍କ ୫-ଟି କାର୍ଯ୍ୟକ୍ରମ ଅଧୀନରେ ଜିଲ୍ଲାର ୫୦ଟି ସରକାରୀ ହାଇସ୍କୁଲର ରୂପାନ୍ତର କାମ ଅକ୍ଟୋବର ସୁଦ୍ଧା ଶେଷ କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଥିଲେ। ଶେଷରେ ଏନ୍‌ଟିପିସି କୋଭିଡ୍‌ ସ୍ବାସ୍ଥ୍ୟକେନ୍ଦ୍ର ଯାଇ କୋଭିଡ ମହାମାରୀର ସମ୍ଭାବ୍ୟ ତୃତୀୟ ଲହରର ମୁକାବିଲା ଲାଗି ସ୍ବାସ୍ଥ୍ୟ ଭିତ୍ତିଭୂମିର ପ୍ରସ୍ତୁତି ଓ ବିଶେଷ କରି ଶିଶୁମାନଙ୍କ ଚିକିତ୍ସା ଲାଗି ଆଇସିୟୁ ତଥା ଆବଶ୍ୟକୀୟ ବ୍ୟବସ୍ଥା ସଂପର୍କରେ ଅନୁଧ୍ୟାନ କରିଥିଲେ।

ଏହା ପରେ ହସ୍ପିଟାଲ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ଜିଲ୍ଲାର କ୍ରୀଡା ଭିତ୍ତିଭୂମି, ଶିକ୍ଷା, ମହିଳା ଓ ଶିଶୁବିକାଶ, ପୋଷଣ, ଜୀବିକା, ସଂଯୋଗୀକରଣ, ପାନୀୟ ଜଳ, କୃଷି ଓ ଜଳସେଚନ ଆଦି ବିଭିନ୍ନ କାର୍ଯ୍ୟକ୍ରମର ଅଗ୍ରଗତି ସଂପର୍କରେ ସମୀକ୍ଷା କରିଥିଲେ। କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ, ଆରକ୍ଷୀ ଅଧିକ୍ଷକ ସାଗରିକା ନାଥ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଭୈରବ ସିଂ ପଟେଲ, ଜିଲ୍ଲା ମୁଖ୍ୟଚିକିତ୍ସାଧିକାରୀ ଡ. ସରୋଜ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ମଧ୍ୟାହ୍ନ ୧୨ଟାରେ ଝାରସୁଗୁଡ଼ା ବିମାନବନ୍ଦର ଅଭିମୁଖେ ପ୍ରତ୍ୟାବର୍ତ୍ତନ କରିଥିଲେ।

ସମ୍ବନ୍ଧିତ ଖବର