କୋଭିଡ-୧୯ ସ୍ଥିତିର ସମୀକ୍ଷା: ସତର୍କତା, ସଚେତନତାକୁ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଦିନ ଭିଡିଓ କନ୍‌ଫରେନ୍ସିଂ ଜରିଆରେ କୋଭିଡ-୧୯ ସ୍ଥିତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ପ୍ରଶାସନକୁ ସତର୍କ ରହିବା ସହିତ ସଚେତନତା କାର୍ଯ୍ୟକ୍ରମ ଜାରି ରଖିବା ପାଇଁ ପରାମର୍ଶ ଦେଇଛନ୍ତି। ତା’ ସହିତ ବରିଷ୍ଠ ନାଗରିକ ଓ ସମ୍ମୁଖ ଯୋଦ୍ଧା ମାନଙ୍କୁ ବୁଷ୍ଟର ଡୋଜ ଦେବା ଉପରେ ମଧ୍ୟ ଗୁରୁତ୍ବାରୋପ କରିଛନ୍ତି।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟରେ ବର୍ତ୍ତମାନ ସକ୍ରିୟ କୋଭିଡ ରୋଗୀ ସଂଖ୍ୟା ସ୍ଥିର ରହିଥିବା ବେଳେ ନୂଆ ପଜିଟିଭ କେସ୍‌ରେ ହ୍ରାସ ଘଟିଛି। ତୃତୀୟ ଲହରରେ ଡାକ୍ତରଖାନା ଉପରେ ବିଶେଷ ଚାପ ପଡ଼ି ନାହିଁ। କିନ୍ତୁ ଏଥିରେ ଆତ୍ମସନ୍ତୋଷର ସ୍ଥାନ ନାହିଁ। ସମ୍ପୂର୍ଣ୍ଣ ପ୍ରସ୍ତୁତ ରହି ପ୍ରଶାସନ ପରିସ୍ଥିତି ଉପରେ ନଜର ରଖିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ତା’ ସହିତ ମିସନ ଶକ୍ତି ଗୋଷ୍ଠୀମାନଙ୍କର ସକ୍ରିୟ ସହଯୋଗରେ ସାରା ରାଜ୍ୟରେ ସଚେତନତା କାର୍ଯ୍ୟକ୍ରମ ଜାରି ରଖିବା ପାଇଁ ସେ ପରାମର୍ଶ ଦେଇଥିଲେ। ଜନସାଧାରଣ ଯେପରି କୋଭିଡ ସୁରକ୍ଷା ନିୟମାବଳୀ ଠିକ୍‌ ଭାବରେ ପାଳନ କରନ୍ତି, ସେଥିପ୍ରତି ବିଶେଷ ଯତ୍ନବାନ ହେବା ପାଇଁ ଶ୍ରୀ ପଟ୍ଟନାୟକ ପୁଲିସକୁ ପରାମର୍ଶ ଦେଇଥିଲେ। ପୃଥକବାସରେ ଘରେ ରହି ଚିକିତ୍ସିତ ହେଉଥିବା ରୋଗୀମାନଙ୍କର ସ୍ବାସ୍ଥ୍ୟ ଅବସ୍ଥା ସମ୍ପର୍କରେ ରାପିଡ୍‌ ରେସ୍‌ପନ୍ସ ଟିମ୍ ଓ କ୍ଷେତ୍ର କର୍ମଚାରୀମାନେ ଠିକ୍ ଭାବେ ତଦାରଖ କରିବା ପାଇଁ ମଧ୍ୟ କହିଥିଲେ। ବର୍ତ୍ତମାନ ପରିସ୍ଥିତିରେ ଆତଙ୍କିତ ନ ହୋଇ କୋଭିଡ ସୁରକ୍ଷା ନିୟମାବଳୀକୁ ସଠିକ୍‌ ଭାବରେ ପାଳନ କରିବା ପାଇଁ ଜନସାଧାରଣଙ୍କୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।

ଉନ୍ନୟନ କମିସନର ପ୍ରଦୀପ ଜେନା କୋଭିଡ ନିୟମାବଳୀର ପାଳନ ନିମନ୍ତେ ପ୍ରଶାସନ ନେଇଥିବା ବିଭିନ୍ନ ପଦଷେପ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଆର୍ କେ ଶର୍ମା ରାଜ୍ୟରେ କୋଭିଡ ସ୍ଥିତି ସମ୍ପର୍କରେ ଏକ ବିସ୍ତୃତ ଚିତ୍ର ଉପସ୍ଥାପନା କରିଥିଲେ। ରାଜ୍ୟରେ ଦୈନିକ ଟେଷ୍ଟିଂ ୬୫ ହଜାରରୁ ୭୦ ହଜାର ରହିଥିବା ବେଳେ ପଜିଟିଭିଟି ହାର ୧୧.୪ ପ୍ରତିଶତ ରହିଛି, ଯାହାକି ଜାତୀୟ ହାର ଠାରୁ କମ୍‌ ଅଟେ। ଯାଜପୁର, ବାଲେଶ୍ବର, କଟକ, ସୁନ୍ଦରଗଡ଼ ଓ ଖୋର୍ଦ୍ଧାରେ ପଜିଟିଭିଟି ହାର ତୁଳନାତ୍ମକ ଭାବେ ଅଧିକ ଅଛି ବୋଲି ସେ ସୂଚନା ଦେଇଥିଲେ। ସେହିପରି ଟିକାକରଣ ସ୍ଥିତି ମଧ୍ୟ ସନ୍ତୋଷଜନକ ରହିଛି ବୋଲି ଶ୍ରୀ ଶର୍ମା ସୂଚନା ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି. କେ. ପାଣ୍ଡିଆନ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ବର ଓ କଟକ ମହାନଗର ନିଗମ କମିସନର ଏବଂ ଖୋର୍ଦ୍ଧା ଓ ରାୟଗଡ଼ାର ଜିଲ୍ଲାପାଳ ସେମାନଙ୍କ ଅଞ୍ଚଳର ପରିସ୍ଥିତି ସଂପର୍କରେ ବୈଠକରେ ଉପସ୍ଥାପନା କରିଥିଲେ।

ସମ୍ବନ୍ଧିତ ଖବର