ପୁରୀ: ୫-ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନ ଆଜି ସକାଳୁ ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରିଛନ୍ତି। ଭିଡ଼ ନିୟନ୍ତ୍ରଣ କରି ଭକ୍ତଙ୍କ ଦର୍ଶନକୁ ସୁବ୍ୟବସ୍ଥିତ ଓ ଶୃଙ୍ଖଳିତ କରିବା ଉପରେ ଠୋସ୍ ପଦକ୍ଷେପ ନେବାକୁ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କୁ ଶ୍ରୀ ପାଣ୍ଡିଆନ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ବଡ଼ଦାଣ୍ଡ ମରିଚିକୋଟ ଛକରୁ ସିଂହଦ୍ବାର ପର୍ଯ୍ୟନ୍ତ ଅଯଥାରେ ଭିଡ଼ କରୁଥିବା ଉଠାଦୋକାନୀଙ୍କୁ ତୁରନ୍ତ ହଟାଇବାକୁ ଅଧିକାରୀମାନଙ୍କୁ କୁହାଯାଇଛି। ସ୍ଥିର ହୋଇଛି ଯେ ଶ୍ରୀମନ୍ଦିର ଚତୁଃପାର୍ଶ୍ବ ମଠଗୁଡିକର ପୁନରୁଦ୍ଧାର, ଲ୍ୟାଣ୍ଡସ୍କେପିଂ କାମ ବି ତ୍ବରାନ୍ବିତ କରାଯିବ। ଏହି ସମୀକ୍ଷା ପରେ ଶ୍ରୀ ପାଣ୍ଡିଆନ ଶ୍ରୀଜଗନ୍ନାଥବଲ୍ଲଭରୁ ଦୋଳବେଦିକୋଣକୁ ଫିଟୁଥିବା ନୂଆ ରାସ୍ତାର ଅଗ୍ରଗତି ଅନୁଧ୍ୟାନ କରିଥିଲେ।
ଶ୍ରୀ ପାଣ୍ଡିଆନ ଆଜି ସକାଳ ପ୍ରାୟ ୫ଟାରେ ଶ୍ରୀମନ୍ଦିରଠାରେ ପହଞ୍ଚି ପରିକ୍ରମା ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ବୁଲି ଦେଖିଥିଲେ। ଭକ୍ତମାନଙ୍କ ସହ ପ୍ରକଳ୍ପ ସଂପର୍କରେ ଆଲୋଚନା କରିଥିଲେ। ଜିଲ୍ଲାପାଳ ଓ ଓବିସିସିର ଅଧିକାରୀଙ୍କଠାରୁ କାମର ଅଗ୍ରଗତି ପଚାରି ବୁଝିଥିଲେ। ସେହିପରି ଶ୍ରୀମନ୍ଦିର ଉତ୍ତର, ଦକ୍ଷିଣ ଓ ପଶ୍ଚିମପାର୍ଶ୍ୱର ଲ୍ୟାଣ୍ଡସ୍କେପିଂ କାମ ଡିସେମ୍ବର ୯ ତାରିଖ ସୁଦ୍ଧା ସାରିବାକୁ ନିର୍ଦ୍ଦେଶ ଦେଇଥିଲେ। ସେହିଭଳି ମେଘନାଦ ପାଚେରି ନିକଟରେ ସବୁ ବିଦ୍ୟୁତ୍ ସଂକ୍ରାନ୍ତ କାମକୁ ଶୀଘ୍ର ସାରି ସେଠାରେ ଥିବା ପୋଲ୍, ତାର ଆଦି ସ୍ଥାନାନ୍ତର କରିବାକୁ ଅଧିକାରୀମାନଙ୍କୁ କୁହାଯାଇଥିଲା। ଶ୍ରୀ ପାଣ୍ଡିଆନ କହିଥିଲେ, ମେଘନାଦ ପାଚେରି ନିକଟରେ ଥିବା ଐତିହ୍ୟ ସମ୍ପନ୍ନ ଛୋଟ ଛୋଟ ମନ୍ଦିର ଓ ନିର୍ମାଣ ଅକ୍ଷତ ରହିବ। ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା, ଏସ୍ପି ଡା. କେ. ବିଶାଲ ସିଂହ, ଉପଜିଲ୍ଲାପାଳ ଭବତାରଣ ସାହୁ, ଓବିସିସି ପରିଚାଳନା ନିର୍ଦ୍ଦେଶକ, ବିଭିନ୍ନ ଠିକା ସଂସ୍ଥାର ଅଧିକାରୀମାନେ ଉପସ୍ଥିତ ଥିଲେ।