କେନ୍ଦ୍ର ମନ୍ତ୍ରୀଙ୍କ ଯାଜପୁର ଜିଲ୍ଲାର ବିକାଶ କାର୍ଯ୍ୟ ସମୀକ୍ଷା

ଯାଜପୁର ଗସ୍ତରେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡା

ଯାଜପୁରସଦର,୯/୯ : କେନ୍ଦ୍ର ସରକାରଙ୍କ ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡା ଆଜି ଯାଜପୁର ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି। ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହରେ ଆୟୋଜିତ ସମୀକ୍ଷା ବୈଠକରେ ମନ୍ତ୍ରୀ ଯୋଗଦେଇ ଜିଲ୍ଲାରେ କାର୍ଯ୍ୟକାରୀ କରାଯାଉଥିବା କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନା ଅନ୍ତର୍ଗତ ବିଭିନ୍ନ ବିକାଶ କାର୍ଯ୍ୟକ୍ରମର ଅଗ୍ରଗତି ଓ ନିଆଯାଉଥିବା ପଦକ୍ଷେପ ବିଷୟରେ ବିଭାଗୀୟ ଅଧିକାରୀଙ୍କଠାରୁ ପଚାରି ବୁଝିଥିଲେ। ଜିଲ୍ଲା ଯୋଜନା, ରାଜ୍ୟ ଯୋଜନା ଓ କେନ୍ଦ୍ର ଯୋଜନାର ସଫଳ ରୂପାୟନ ସହ କର୍ମଚାରୀମାନେ ନିଜ କାର୍ଯ୍ୟ ନିଷ୍ଠାର ସହ କରିବାକୁ ପରାମର୍ଶ ଦେଇଥିଲେ।

ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂହ ରାଠୋର ସମସ୍ତଙ୍କୁ ସ୍ୱାଗତ କରିବା ସହ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ  ଉନ୍ନୟନମୂଳକ ଯୋଜନା ସଂପର୍କରେ ମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନା ସହିତ ସଂଶ୍ଳିଷ୍ଟ ବିଭିନ୍ନ ବିଭାଗ ତରଫରୁ ପ୍ରସ୍ତୁତ କରାଯାଇଥିବା ତଥ୍ୟଗୁଡ଼ିକୁ ଜିଲ୍ଲାପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଅଶୋକ କୁମାର ବେହୁରିଆ ପିପିଟି ମାଧ୍ୟମରେ ପ୍ରଦର୍ଶନ କରିଥିଲେ। ଏହି ବୈଠକରେ ମୁଖ୍ୟତଃ ଆଦିବାସୀ ବ୍ୟାପାର, ଜଙ୍ଗଲ, ଶିକ୍ଷା, ସ୍ୱାସ୍ଥ୍ୟ, ପରିମଳ, ସ୍ବଚ୍ଛତା, ମନରେଗା, କୃଷି, ଯୋଗାଣ, ସମାଜ ମଙ୍ଗଳ ଆଦି କେନ୍ଦ୍ରୀୟ ଯୋଜନା ଉପରେ ଆଲୋଚନା କରାଯାଇଥିଲା।

ଏହି ବୈଠକରେ ଆରକ୍ଷୀ ଅଧୀକ୍ଷକ ରାହୁଲ ପିଆର, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଅକ୍ଷୟ କୁମାର ମଲିକ ଓ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର