ଅନୁଗୁଳରେ ପୁଲିସ ଡିଜିଙ୍କ ସମୀକ୍ଷା: ଜବତ ହେଲାଣି ୨କୋଟି ୬୭ ଲକ୍ଷ ଟଙ୍କା

୯କୋଟି ଟଙ୍କାର ମାଦକଦ୍ରବ୍ୟ ଜବତ

ଅନୁଗୁଳ: ସାଧାରଣ ନିର୍ବାଚନ ପୂର୍ବରୁ ଅନୁଗୁଳଠାରେ ସ୍ଥିତି ସମୀକ୍ଷା କରିଛନ୍ତି ପୁଲିସ ଡିଜି ଅରୁଣ କୁମାର ଷଢ଼ଙ୍ଗୀ। ଏଠାରେ ବରିଷ୍ଠ ପୁଲିସ ଅଧିକାରୀମାନେ ଉତ୍ତରାଞ୍ଚଳ ଓ ଉତ୍ତର-କେନ୍ଦ୍ରାଞ୍ଚଳ ରେଞ୍ଜରେ ଥିବା ୮ଟି ଜିଲ୍ଲାର ସ୍ଥିତି ନେଇ ସବିଶେଷ ଆଲୋଚନା କରିଥିଲେ। ନିର୍ବାଚନ ପାଇଁ ପ୍ରାକ୍‌-ପ୍ରସ୍ତୁତି ଓ ନିର୍ବାଚନ ପରିଚାଳନା ନେଇ ବିଭିନ୍ନ ଦିଗରେ ଉପରେ ଏଠାରେ ଆଲୋଚନା ହୋଇଥିଲା। ଆଦର୍ଶ ଆଚରଣ ବିଧି ଲାଗୁହେଲା ପରେ ଏହି ୮ଟି ଜିଲ୍ଲାରେ ୨ କୋଟି ୬୭ ଲକ୍ଷ ନଗଦ ଟଙ୍କା ଜବତ ହୋଇଥିବା ଜଣାପଡ଼ିଛି।

ଏହି ଦୁଇ ରେଞ୍ଜରେ ଥିବା ଅନୁଗୁଳ, ଢେଙ୍କାନାଳ, ଦେବଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ସୋନପୁର, ବରଗଡ଼ ଓ ବଲାଙ୍ଗୀର ଜିଲ୍ଲାରେ ନିର୍ବାଚନ ପରିଚାଳନା ନେଇ ପୁଲିସ ବ୍ୟବସ୍ଥା ଓ ସମ୍ଭାବ୍ୟ ଆଇନ୍‌ଶୃଙ୍ଖଳା ସମ୍ପର୍କରେ ଅନୁଗୁଳ ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିଲା। ଏହି ଜିଲ୍ଲାଗୁଡ଼ିକୁ ନେଇ ବଲାଙ୍ଗୀର, ବରଗଡ଼, ସମ୍ବଲପୁର ଓ ଢେଙ୍କାନାଳ ସଂସଦୀୟ କ୍ଷେତ୍ର ରହିଥିଲାବେଳେ ଏହା ଅଧୀନରେ ୨୮ଟି ବିଧ‌ାନସଭା ଆସୁଛି। ଦୁଇ ରେଞ୍ଜରେ ସମୁଦାୟ ୭୫୨୦ଟି ପୁଲିଂ ବୁଥ୍‌ ରହିଛି। ସବୁ ବୁଥ୍‌ ପରିଚାଳନା ପାଇଁ ପୁଲିସ ବନ୍ଦୋବସ୍ତ ନେଇ ଆଜି ବୈଠକରେ ଆଲୋଚନା କରାଯାଇଛି। ନିର୍ବାଚନ ସମୟରେ କେଉଁଠି କେତେ ଫୋର୍ସ ଆବଶ୍ୟକ ଓ କେଉଁଠି ଅର୍ଦ୍ଧସାମରିକ ବାହିନୀ ମୁତୟନ ହେବେ ସେ ସଂପର୍କରେ ଏସ୍‌ପିମାନେ ତଥ୍ୟ ରଖିଥିଲେ। ପରେ ବରିଷ୍ଠ ଅଧିକାରୀମାନେ ବୈଠକରେ ଆଲୋଚନା କରିବା ପରେ ପୁଲିସ ବନ୍ଦୋବସ୍ତ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ହୋଇଛି।

ମାଓ ପ୍ରଭାବିତ ବଲାଙ୍ଗୀର ଓ ବରଗଡ଼କୁ ସ୍ବତନ୍ତ୍ର ନଜର
ସାମ୍ପ୍ରଦାୟିକ ହିଂସା ରୋକିବାକୁ ପୁଲିସ ସଜାଗ

ବୈଠକରୁ ଜଣାପଡ଼ିଛି ଯେ, ଏହି ଦୁଇଟି ରେଞ୍ଜରେ ଗତ ଜାନୁଆରିରୁ ଏ ପର୍ଯ୍ୟନ୍ତ ୬ ହଜାର ୱାରେଣ୍ଟି ଗିରଫ ହୋଇଛନ୍ତି। ସେହିପରି ଗଣ୍ଡଗୋଳ କରୁଥିବା ଲୋକଙ୍କ ଉପରେ କଡ଼ା ନଜର ରଖାଯାଇଛି। ଏମିତି ୮୨୦୦ ଲୋକଙ୍କୁ ଚିହ୍ନଟ କରାଯାଇ ବଣ୍ଡ୍‌ ରଖାଯାଇଛି। ୭୫ଟି ବେଆଇନ୍‌ ଅସ୍ତ୍ରଶସ୍ତ୍ର ଜବତ କରାଯିବା ସହ ୩୯ ମାମଲାରେ ୫୨ ଜଣଙ୍କୁ ଗିରଫ କରାଯାଇଛି। ଏପରିକି ସମ୍ବଲପୁରରେ ବେଆଇନ୍‌ ବନ୍ଧୁକ କାରଖାନା ଠାବ ହୋଇଛି। ଏହି ସମୟ ଭିତ‌ରେ ୧ ଲକ୍ଷ ୨୨ ହଜାର ଲିଟର ବେଆଇନ୍‌ ମଦ ମଧ୍ୟ ଜବତ ହୋଇଛି। ୩୨୮୬ଟି ମାମଲା ରୁଜୁ କରାଯାଇ ୩୨୮୬ ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଗଂଜେଇ ଚାଲାଣ ଉପରେ ବି ପୁଲିସ କଠୋର କାର୍ଯ୍ୟାନୁଷ୍ଠାନ ନେଇଛି। ସମୁଦାୟ ୩୩ କୁଇଣ୍ଟାଲ ଗଂଜେଇ ଜବତ କରାଯାଇଛି। ଏଥିନେଇ ୧୦୪ଟି ମାମଲା ରୁଜୁ ହୋଇଥିଲାବେଳେ ୧୬୪ଜଣ ଗିରଫ ହୋଇଛନ୍ତି। ୮ଟି ଜିଲ୍ଲାରେ ଥିବା ୨୮ଟି ବିଧାନସଭା କ୍ଷେତ୍ରରେ ୮୪ଟି ସର୍ଭେଲାନ୍ସ ଟିମ୍‌ ଗାଡ଼ି ଯାଞ୍ଚ କରୁଛନ୍ତି। ୧୦୦ଟି ଫ୍ଲାଇଂ ସ୍କ୍ବାଡ୍ ନିର୍ବାଚନ ଆଦର୍ଶ ଆଚରଣ ବିଧି ଉଲ୍ଲଘଂନ ଉପରେ ନଜର ରଖିଛନ୍ତି। ଆଦର୍ଶ ଆଚରଣ ବିଧି ଲାଗୁ ହେଲା ପରେ ୨ କୋଟି ୬୭ ଲକ୍ଷ ନଗଦ ଟଙ୍କା ଜବତ କରାଯାଇଛି। ୯ କୋଟି ଟଙ୍କାର ମାଦକ ଦ୍ରବ୍ୟ ଜବତ କରିଛି ପୁଲିସ। ଏହି ଦୁଇ ରେଞ୍ଜରୁ କେବଳ ବଲାଙ୍ଗୀର ଓ ବରଗଡ଼ ଜିଲ୍ଲାରେ ମାଓ କାର୍ଯ୍ୟକଳାପ ରହିଛି। ଏହାକୁ ରୋକି ଶାନ୍ତିଶୃଙ୍ଖଳା ସହ ନିର୍ବାଚନ କରାଇବା ଉପରେ ଗୁରୁତ୍ବ ଦିଆଯାଇଛି। ଗୁଇନ୍ଦାକୁ ସକ୍ରିୟ କରି ଅଧିକ ତଥ୍ୟ ସଂଗ୍ରହ ଓ ଅପରେସନ୍‌ ନେଇ ବୈଠକରେ ଆଲୋଚନା ହୋଇଛି।

ପୁଲିସ ବ୍ୟବସ୍ଥା, ମୋବାଇଲ୍‌ ପାଟ୍ରୋଲିଂ ଟିମ୍‌, ସିଆଇଏସ୍‌ଏଫ୍‌ର ମୂତୟନ ନେଇ ନିଷ୍ପତ୍ତି ହୋଇଛି। ପ୍ରତି ଜିଲ୍ଲାରେ ୨ରୁ ୪ କମ୍ପାନି ପର୍ଯ୍ୟନ୍ତ କେନ୍ଦ୍ରୀୟ ଅର୍ଦ୍ଧସାମରିକ ବାହିନୀ ମୁତୟନ ହେବେ। ଏବେଠାରୁ ଫ୍ଲାଗ୍‌ମାର୍ଚ୍ଚ କରାଯାଉଥିଲାବେଳେ ସ‌ମ୍ବେଦନଶୀଳସ୍ଥାନ ଉପରେ ନଜର ରଖାଯାଇଛି। ଏହି ଦୁଇ ପୁଲିସ ରେଞ୍ଜରେ ସମୁଦାୟ ୨୦ଟି ଅନ୍ତଃରାଜ୍ୟ ସୀମାନ୍ତ ଚେକ୍‌ ପୋଷ୍ଟ ରହିଛି। ଛତିଶଗଡ଼ ସୀମାନ୍ତ ଏହି ଚେକ୍‌ପୋଷ୍ଟରେ ରାତିଦିନ ଗାଡ଼ି ଯାଞ୍ଚ କରାଯାଉଛି। ସେହିପରି ରାଜ୍ୟ ଭିତରେ ଥିବା ଜିଲ୍ଲା ସୀମାରେ ପୁଲିସ ପକ୍ଷରୁ ୧୪୫ଟି ଚେକ୍‌ ପୋଷ୍ଟ କରାଯାଇ ଗାଡ଼ିମୋଟର ଯାଞ୍ଚ କରାଯାଉଛି। ସହର ଭିତରେ ନାକା ଲଗାଇ ଗାଡ଼ିମୋଟର ଯାଞ୍ଚ ଚାଲିଛି। ସାମ୍ପ୍ରଦାୟିକ ଦୃଷ୍ଟିକୋଣରୁ ସମ୍ବଲପୁର ଓ ଝାରସୁଗୁଡ଼ା ସମ୍ବେଦନଶୀଳ ହୋଇଥିବାରୁ ଆଗୁଆ ପଦକ୍ଷେପ ନିଆଯାଇଛି। ଏହି ବୈଠକରେ ଗୁଇନ୍ଦା ନିର୍ଦ୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀ, ଅତିରିକ୍ତ ଡିଜି (ଆଇନ୍‌ଶୃଙ୍ଖଳା) ସଂଜୟ କୁମାର, ଅତିରିକ୍ତ ଡିଜି (ଅପରେସନ୍‌) ଦେବଦତ୍ତ ସିଂହ, ସମ୍ବଲପୁର ରେଞ୍ଜ ଆଇଜି ହିମାଂଶୁ ଲାଲ୍‌, ତାଳଚେର ରେଞ୍ଜ ଆଇଜି ସତ୍ୟବ୍ରତ ଭୋଇ, ଡିଆଇଜି ବିଶାଳ ଦେବଙ୍କ ସମେତ ଏହି ୮ଟି ଜିଲ୍ଲାର ଏସ୍‌ପିମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର