ସୁଆଁସାହି ଗ୍ରାମରୁ ଜଳ ନିଷ୍କାସନ ପାଇଁ ସମୀକ୍ଷା

ରସୁଲପୁର : ସୁଆଁସାହି ଗ୍ରାମରୁ ଜଳ ନିଷ୍କାସନ ପାଇଁ ଆଜି ପ୍ରଶାସନ ପକ୍ଷରୁ ସମୀକ୍ଷା କରାଯାଇଛି। ରସୁଲପୁର ବ୍ଲକ୍ ଅନ୍ତର୍ଗତ ସୁଆଁସାହି ଗ୍ରାମଟି ୧୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ବରେ ରହିଛି। ଗୋଟିଏ ପଟେ ଜାତୀୟ ରାଜପଥ ରହିଥିବା ବେଳେ ଅନ୍ୟ ପଟରେ ଖରସ୍ରୋତା ନଦୀବନ୍ଧ। ତଳୁଆ ଅଞ୍ଚଳ ହୋଇଥିବାରୁ ବର୍ଷା ଦିନରେ ଜଳ ନିଷ୍କାସନ ପାଇଁ ଏଠାରେ ସମସ୍ୟା ସୃଷ୍ଟି ହୋଇଥାଏ। ଅଧିକ ବର୍ଷାହେଲେ କିମ୍ବା ବନ୍ୟା ହେଲେ ପାଣି ଗାଁ ଲୋକମାନଙ୍କ ଘରେ ପଶିଯାଏ। ଏଠାରୁ ଜଳ ନିଷ୍କାସନ ପାଇଁ ଆଜି ରସୁଲପୁର ବିଡିଓ ଉମାକାନ୍ତ ପରିଡ଼ା, ତହସିଲଦାର ଜ୍ୟୋତିକାନ୍ତ ଭୁଜବଳ ଓ ଜାତୀୟ ରାଜପଥ ବିଭାଗର ଲିଆସନିଂ ଅଧିକାରୀ ଏକ ସମୀକ୍ଷା କରିଥିଲେ। ଏହି ଅଞ୍ଚଳ ବୁଲି ଦେଖିବା ସହିତ ସ୍ଥାନୀୟ ଲୋକଙ୍କ ସହିତ ଆଲୋଚନା କରିଥିଲେ। ରାଜପଥ ପାର୍ଶ୍ବରେ ତିଆରି ହେଉଥିବା ଡ୍ରେନ୍ ସହିତ ଗାଁରୁ ଜଳ ନିଷ୍କାସନ ପାଇଁ ହେବାକୁ ଥିବା ବ୍ୟବସ୍ଥାକୁ ସଂଯୋଗ କରାଯିବା ପାଇଁ ରାଜପଥ ଅଧିକାରୀମାନଙ୍କୁ ସ୍ଥାନୀୟ ଲୋକେ କହିଥିଲେ। ସେହିପରି ରାଜପଥରୁ ନିକଟସ୍ଥ ଗ୍ରାମଗୁଡ଼ିକୁ ଲାଗିଥିବା ଆପ୍ରୋଚ ରୋଡ ଗୁଡ଼ିକ ଅଧାପନ୍ତରିଆ ଭାବରେ ଛାଡ଼ି ଦିଆଯାଉଛି। ଏହାକୁ ଠିକ୍ ଭାବରେ କାମ କରିବାକୁ ରାଜପଥ କର୍ତ୍ତୃପକ୍ଷଙ୍କୁ କୁହାଯାଇଛି ବୋଲି ବିଡିଓ ଶ୍ରୀ ପରିଡ଼ା ସୂଚନା ଦେଇଥିଲେ। ସୁରେନ୍ଦ୍ର ତିଆଡ଼ି, ବନମାଳୀ ମଲିକ, କଳ୍ପତରୁ ପଣ୍ତା, ମାୟାଧର ଦାସ, ବଟକୃଷ୍ଣ ମଲିକ, ରଣେନ୍ଦ୍ର ପୃଷ୍ଟି ପ୍ରମୁଖ ପ୍ରଶାସନିକ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ।

ସମ୍ବନ୍ଧିତ ଖବର