ଭୁବନେଶ୍ବର : ଓଡ଼ିଶା ଉଠା ଜଳସେଚନ ନିଗମ ଅଧ୍ୟକ୍ଷ ଅମରେଶ ପତ୍ରୀ ନବରଙ୍ଗପୁର ଉଠାଜଳସେଚନ ଡିଭିଜନ ଗସ୍ତ କରି ବିଭିନ୍ନ ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ଓଏଲ୍ଆଇସି ଜରିଆରେ କରାଯାଉଥିବା ବିଭିନ୍ନ ଜଳସେଚନ ପ୍ରକଳ୍ପ କାର୍ଯ୍ୟକୁ ତ୍ୱରାନ୍ୱିତ କରି ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମ୍ପୂର୍ଣ୍ଣ କରିବା ପାଇଁ ସଂପୃକ୍ତ ଯନ୍ତ୍ରୀମାନଙ୍କୁ ସମନ୍ୱୟ ରଖି କାର୍ଯ୍ୟ ସମ୍ପାଦନ କରିବାକୁ ସେ କହିଥିଲେ। ଉଠା ଜଳସେଚନ ନିଗମ ଜରିଆରେ ଆବଶ୍ୟକ ସୁବିଧାଜନକ ସ୍ଥାନରେ ଜଳସେଚନ ବ୍ୟବସ୍ଥା କରି କୃଷିର ବିକାଶ ଓ କୃଷକମାନଙ୍କର କଲ୍ୟାଣ ପାଇଁ ମୁଖ୍ୟମନ୍ତ୍ରୀଙ୍କର ଯେଉଁ ସ୍ୱପ୍ନ ରହିଛି, ୫-ଟି ଆଧାରରେ ସମ୍ମିଳିତ ପ୍ରଚେଷ୍ଟା ଓ ସ୍ୱଚ୍ଛତା ଅବଲମ୍ବନ କରି ସଂପୃକ୍ତ ଯନ୍ତ୍ରୀମାନେ ଆନ୍ତରିକ ଉଦ୍ୟମ କରି କାର୍ଯ୍ୟ ସମ୍ପାଦନ କରିବାକୁ ଅଧ୍ୟକ୍ଷ ଶ୍ରୀ ପତ୍ରୀ ସମସ୍ତଙ୍କର ସହଯୋଗ କାମନା କରିଥିଲେ।

Advertisment

ଏହା ପରେ ଶ୍ରୀ ପତ୍ରୀ ନବରଙ୍ଗପୁର ଉଠାଜଳସେଚନ ଡିଭିଜନ ଅନ୍ତର୍ଗତ ନବରଙ୍ଗପୁର ବ୍ଲକର ବାଘସିଉନି ଗ୍ରାମପଞ୍ଚାୟତର ଜାମୁଜୁଡ଼ା ଗ୍ରାମରେ ସ୍ଥାପିତ ‘ଜାମୁଜୁଡ଼ା-୨’ ଓ ତଣ୍ଡାଗ୍ରାମସ୍ଥିତ ‘ତଣ୍ଡା-୭’ ଆଦି ୨ଟି ଉଠାଜଳସେଚନ ପ୍ରକଳ୍ପ ପରିଦର୍ଶନ କରିଥିଲେ। ସେହିପରି ତେନ୍ତୁଳିଖୁଣ୍ଟି ବ୍ଲକ୍‌ର ଜାନିଗୁଡ଼ା ଗ୍ରାମସ୍ଥିତ ଗଭୀର ସେଚକୂପ ପ୍ରକଳ୍ପ ପରିଦର୍ଶନ କରିଥିଲେ। ପରିଦର୍ଶନ ସମୟରେ ଏହି ସବୁ ପ୍ରକଳ୍ପଗୁଡିକ ଦ୍ୱାରା କୃଷକମାନେ କିପରି ଉପକୃତ ହେଉଛନ୍ତି, ସେ ସମ୍ପର୍କରେ ଶ୍ରୀ ପତ୍ରୀ କୃଷକମାନଙ୍କ ସହିତ ଆଲୋଚନା କରିଥିଲେ। ସର୍କିଟ୍ ହାଉସ୍‌ଠାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ନବରଙ୍ଗପୁର ଉଠାଜଳସେଚନ ଡିଭିଜନ୍ର ନିର୍ବାହୀ ଯନ୍ତ୍ରୀ ଦିଲ୍ଲୀପ କୁମାର ଦାସ, ସହକାରୀ ନିର୍ବାହୀ ଯନ୍ତ୍ରୀ(ସିଭିଲ) ସତ୍ୟାନନ୍ଦ ଦାସ, ସହକାରୀ ଯନ୍ତ୍ରୀ(ସିଭିଲ୍) ଆର୍ ସି ସୋରେନ୍, କନିଷ୍ଠ ଯନ୍ତ୍ରୀ ହର ବିଭୂତି ମିଶ୍ର, ମନୋଜ କୁମାର ସ୍ୱାଇଁ, ସହକାରୀ ନିର୍ବାହୀ ଯନ୍ତ୍ରୀ (ବିଦ୍ୟୁତ୍) ପି କେ ଦାସ, କନିଷ୍ଠ ଯନ୍ତ୍ରୀ ଉତ୍କଳ ଭୂଷଣ ସାମଲ ଓ ଡିଭିଜନାଲ ଆକାଉଣ୍ଟାଣ୍ଟ୍ ଜୟରାମ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।