ରାଜ୍ୟରେ ୩ ରେଳ ପ୍ରକଳ୍ପ ଅଗ୍ରଗତିର ସମୀକ୍ଷା

ଭୁବନେଶ୍ବର : ରାଜ୍ୟରେ ରେଳପଥ ପ୍ରକଳ୍ପଗୁଡ଼ିକର ନିର୍ମାଣ କାର୍ଯ୍ୟର ସ୍ଥିତି ଓ ଅଗ୍ରଗତି ଉପରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଆଜି ସମୀକ୍ଷା କରିଛନ୍ତି। ବୈଠକରୁ ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟରେ ଏବେ ତିନିଟି ରେଳପଥର ବିକାଶ କାର୍ଯ୍ୟ ଚାଲିଛି। ଖୋର୍ଦ୍ଧା‌ରୋଡ୍‌-ବଲାଙ୍ଗୀର ରେଳପଥ ପ୍ରକଳ୍ପ ପୁରୀ, ଖୋର୍ଦ୍ଧା, ନୟାଗଡ଼, ବୌଦ୍ଧ, ସୁବର୍ଣ୍ଣପୁର ଓ ବଲାଙ୍ଗୀର ଜିଲ୍ଲା ଦେଇ କାର୍ଯ୍ୟକାରୀ ହେଉଥିବା ବେଳେ ଏଥି ପାଇଁ ରେଳ ମନ୍ତ୍ରଣାଳୟ ସହିତ ୨୦୧୫ ମସିହାରେ କାର୍ଯ୍ୟକାରୀ ହେଉଥିବା ଚୁକ୍ତି ଅନୁସାରେ ଓଡ଼ିଶା ସରକାର ସମସ୍ତ ଜମି ଯୋଗାଇ ଦେବା ପାଇଁ ବ୍ୟବସ୍ଥା କରିଥିଲେ। ୩୦୫ କିମି ବିସ୍ତୃତ ଏହି ରେଳପଥ ପାଇଁ ଆବଶ୍ୟକ ଭୂମି ଅଧିଗ୍ରହଣ ନିମନ୍ତେ ୨୬୬ ଗ୍ରାମର ୩୭୩୬.୧୭୦ ଏକର ଜମି ରେଳବାଇକୁ ହସ୍ତାନ୍ତର କରାଯାଇଛି। ବର୍ତ୍ତମାନ ଖୋର୍ଦ୍ଧାରୁ ମହିପୁର ୭୭ କିମି ଓ ବଲାଙ୍ଗୀରରୁ ୧୫ କିମି ପର୍ଯ୍ୟନ୍ତ ‌କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ରେଳ ଚଳାଚଳ ଆରମ୍ଭ ହୋଇଛି। ଖୋର୍ଦ୍ଧା ଜିଲ୍ଲାରେ ୬୪ ଗ୍ରାମର ୯୯୫.୧୬୫ ଏକର ଜମି ରେଳବାଇକୁ ହସ୍ତାନ୍ତର କରାଯାଇଛି। ନୟାଗଡ଼ ଜିଲ୍ଲାରେ ୧୦୯୧.୧୦୫ ଏକର ଜମି ହସ୍ତାନ୍ତର କରାଯାଇଥିଲା ବେଳେ ବୌଦ୍ଧ ଜିଲ୍ଲାରେ ୭୨ଟି ଗ୍ରାମର ୧୨୩୪.୦୨ ଏକର ଜମି ହସ୍ତାନ୍ତର ହୋଇଛି। ସୁବର୍ଣ୍ଣପୁର ଜିଲ୍ଲାରେ ଆବଶ୍ୟକୀୟ ୫୩୯.୦୨୬ ଏକର ଜମି ୨୯ଟି ଗ୍ରାମର ହସ୍ତାନ୍ତରିତ ହୋଇଛି। ବଲାଙ୍ଗୀର ଜିଲ୍ଲାରେ ୧୬ଟି ଗ୍ରାମର ୨୩୯.୬୩ ଏକର ଜମି ରେଳବାଇକୁ ହସ୍ତାନ୍ତର କରାଯାଇଛି। ଯେଉଁ ଗ୍ରାମଗୁଡ଼ିକର ଜମି ହସ୍ତାନ୍ତର ହୋଇପାରି ନାହିଁ, ସେ ବାବଦରେ ରାଜ୍ୟ ସରକାର ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ବୋଲି ସୂଚନା ଦିଆଯାଇଛି।

ତାଳଚେର-ବିମଳାଗଡ଼ ରେଳପ୍ରକଳ୍ପ ପାଇଁ ୧୯୨୮ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଥିବା ବେଳେ ଏହି ପରିମାଣ ଓ ଅବଧି ସଂଶୋଧିତ ହେବାର ଅଛି। ପ୍ରାୟ ୧୫୪ କିମି ଦୈର୍ଘ୍ୟ ବିଶିଷ୍ଟ ଏହି ପ୍ରକଳ୍ପ ଅନୁଗୁଳ, ଦେବଗଡ଼ ଓ ସୁନ୍ଦରଗଡ଼ ଜିଲ୍ଲା ଦେଇଯିବ ଏବଂ ଏଥି ପାଇଁ ୪୭୨.୬୨ ଏକର ସରକାରୀ ଓ ୧୦୦୪.୪୧୫ ଏକର ବେସରକାରୀ ଜମି ଆବଶ୍ୟକ ହେବ। ଏଥି ମଧ୍ୟରୁ ୧୨.୪୪୨୦ ଏକର ଜମି ପୂର୍ବତଟ ରେଳପଥ ଅନୁଗୁଳ ଜିଲ୍ଲା ପ୍ରଶାସନରୁ କ୍ରୟ କରିବାକୁ ପଡ଼ିବ। ଦେବଗଡ଼ ଜିଲ୍ଲାରେ ୧୮ଟି ଗ୍ରାମର ଜମି ଅଧିଗ୍ରହଣ ଅପେକ୍ଷାରେ ରହିଛି। ସୁନ୍ଦରଗଡ଼ ଜିଲ୍ଲାରେ ମଧ୍ୟ ଅନୁରୂପ ବ୍ୟବସ୍ଥା ଜାରି ରହିଛି।

ଅନୁଗୁଳ-ଡୁବୁରି-ସୁକିନ୍ଦା ରୋଡ୍‌ ରେଳପଥ ପ୍ରକଳ୍ପ ରେଳ ବିକାଶ ନିଗମ ଦ୍ବାରା କାର୍ଯ୍ୟକାରୀ ହେଉଥିବା ବେଳେ ସମସ୍ତ ବେସରକାରୀ ଜମି ରେଳବାଇ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରାଯାଇଛି। ସରକାରୀ ଜମିଗୁଡ଼ିକ ଉପରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ପାଇଁ ଅନୁମତି ପ୍ରଦାନ କରାଯାଇଛି।

ରାଜ୍ୟରେ ଯୋଗାଯୋଗ, ଗମନାଗମନ ଓ ପରିବହନ ବ୍ୟବସ୍ଥାକୁ ଦୃଢ଼ କରିବା ପାଇଁ ରେଳ ପ୍ରକଳ୍ପର ସଫଳ ରୂପାୟନ ନିମନ୍ତେ ମନ୍ତ୍ରୀ ଶ୍ରୀ ବେହେରା ଗୁରୁତ୍ବାରୋପ କରିଥିଲେ। ପରିବହନ ବିଭାଗରୁ ପ୍ରମୁଖ ଶାସନ ସଚିବ ମଧୁସୂଦନ ପାଢ଼ୀ, ରେଳବାଇ ସମନ୍ବୟ କମିସନର୍‌ ମନୋଜ କୁମାର ମିଶ୍ର, ପିସିସିଏଫ୍‌(ନୋଡାଲ୍‌) ଜିତେନ୍ଦ୍ର କୁମାର ମହାପାତ୍ର, ପୂର୍ବତଟ ରେଳପଥର ସିପିଏମ୍‌ ଅଜୟ କୁମାର ସାମଲ, ଏଏସ୍‌ଆର୍‌ଏଲ୍‌ର ପରିଚାଳନା ନିର୍ଦ୍ଦେଶକ ଡି କେ ସାମନ୍ତରାୟ, ଖୋର୍ଦ୍ଧାରୋଡ୍‌ ଡିଭିଜନ୍‌ର ଉପ ମୁଖ୍ୟ ଇଞ୍ଜିନିୟର ରବୀନ୍ଦ୍ର କୁମାର ମହାନ୍ତି ଓ ରେଳ ବିକାଶ ନିଗମର ମୁଖ୍ୟ ପ୍ରକଳ୍ପ ପ୍ରବନ୍ଧକ ପି କେ ମହାନ୍ତି ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର