ଶେଷ ହେବ ଅଭୟାରଣ୍ୟର ଅନ୍ଧାରୀ ଜୀବନ, ସଭ୍ୟତାର ଆଲୁଅ ଦେଖିବେ ୩ ଗାଁର ଆଉ ୩୫୯ ପରିବାର

ସମ୍ବଲପୁର : ଡେବ୍ରିଗଡ଼ ଅଭୟାରଣ୍ୟ ଭିତରେ ଥିବା ୩ଟି ଗାଁ ଭୁଟୁଲି, ରେଂଗାଲି ଓ କୁରୁମ୍‌କେଲ୍‌କୁ ଜଙ୍ଗଲ ବାହାରକୁ ସ୍ଥାନାନ୍ତର ପାଇଁ ନିର୍ମାଣାଧୀନ ପୁନର୍ବାସ କଲୋନି କାମର ସମୀକ୍ଷା କରିଛନ୍ତି ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତ ଡ. ସୁରେଶ ଚନ୍ଦ୍ର ଦଳେଇ। ଗୁରୁବାର ଆର୍‌ଡିସିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଭିନ୍ନ ପକ୍ଷ କାର୍ଯ୍ୟର ଅଗ୍ରଗତି ସଂପର୍କରେ ତଥ୍ୟ ରଖିଥିଲେ। ବରଗଡ଼ ଜିଲ୍ଲା ଅମ୍ବାଭନା ତହସିଲ ଖୋଳା ପଞ୍ଚାୟତ ଅଧୀନରେ ଆସୁଥିବା ଏହି ତିନି ଗ୍ରାମର ୩୫୯ ପରିବାରକୁ ‌ଅଭୟାରଣ୍ୟ ବାହାରେ ସମାନ ତହସିଲ ଓ ପଞ୍ଚାୟତର ଭିନ୍ନ ସ୍ଥାନରେ ନିର୍ମିତ କଲୋନିରେ ଥଇଥାନ କରାଯିବ। ଏଥି ପାଇଁ ଗତ ଅକ୍ଟୋବର ମାସ ୮ ତାରିଖରେ ଅନୁଷ୍ଠିତ ଗ୍ରାମସଭାରେ ତିନି ଗ୍ରାମବାସୀ ସହମତି ଦେଇଛନ୍ତି।

ଅଭୟାରଣ୍ୟ ବାହାରେ ପୁନର୍ବାସ କଲୋନିରେ ପ୍ରତ୍ୟେକ ପରିବାରକୁ ୧୦ ଡିସିମିଲ୍ ଲେଖାଏଁ ଘରଡିହ, ପକ୍କା ଘର, ପାଣି ଓ ବିଜୁଳି ସଂଯୋଗ, ଯାତାୟତ ପାଇଁ ରାସ୍ତା, ଯୋଗାଯୋଗ ବ୍ୟବସ୍ଥା, ଶିକ୍ଷା ଓ ସ୍ବାସ୍ଥ୍ୟ ଆଦି ମୌଳିକ ସୁବିଧା ଯୋଗାଇ ଦିଆଯିବ। ଏନେଇ ଅମ୍ବାଭନା ତହସିଲଦାର ଗତ ଅକ୍ଟୋବର ମାସରେ ସର୍ଭେ କରି ଭୁଟୁଲିରେ ୯୧, ରେଂଗାଲିରେ ୫୫ ଓ କୁରୁମ୍‌କେଲ୍‌ରେ ୨୧୩ ଏହିପରି ମୋଟ ୩୫୯ ପରିବାରଙ୍କୁ ଚିହ୍ନଟ କରିଛନ୍ତି। ସେମାନଙ୍କ ପାଇଁ ପୁନର୍ବାସ କଲୋନି ନିର୍ମାଣ କାମ ଚାଲିଛି। ବରଗଡ଼ ଜିଲ୍ଲା ଡିଆର୍‌ଡିଏ ପ୍ରକଳ୍ପ ନିର୍ଦ୍ଦେଶକ ପ୍ରତି ପରିବାରକୁ ପକ୍କାଘର ଓ ରାସ୍ତାଘାଟ ସୁବିଧା ପ୍ରଦାନ ଦାୟିତ୍ବରେ ଅଛନ୍ତି। ସେହିପରି ଆର୍‌ଡବ୍ଲୁଏସ୍‌ଏସ୍‌ ପ୍ରତି ପରିବାରକୁ ପାନୀୟ ଜଳଯୋଗାଣ ଓ ଟିପିଡବ୍ଲୁଓଡିଏଲ୍ ବିଦ୍ୟୁତ୍ ଯୋଗାଣ ଦାୟିତ୍ବରେ ରହିଛି। ଗୁରୁବାର ଆର୍‌ଡିସି ଏହି ସମସ୍ତ ଅଧିକାରୀଙ୍କଠାରୁ କାର୍ଯ୍ୟର ଅଗ୍ରଗତି ସଂପର୍କରେ ପଚାରି ବୁଝିବା ସହ ଆସନ୍ତା ସେପ୍‌ସେମ୍ବର ମାସ ସୁଦ୍ଧା ସବୁ କାର୍ଯ୍ୟ ଶେ‌ଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ଏହା ପୂର୍ବରୁ ସେହି ଅଭୟାରଣ୍ୟ ଭିତରେ ଥିବା ଲମ୍ବିପାଲି ଗାଁର ସମସ୍ତ ପରିବାରକୁ ସଫଳତା ପୂର୍ବକ ଅନତ୍ର ସ୍ଥାନାନ୍ତର କରା ଯାଇଥିବାରୁ ଆର୍‌ଡିସି ବରଗଡ଼ ଜିଲ୍ଲା ପ୍ରଶାସନ, ବନ ବିଭାଗ ସମେତ ସବୁ ବିଭାଗକୁ ଅଭିନନ୍ଦନ ଜଣାଇଥିଲେ। ସ୍ଥାନାନ୍ତର ହେବାକୁ ଥିବା ଗ୍ରାମବାସୀଙ୍କୁ ନୂଆ ସ୍ଥାନରେ ଯେମିତି କୌଣସି ସମସ୍ୟା ନହେବ ତା’କୁ ଅଗ୍ରାଧିକାର ଦେବାକୁ ସେ ସବୁ ପକ୍ଷକୁ କହିଥିଲେ। ‌ବୈଠକରେ ଆର୍‌ଡିସିଙ୍କ ସଚିବ ଭିନ୍‌ସେଣ୍ଟ ପୁନମ୍‌କାନ୍ତ ଏକ୍କା, ସମ୍ବଲପୁର ସର୍କଲ୍‌ର ବନ ସଂରକ୍ଷକ ଚିତ୍ତରଂଜନ ମିଶ୍ର, ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ୍ ଡିଏଫ୍‌ଓ ଅଂଶୁପ୍ରଜ୍ଞା ଦାସ, ବରଗଡ଼ ଅତିରିକ୍ତ ଜିଲ୍ଲାପାଳ ନବୀନ ପଟେଲ, ଏସ୍‌ଡିଏମ୍‌ ବରଗଡ଼ ସନ୍ତୋଷ ଦର୍ଜୀ, ଡିପିଡବ୍ଲୁଓଡିଏଲ୍‌ ବରଗଡ଼ର ଅଧୀକ୍ଷଣ ଯନ୍ତ୍ରୀ ସୁରେନ୍ଦ୍ର ହୋତା, ଟିପିଡବ୍ଲୁଓଡିଏଲ୍ ବରଗଡ଼ର ନିର୍ବାହୀ ଯନ୍ତ୍ରୀ ସତ୍ୟବ୍ରତ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର