ପୁରୀ: ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଜାନୁଆରି ୧୨ ତାରିଖ ସୁଦ୍ଧା ଓବିସିସି ‘ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ’ ଶ୍ରୀମନ୍ଦିର ପ୍ରଶାସନକୁ ହସ୍ତାନ୍ତର କରିବ। ସୁରକ୍ଷା ଓ ନିରାପତ୍ତା ପାଇଁ ଜାନୁଆରି ୧୪ ତାରିଖରେ ଜିଲ୍ଲା ପୁଲିସକୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ହସ୍ତାନ୍ତର କରାଯିବ। ଶ୍ରୀଦାଣ୍ଡ ରାସ୍ତା ଜାନୁଆରି ୧୧ ତାରିଖ ସନ୍ଧ୍ୟା ସୁଦ୍ଧା ଶେଷ ହେବ। ଅଣ୍ଡର୍ଗ୍ରାଉଣ୍ଡ୍ ବିଦ୍ୟୁତ୍ ତାର, ପାଇପ୍ଲାଇନ୍ ଆଦି ବିଚ୍ଛା ହେବ। ରାସ୍ତା ଦୁଇପାର୍ଶ୍ବରେ ଥିବା ଘର ସବୁ ମରାମତି କରାଯିବ ଓ ରଙ୍ଗ କରାଯିବ। ସବୁ ବିଭାଗ ସମନ୍ବୟ ରଖି କାମ କରିବେ। ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ଶେଷ କରିବାକୁ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଠିକାସଂସ୍ଥାଗୁଡ଼ିକୁ ଆଜି ନିର୍ଦ୍ଦେଶ ଦେଇଛନ୍ତି।
ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା ଆଜି ସକାଳେ ପଦାଧିକାରୀମାନଙ୍କ ସହିତ ସମଙ୍ଗ ଓ ଜଗନ୍ନାଥବଲ୍ଲଭ ପାର୍କିଂସ୍ଥଳ, ଶ୍ରୀଦାଣ୍ଡ, ଶ୍ରୀସେତୁ ଓ ପରିକ୍ରମା ପ୍ରକଳ୍ପ ଅନୁଧ୍ୟାନ କରିଥିଲେ। ପରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ନେଇ ଶ୍ରୀ ଜେନାଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ପୁରୀ ସର୍କିଟ୍ ହାଉସଠାରେ ଅନୁଷ୍ଠିତ ହୋଇଥିଲା। ଶ୍ରୀ ଜେନା କହିଛନ୍ତି, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଏକ ପ୍ରମୁଖ ଅଂଶ ହେଉଛି ସମଙ୍ଗ ପାର୍କିଂ। ନିମନ୍ତ୍ରିତ ଅତିଥି ଏଠାରେ ଗାଡ଼ି ପାର୍କିଂ କରି ଶ୍ରୀସେତୁ ଦେଇ ଶ୍ରୀଜଗନ୍ନାଥବଲ୍ଲଭ ଓ ଶ୍ରୀଦାଣ୍ଡ ଦେଇ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିକଟରେ ପହଞ୍ଚିବେ। ଶ୍ରୀ ଜେନା କହିଛନ୍ତି, ପଞ୍ଚାୟତିରାଜ ବିଭାଗ ଜରିଆରେ ଜାନୁଆରି ୧୮ ତାରିଖରୁ ଦିନକୁ ୧୦ହଜାର ଲୋକଙ୍କୁ ଆଣିବାକୁ ଯୋଜନା କରୁଛୁ। ଜିଓ-ଲୋକେସନକୁ ସାମାଜିକ ଗଣମାଧ୍ୟମରେ ପ୍ରସାର କରାଯିବ। ସମଙ୍ଗ ପାର୍କିଂସ୍ଥଳରେ ୧୨୦ଟି ଅସ୍ଥାୟୀ ଶୌଚାଳୟ ନିର୍ମାଣ କରାଯିବ। ସର୍ବସାଧାରଣଙ୍କ ଗାଡି ମାଳତୀପାଟପୁର ଷ୍ଟାଣ୍ଡରେ ରହିବ। ପରିକ୍ରମା ପ୍ରକଳ୍ପ ଲୋକାର୍ପଣ କାର୍ଯ୍ୟକ୍ରମ ପ୍ରସାରଣ ସାଟେଲାଇଟ୍ ମାଧ୍ୟମରେ କରାଯିବ। ଗଣମାଧ୍ୟମ ପ୍ରତିନିଧିମାନଙ୍କ ପାଇଁ ମିଡିଆ ଲାଉଞ୍ଜ ଖୋଲାଯିବ।
ବୈଠକରେ ଉନ୍ନୟନ କମିସନର ଅନୁ ଗର୍ଗ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପ୍ରମୁଖ ଶାସନ ସଚିବ ସୁଶୀଲ କୁମାର ଲୋହାନୀ, ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ବିଶାଳ ଦେବ, ପୂର୍ତ୍ତ ବିଭାଗର ପ୍ରମୁଖ ଶାସନ ସଚିବ ବୀରବିକ୍ରମ ଯାଦବ, ସୂଚନା ଓ ଲୋକସମ୍ପର୍କ ବିଭାଗ ଶାସନ ସଚିବ ସଞ୍ଜୟ କୁମାର ସିଂହ, ମିସନ ଶକ୍ତି ବିଭାଗ ଶାସନ ସଚିବ ସୁଜାତା କାର୍ତ୍ତିକେୟନ, ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ସଚିନ ଆର୍. ଯାଦବ, ବରିଷ୍ଠ ପୁଲିସ ପ୍ରଶାସକ ଅମିତାଭ ଠାକୁର, ସୂଚନା ଓ ଲୋକସମ୍ପର୍କ ବିଭାଗ ନିର୍ଦ୍ଦେଶକ ସରୋଜ କୁମାର ସାମଲ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ, ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା, ଆରକ୍ଷୀ ଅଧୀକ୍ଷକ ଡା. କେ. ବିଶାଳ ସିଂହ ପ୍ରମୁଖ ଉପସ୍ଥିତ ଥିଲେ।