ଭୋଗରାଇ: ଭୋଗରାଇ ବ୍ଲକର ଅନନ୍ୟ ବେଳାଭୂମି ତାଳସାରୀ-ଉଦୟପୁର ସମୁଦ୍ର ତଟର ଉନ୍ନତୀକରଣ କାର୍ଯ୍ୟର ସମୀକ୍ଷା କରିଛନ୍ତି ଭୋଗରାଇ ବିଧାୟକ ଅନନ୍ତ ଦାସ। ଏହି ଉନ୍ନତୀକରଣ କାର୍ଯ୍ୟ ଦୀର୍ଘ ଦିନରୁ ଆରମ୍ଭ ହୋଇଥିଲେ ସୁଦ୍ଧା ବାତ୍ୟା ଏଥିପାଇଁ ବାଧକ ସାଜିଥିଲା। ତଥାପି ଏ ପର୍ଯ୍ୟନ୍ତ ୫୦ ପ୍ରତିଶତ କାମ ହୋଇ ପାରିନାହିଁ। ଏହାକୁ ଅନୁଧ୍ୟାନ କରିବା ଅବସରରେ ବିଧାୟକ ଶ୍ରୀ ଦାସ ନିର୍ମାଣସ୍ଥଳରେ ପହଞ୍ଚି ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କୁ ଭେଟି କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଆଲୋଚନା କରିଥିଲେ।
ତାଳସାରୀ ଓ ଉଦୟପୁର ବେଳାଭୂମିକୁ ପ୍ରତିବର୍ଷ ୧୦ ଲକ୍ଷରୁ ଅଧିକ ପର୍ଯ୍ୟଟକ ଆସିଥାନ୍ତି। ଏହି ବେଳାଭୂମିକୁ ସଂଯୋଗ କରୁଥିବା ୨. ୭ କିଲୋମିଟର ରାସ୍ତାର ଉନ୍ନତୀକରଣ ପାଇଁ ସରକାରଙ୍କ ପକ୍ଷରୁ ପଦକ୍ଷେପ ମଧ୍ୟ ନିଆଯାଇଛି। ଏହି ବେଳାଭୂମିକୁ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀରେ ପରିଣତ କରିବା ପାଇଁ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୨୧ ମସିହା ଫେବ୍ରୁଆରିରେ ୨୯ କୋଟି ଟଙ୍କା ମଞ୍ଜୁର କରିଥିବା ବେଳେ ଡିସେମ୍ବର ୨୮ ତାରିଖଠାରୁ ଉନ୍ନତୀକରଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ଓସିସି କମ୍ପାନିକୁ ଏହି ଉନ୍ନତୀକରଣ କାର୍ଯ୍ୟଭାର ଦିଆଯିବା ସହିତ ଜଳସେଚନ ବିଭାଗ ଉକ୍ତ କାର୍ଯ୍ୟର ତଦାରଖ କରୁଛି।
ପଥରବନ୍ଧ ଓ ମେରାଇନ୍ ଡ୍ରାଇଭ କାର୍ଯ୍ୟ ଶେଷ ହେବା ପରେ ଏନବିସିସି କମ୍ପାନି ବେଳାଭୂମିର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଆରମ୍ଭ କରିବ। ଏଥିରେ ଗାଧୁଆ ଘର, ପାନୀୟ ଜଳ, ପାର୍କିଂ ବ୍ୟବସ୍ଥା, କ୍ରୀଡ଼ା ସୁବିଧା, ଆଲୋକୀକରଣ, ବିଶ୍ରାମା ଗୃହ, ଆପାର୍ଟମେଣ୍ଟ ସହିତ ଭଲ ହୋଟେଲ ଓ ରେଷ୍ଟୁରାଣ୍ଟ ଇତ୍ୟାଦି ନିର୍ମାଣ କରାଯିବ। ମାତ୍ର କାର୍ଯ୍ୟର ମନ୍ଥର ଗତି ପାଇଁ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ପଛରେ ପଡ଼ିଯାଉଛି। କାର୍ଯ୍ୟର ଅଗ୍ରଗତି ନେଇ ଗତ ମାର୍ଚ୍ଚ ୨୧ରେ ବାଲେଶ୍ବର ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଏକ ସମୀକ୍ଷା ବୈଠକ ଡକାଇଥିଲେ ଏବଂ ବିଭାଗୀୟ ଅଧିକାରୀଙ୍କୁ ତୁରନ୍ତ କାର୍ଯ୍ୟ ଶେଷ କରିବାକୁ ତାଗିଦ ମଧ୍ୟ କରିଥିଲେ।
ରବିବାର ବିଧାୟକ କାର୍ଯ୍ୟ ତ୍ବରାନ୍ବିତ ପାଇଁ ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କୁ ପୁଣିଥରେ ତାଗିଦ କରିଥିବା ବେଳେ ତାଙ୍କ ସହିତ ଜଳସେଚନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଇଂ. ପ୍ରଭାସ କୁମାର ପ୍ରଧାନ, ସହକାରୀ ଯନ୍ତ୍ରୀ ଇଂ. ଡ. ସିଂ, ବିବିପିଏଲ କମ୍ପାନିର ପ୍ରୋଜେକ୍ଟ ମ୍ୟାନେଜର ରମାକାନ୍ତ ରାଉତ, ସାହାବାଜିପୁର ସରପଞ୍ଚ ଅରୁଣ କୁମାର ଗିରି, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଦେବାଶିଷ ଚାନ୍ଦ, ପୂର୍ବତନ ହୁଗୁଳି ସରପଞ୍ଚ ତପନ କୁମାର ପଣ୍ଡା, ହୁଗୁଳି ପଞ୍ଚାୟତ ସମିତି ସଭ୍ୟ ଗୋବିନ୍ଦ ଦାସ, ବିଧାୟକଙ୍କ ପ୍ରତିନିଧି ବିଶ୍ବଜିତ୍ ଦାସ, ରାଜବ୍ରତ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/19-5.jpg)