ମୁଖ୍ୟମନ୍ତ୍ରୀଙ୍କ ରଥଯାତ୍ରା ପ୍ରସ୍ତୁତି ସମୀକ୍ଷା: ଶୃଙ୍ଖଳିତ ରଥଯାତ୍ରା ପାଇଁ ସହଯୋଗ ଲୋଡ଼ିଲେ

ନିର୍ଘଣ୍ଟ ସମୟରେ ମହାପ୍ରଭୁଙ୍କ ନୀତିକାନ୍ତି ଓ କୋଭିଡ ନିୟମକୁ ଗୁରୁତ୍ବ
ଯୋଗଦେଲେ ୪ ମନ୍ତ୍ରୀ, ୫-ଟି ସଚିବ, ପୁଲିସ ଡିଜି

ପୁରୀ : ଚଳିତବର୍ଷ ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରଥଯାତ୍ରା ପାଇଁ ଏସବୁ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ଶୃଙ୍ଖଳିତ ରଥଯାତ୍ରା ପାଇଁ ମହାପ୍ରଭୁଙ୍କ ଆଶୀର୍ବାଦ ଭିକ୍ଷା କରିବା ସହ ପୁରୀବାସୀ ଓ ସେବାୟତଙ୍କ ସହଯୋଗ ଲୋଡ଼ିଛନ୍ତି। କୋଭିଡ୍‌ ନିୟମ ଅନୁପାଳନ ପୂର୍ବକ ନିର୍ଘଣ୍ଟ ସମୟରେ ମହାପ୍ରଭୁଙ୍କ ନୀତିକାନ୍ତି ସମ୍ପନ୍ନ କରିବା ଉପରେ ଗୁରୁତ୍ବ ଦେଇଛନ୍ତି।

ଆଜି ଭର୍ଚୁଆଲ୍‌ ମୋଡ୍‌ରେ ଅନୁଷ୍ଠିତ ଏହି ରଥାଯାତ୍ରା ସମୀକ୍ଷା ବୈଠକରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଥିଲେ କି ଗତବର୍ଷ ସମସ୍ତଙ୍କ ସହଯୋଗରେ ରଥଯାତ୍ରା ସୁରୁଖୁରୁରେ ଶେଷ ହୋଇଥିଲା। ଏଥିପାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି। ଏ ବର୍ଷ ମଧ୍ୟ ପୁରୀ ସହରବାସୀ, ସେବାୟତ ସହଯୋଗ କାମନା କରୁଛି। ଗତବର୍ଷ ପରି ଏ ବର୍ଷ ମଧ୍ୟ ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରା ଏକ ଅସାଧାରଣ ପରିସ୍ଥିତିରେ ହେବାକୁ ଯାଉଛି। ସାରା ବିଶ୍ବ ଟେଲିଭିଜନ ଓ ସୋସିଆଲ ମିଡିଆ ମାଧ୍ୟମରେ ମହପ୍ରଭୁଙ୍କ ଦର୍ଶନ କରିବେ। ତେଣୁ ମହାପ୍ରଭୁଙ୍କ ନୀତି ଠିକ୍‌ ସମୟରେ ଶେଷ ହେବା ଦରକାର। ଏହାସହ କୋଭିଡ୍‌ ନିୟମ ବି ଠିକ ଭାବରେ ପାଳନ ହେବା ଜରୁରୀ। କୋଭିଡ଼ ମହାମାରୀ ସମ୍ପର୍କରେ ସଚେତନ କରାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ କୋଭିଡର ଦ୍ବିତୀୟ ଲହର କମି ଆସୁଥିଲେ ମଧ୍ୟ ବିପଦ ଏ ପର୍ଯ୍ୟନ୍ତ ଦୂର ହୋଇନାହିଁ।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ ଦାସ ବୈଠକରେ ଯୋଗଦେଇ ରଥଯାତ୍ରା ସମୟରେ ସ୍ୱାସ୍ଥ୍ୟସେବା ଉପରେ ଗୁରୁତ୍ବ ଦେଇଥିଲେ। ଚଳିତବର୍ଷ ରଥଯାତ୍ରାରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଥିଲେ। ଆଇନ ମନ୍ତ୍ରୀ ପ୍ରତାପ ଜେନା ଗତବର୍ଷ ପରି ଏ ବର୍ଷ ମଧ୍ୟ ରଥଯାତ୍ରା ସୁରୁଖୁରୁରେ ଶେଷ ହେବ ବୋଲି ଆଶା ପ୍ରକଟ କରିଥିଲେ। ପୁଲିସ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ସୁରକ୍ଷା ବ୍ୟବସ୍ଥା କରାଯାଇଛି ବୋଲି ପୁଲିସ ମହାନିର୍ଦ୍ଦେଶକ ଅଭୟ ସୂଚନା ଦେଇଥିଲେ।

ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ଭି କେ ପାଣ୍ଡିଆନ୍‌ଙ୍କ ପରିଚାଳନାରେ ଅନୁଷ୍ଠିତ ଏହି ବୈଠକରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ, କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତୀ ବେହେରା, ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ସଂଜୟ କୁମାର ଦାସବର୍ମା, ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଉନ୍ନୟନ କମିସନର ପ୍ରଦୀପ କୁମାର ଜେନା, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ୍‌ କୁମାର, ଜିଲ୍ଲାପାଳ ସମର୍ଥ ବର୍ମା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର