ଜାତୀୟ ରାଜପଥ ଅଗ୍ରଗତି ନେଇ ଉପବାଚସ୍ପତିଙ୍କ ସମୀକ୍ଷା, ବକେୟା କାମ ତ୍ବରାନ୍ବିତକୁ ଗୁରୁତ୍ବ

ଅନୁଗୁଳ: ବକେୟା କାମ ସାରିବାକୁ ତୁରନ୍ତ ପ୍ରକ୍ରିୟା ଆରମ୍ଭ କର। ଯେତେ ଶୀଘ୍ର ସମ୍ଭବ କାମ ଶେଷ କର। ବିଭିନ୍ନ ବିଭାଗ ମଧ୍ୟରେ ସମନ୍ବୟ ରକ୍ଷା କରି ଜାତୀୟ ରାଜପଥର ପ୍ରଶସ୍ତୀକରଣ କାମ ତ୍ବରାନ୍ବିତ କରିବାକୁ ଏମିତି ନିର୍ଦେଶ ଦିଆଯାଇଛି। ଆଜି ଉପବାଚସ୍ପତି ରଜନୀକାନ୍ତ ସିଂହଙ୍କ ଅଧ୍ୟକ୍ଷତାରେ ଜାତୀୟ ରାଜପଥ କାର୍ଯ୍ୟ ନେଇ ସମୀକ୍ଷା କରାଯାଇଥିଲାବେଳେ ୨୦୨୩ ସୁଦ୍ଧାଂ କାମ ସାରିବାକୁ ଟାର୍ଗେଟ ରଖାଯାଇଛି।

ଅନୁଗୁଳ ସର୍କିଟ୍ ହାଉସରେ ଆଜି ଅନୁଷ୍ଠିତ ସମୀକ୍ଷା ବୈଠକରେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ, ଆଠମଲ୍ଲିକ ବିଧାୟକ ରମେଶ ସାଏ, ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ସମେତ ଜିଲ୍ଲା ପ୍ରଶାସନ ଓ ଜାତୀୟ ରାଜପଥ ପ୍ରାଧୀକରଣ କର୍ତ୍ତୃପକ୍ଷଙ୍କ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ। ବୈଠକରେ ୫୫ନମ୍ବର ଜାତୀୟ ରାଜପଥର ପ୍ରଶସ୍ତୀକରଣ ନେଇ ସବିଶେଷ ଆଲୋଚନା କରାଯାଇଥିଲା। ଗାୟତ୍ରୀ ସଂସ୍ଥା ଦେବାଳିଆ ହେବା ପରେ ଏହି କାମ ପୁଣି ଆରମ୍ଭ କରିବା ପାଇଁ ସବ୍-କଣ୍ଟ୍ରାକ୍ଟ ଦିଆଯାଇଛି। କାମ ପାଇଥିବା ଠିକା ସଂସ୍ଥା ଏ ଭିତରେ କାମ ଆରମ୍ଭ କରିବା ନେଇ ପ୍ରକ୍ରିୟା ଆରମ୍ଭ କରିଛି। ଜୁଲାଇ ତୃତୀୟ ସପ୍ତାହ ବେଳକୁ ଅନୁଗୁଳ-ଢେଙ୍କାନାଳ ଜାତୀୟ ରାଜପଥ କାମ ଆରମ୍ଭ କରିବାକୁ ଟାର୍ଗେଟ ରଖାଯାଇଛି। ସେହିପରି ଅନୁଗୁଳ ସହର ପାଇଁ କରାଯାଇଥିବା ପଞ୍ଚମହଲା-ନୂଆହତା ବାଇପାସ୍ କାମ ଅଧପନ୍ତରିଆ ପଡ଼ିଥିବାବେଳେ ଏଥିନେଇ ରହିଥିବା ସମସ୍ୟା ସଂପର୍କରେ ଆଲୋଚନା କରାଯାଇଥିଲା। କଂକ୍ରିଟ୍ ରାସ୍ତା ବଦଳରେ ଏହାକୁ ପିଚୁ କରିବା ପାଇଁ ପ୍ରସ୍ତାବ ଦିଆଯାଇଛି। ଏହା ଅନୁମୋଦନ ଲାଭ କଲେ ଶୀଘ୍ର କାମ ଶେଷ ହୋଇପାରିବ। ଅପରପକ୍ଷରେ ସହର ଦେଇ ଯାଇଥିବା ପୁରୁଣା ରାସ୍ତାର ଉନ୍ନତିକରଣ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବୈଠକରେ କୁହାଯାଇଥିଲା। ତେବେ ରାସ୍ତା କାମ ହୋଇଥିଲେ ମଧ୍ୟ ଡ୍ରେନେଜ ବ୍ୟବସ୍ଥା ନ ଥିବାରୁ ପାଣି ଜମୁଛି। ଏହାର ସମାଧାନର ବାଟ ବାହାର କରିବାକୁ ଅଧିକାରୀମାନଙ୍କୁ କୁହାଯାଇଛି। ଏହି ଜାତୀୟ ରାଜପଥର ଡ୍ରେନେଜ ମ୍ୟାପ କାହା ପାଖରେ ନ ଥିବାରୁ ସମସ୍ୟା ହେଉଛି। ଅତି ଖରାପ ହୋଇଥିବା ୬ଟି ସ୍ଥାନର ମରାମତି କାମ ଜିଲ୍ଲା ପ୍ରଶାସନ ପକ୍ଷରୁ କରାଯାଇଛି। ଏପଟେ ଅନ୍ୟ ରାସ୍ତାର ଉନ୍ନତିକରଣ କାମ ଏବେ ଚାଲିଛି। ଅଳ୍ପ ଦିନ ଭିତରେ ଏହା ଶେଷ ହୋଇଯିବ ବୋଲି ଅଧିକାରୀ ସୂଚନା ଦେଇଥିଲେ।

ବୈଠକରେ ବଅଁରପାଳ-ତାଳଚେର ଜାତୀୟ ରାଜପଥ ନେଇ ମଧ୍ୟ ଆଲୋଚନା କରାଯାଇଥିଲା। ଜାତୀୟ ରାଜପଥ ନିର୍ମାଣ ସମୟରେ ଜଳଯୋଗାଣ, ବିଦ୍ୟାଳୟ, ପୂର୍ତ୍ତ ବିଭାଗ ସହ ରହିଥିବା ବିଭିନ୍ନ ସମସ୍ୟାର ସମାଧାନ ନେଇ ବୈଠକରେ ଗୁରୁତ୍ବ ଦିଆଯାଇଥିଲା। ସେହିପରି ଜମିହରାଙ୍କୁ କ୍ଷତିପୂରଣ ପ୍ରଦାନ କରିବାକୁ କୁହାଯାଇଥିଲା। ବୈଠକରେ ଅତିରିକ୍ତ ଜିଲ୍ଲାପାଳ ରଜନୀକାନ୍ତ ସ୍ବାଇଁ, ଅତିରିକ୍ତ ଜିଲ୍ଲାପାଳ(ରାଜସ୍ବ) ସନ୍ତୋଷ କୁମାର ପ୍ରଧାନ, ଅନୁଗୁଳ ଉପଜିଲ୍ଲାପାଳ ବଇତୁରା ଦୀପଙ୍କ ସମେତ ଶିକ୍ଷା, ପୂର୍ତ୍ତ, ଗ୍ରାମ୍ୟ ଜଳଯୋଗାଣ, ଜାତୀୟ ରାଜପଥ କର୍ତ୍ତୃପକ୍ଷର ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର