ବୌଦ୍ଧ : ପାନୀୟ ଜଳ ସଂକଟ ମୁକାବିଲା ସମୀକ୍ଷା 

ବୌଦ୍ଧ : ଆଗାମୀ ଗ୍ରୀଷ୍ମ ଋତୁରେ ବୌଦ୍ଧ ଜିଲ୍ଲାରେ ପାନୀୟ ଜଳ ଯୋଗାଣକୁ ବ୍ୟବସ୍ଥିତ କରିବା ନେଇ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ଡିଆର୍‌ଡିଏ ସମ୍ମିଳନୀ କକ୍ଷରେ ଅନୁ‌ଷ୍ଠିତ ବୈଠକରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଅଧ୍ୟକ୍ଷତା କରିଥିଲେ। ବୌଦ୍ଧ ବିଧାୟକ ପ୍ରଦୀପ ଅମାତ ଅତିଥି ଭାବରେ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ପିଡି ଡିଆର୍‌ଡିଏ ବବିତ‌ା ରାଣୀ ଦଳବେହେରା, ଆର୍‌ଡବ୍ଲୁଏସ୍‌ଏସ୍‌ ନିର୍ବାହୀ ଯନ୍ତ୍ରୀ, ବିଦ୍ୟୁତ ବିଭାଗ ନିର୍ବାହୀ ଯନ୍ତ୍ରୀ, ପିଡବ୍ଲୁଡି ଅଧିକାରୀ, ବୌଦ୍ଧ ଓ ହରଭଙ୍ଗା ବିଡିଓ ଯୋଗ ଦେଇଥିଲେ।

ଗ୍ରୀଷ୍ମ ଋତୁରେ ଜିଲ୍ଲାର ସମସ୍ତ ଗ୍ରାମ ଓ ଏନ୍‌ଏସି ଅଞ୍ଚଳରେ ପାନୀୟ ଜଳର ସୁବିଧା କରିବାକୁ ଜିଲ୍ଲାପାଳ ଗୁରୁତ୍ବାରୋପ କରିଥିଲେ। ବ୍ଲକ ଅଞ୍ଚଳରେ ଥିବା ନଳକୂଅଗୁଡ଼ିକର ତୁରନ୍ତ ମରାମତି ପାଇଁ ଆବଶ୍ୟକୀୟ ଯନ୍ତ୍ରାଂଶ ମହଜୁଦ ରଖିବା ପାଇଁ ଜିଲ୍ଲାପାଳ ବିଡିଓଙ୍କୁ ନିର୍ଦ୍ଦେଶ ଦେଇଥିଲେ। ନଳକୂଅ ଓ ପାଇପ ଜଳର ସୁବିଧା ନଥିବା ଗ୍ରାମମାନଙ୍କରେ ଟ୍ୟାଙ୍କର ଯୋଗେ ପାନୀୟ ଜଳ ଯୋଗାଣ କରିବାକୁ କହିଥିଲେ। ଜଳ ଯୋଗାଣ ପ୍ରକଳ୍ପଗୁଡ଼ିକର ବାକିଥିବା ବିଦ୍ୟୁତ ଦେୟ ପଇଠ କରିବାକୁ ସରପଞ୍ଚଙ୍କୁ ନିର୍ଦ୍ଦେଶ ଦେଇଥିଲେ। ମନମୁଣ୍ଡାରୁ ଚାରିଛକ ପର୍ଯ୍ୟନ୍ତ ଜାତୀୟ ରାଜପଥର ପ୍ରଶସ୍ତିକରଣ ବେଳେ ନଷ୍ଟ ହୋଇଥିବା ୨୭ଟି ନଳକୂଅ ଓ ପାଇପ ଲାଇନ କ୍ଷତିଗ୍ରସ୍ତ ହୋଇଥିବା ୧୪ଟି ଜଳ ପ୍ରକଳ୍ପକୁ ନେଇ ବୈଠକରେ ଉଦ୍‌ବେଗ ପ୍ରକାଶ ପାଇଥିଲା। ଏଥିପାଇଁ ସରକାରଙ୍କଠାରୁ ମଞ୍ଜୁର ହୋଇଥିବା ୧କୋଟି ୮୦ ଲକ୍ଷ ଟଙ୍କା ବିନିଯୋଗ କରିବାକୁ ସମ୍ବଲପୁରସ୍ଥିତ ଏନ୍‌ଏଚ୍‌ଏଆଇର ନିର୍ବାହୀ ଯନ୍ତ୍ରୀଙ୍କୁ କୁହାଯିବାକୁ ନିଷ୍ପତ୍ତି ହୋଇଥିଲା।

ସେହିପରି ବୁଟୁମୁଣ୍ଡାଠାରୁ ବଘିଆପଡ଼ା ରାସ୍ତାର ପ୍ରଶସ୍ତୀକରଣ ଯୋଗୁଁ ନ‌ଷ୍ଟ ହୋଇଥିବା ୨୨ଟି ନଳକୂଅ ଓ ୨ଟି ଜଳ ‌ଯୋଗାଣ ପ୍ରକଳ୍ପର ପୁନରୁଦ୍ଧାର କରିବାକୁ ପିଡବ୍ଲୁଡି ନିର୍ବାହୀ ଯନ୍ତ୍ରୀଙ୍କୁ ଅନୁରୋଧ କରାଯାଇଥିଲା। ଗ୍ରାମରେ କମିଟି ଗଠନ କରି ବୌଦ୍ଧ ଓ କଣ୍ଟାମାଳ ବ୍ଲକର ସମସ୍ତ ଜଳ ଯୋଗାଣ ପ୍ରକଳ୍ପ ଅଧୀନରେ ଥିବା ଘରଗୁଡ଼ିକୁ ପାଇପ ଜଳ ଯୋଗାଣ କରିବାକୁ ନିଷ୍ପତ୍ତି ଗୃହିତ ହୋଇଥିଲା।

ସମ୍ବନ୍ଧିତ ଖବର