ଭୁବନେଶ୍ବର : ଓଡ଼ିଶା ଉଠା ଜଳସେଚନ ନିଗମ(ଓଏଲ୍‌ଆଇସି) ଅଧ୍ୟକ୍ଷ ଅମରେଶ ପତ୍ରୀ ସୋମବାର ନୟାଗଡ ଜିଲ୍ଲା ଗସ୍ତ କରିଥିଲେ। ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରଶିକ୍ଷଣ କକ୍ଷରେ ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ, ଜିଲ୍ଲା ପରିଷଦ ସଭାପତି ଦେବାଶିଷ ପଟ୍ଟନାୟକ, ଫୁଲବାଣୀ ସାଂସଦଙ୍କ ପ୍ରତିନିଧି ସଦାଶିବ ମିଶ୍ର ଓ ଇଞ୍ଜିନିୟରମାନଙ୍କ ଉପସ୍ଥିତି‌ରେ ଉଠାଜଳସେଚନ ପ୍ରକଳ୍ପର ସ୍ଥିତି ଓ କାର୍ଯ୍ୟକାରିତାର ସମୀକ୍ଷା କରିଥିଲେ।

Advertisment

ଦ୍ୱିତୀୟ ପର୍ଯ୍ୟାୟରେ ନୟାଗଡ଼ ଜିଲ୍ଲା ପରିଷଦ ସୃଜନ ସଭାଗୃହରେ ଅନୁଷ୍ଠିତ ଅନ୍ୟ ଏକ ବୈଠକରେ ପୂର୍ବତନ ମନ୍ତ୍ରୀ ତଥା ନୟାଗଡ଼ ବିଧାୟକ ଅରୁଣ କୁମାର ସାହୁଙ୍କ ସହିତ ନୟାଗଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଉଠା ଜଳସେଚନ ପ୍ରକଳ୍ପର ସ୍ଥିତିର ସମୀକ୍ଷା ସହ କୃଷକମାନଙ୍କର ଅଭିଯୋଗ ଶୁଣି ସମାଧାନ ପାଇଁ ସଂପୃକ୍ତ ଯନ୍ତ୍ରୀ ଓ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଉଠା ଜଳସେଚନ ପ୍ରକଳ୍ପଗୁଡିକରୁ କୃଷକମାନେ କିପରି ଅଧିକରୁ ଅଧିକ ଲାଭ ଉଠାଇ ପାରିବେ, ସେ ସଂପର୍କରେ ଆଲୋକପାତ କରି ଧାନ ବ୍ୟତୀତ ଡାଲି, ତୈଳବୀଜ ଆଦି ଅନ୍ୟ ଅର୍ଥକାରୀ ଫସଲ ଚାଷ କରିବାକୁ ଅଧ୍ୟକ୍ଷ ଶ୍ରୀ ପତ୍ରୀ ପରାମର୍ଶ ଦେଇଥିଲେ। ରାଜ୍ୟ ସରକାରଙ୍କ ‘୫-ଟି’ ମନ୍ତ୍ରକୁ ଆଧାର କରି ନିର୍ଦ୍ଧାରିତ ସମୟ ମଧ୍ୟରେ ପ୍ରକଳ୍ପ କାର୍ଯ୍ୟ ସାରିବା ପାଇଁ ଯନ୍ତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ।

ଉଭୟ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ କଟକ ଓଏଲ୍‌ଆଇସି ଅଧିକ୍ଷଣ ଯନ୍ତ୍ରୀ ମାନସ ରଂଜନ ନାୟକ, ନୟାଗଡ଼ ନିର୍ବାହୀ ଯନ୍ତ୍ରୀ ନିରଞ୍ଜନ ଦାସ, ଖଣ୍ଡପଡ଼ା ସହକାରୀ ନିର୍ବାହୀ ଯନ୍ତ୍ରୀ ବିଜୟ ତରାଇ, ଦଶପଲ୍ଲା ସହକାରୀ ନିର୍ବାହୀ ଯନ୍ତ୍ରୀ ଅଶୋକ ସାହୁ, ସହକାରୀ ନିର୍ବାହୀ ଯନ୍ତ୍ରୀ(ଯାନ୍ତ୍ରିକ) ଓ ଅନ୍ୟଯନ୍ତ୍ରୀମାନେ ଉପସ୍ଥିତ ଥିଲେ।