ବନ୍ୟାଞ୍ଚଳରେ ରାଜସ୍ବ ମନ୍ତ୍ରୀଙ୍କ ସମୀକ୍ଷା: ପାଣିକୁ ଗଲେନି, ରାସ୍ତା ଉପରୁ ସ୍ଥିତି ଅନୁଧ୍ୟାନ କଲେ

ପୁରୀ/ ଗଡ଼ିଶାଗୋଦା : ପୁରୀ ଜିଲ୍ଲାର ବନ୍ୟାଞ୍ଚଳ ବୁଲିବା ସହ ଉଦ୍ଧାର ଓ ରିଲିଫ୍‌ କାର୍ଯ୍ୟ ନେଇ ଶୁକ୍ରବାର ଦିନ ସ୍ଥିତି ସମୀକ୍ଷା କରିଛନ୍ତି ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ। ମନ୍ତ୍ରୀ, ସାଂସଦ, ବିଧାୟକଙ୍କ ସହ ଅଧିକାରୀଙ୍କୁ ନେଇ ବନ୍ୟା ସଂପର୍କରେ ଆଲୋଚନା କରିଛନ୍ତି। ତେବେ ଶ୍ରୀମତୀ ମଲ୍ଲିକ ଶୁକ୍ରବାର ଦିନ ବନ୍ୟାଞ୍ଚଳକୁ ଯାଇଥିଲେ ବି ପାଣିକୁ ନ ଯାଇ ରାସ୍ତା ଉପରୁ ସ୍ଥିତି ଅନୁଧ୍ୟାନ କରି ଫେରି ଆସିବାକୁ ନେଇ ସାଧାରଣରେ ସମାଲୋଚନା କରାଯାଇଛି। ଯେଉଁଠି ବନ୍ୟାପାଣି ଭିତରେ ଲୋକେ କଲବଲ ହେଉଛନ୍ତି, ସେଠି ଲୋକଙ୍କ ପାଖକୁ ନ ଯାଇ, ସେମାନଙ୍କ ଦୁଃଖ ନ ବୁଝି ମନ୍ତ୍ରୀ ପାଣି ଦେଖି ଫେରି ଆସିବା କେତେଦୂର ଠିକ୍‌ ବୋଲି ଲୋକେ ପ୍ରଶ୍ନ କରିଛନ୍ତି।

ଶୁକ୍ରବାର ଦିନ ରାଜସ୍ବ ମନ୍ତ୍ରୀ ଶ୍ରୀମତୀ ମଲ୍ଲିକ ପୁରୀରେ ପହଞ୍ଚିବା ପରେ ରାଜନେତାଙ୍କ ସହ କଣାସ ବ୍ଲକ୍‌ ପରିଦର୍ଶନ କରିଥିଲେ। ସାହୁପଡ଼ା ଘାଇ ନିକଟ ଅଞ୍ଚଳର ସ୍ଥିତି ଅନୁଧ୍ୟାନ କରିଥିଲେ। ପରେ ଅନ୍ୟାନ୍ୟ ସ୍ଥାନ ବୁଲିଥିଲେ। ଅପରାହ୍ଣରେ ପୁରୀ ସ୍ବତନ୍ତ୍ର ସର୍କିଟ ହାଉସ୍‌ରେ ବନ୍ୟା ସ୍ଥିତି ସମୀକ୍ଷା କରିଥିଲେ। ପାଣି ଛାଡ଼ିବା ପରେ ବିକଳ୍ପ ଚାଷ ପାଇଁ କମ୍‌ ଦିନିଆ ଧାନ ବିହନ ଯୋଗାଣ ଉପରେ ମନ୍ତ୍ରୀ ଗୁରୁତ୍ବ ଦେଇଥିଲେ। ଆବଶ୍ୟକତା ଅନୁସାରେ ପଲିଥିନ୍‌ ବଣ୍ଟନ ପାଇଁ ପରାମର୍ଶ ଦେଇଥିଲେ। ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ନଦୀବନ୍ଧଗୁଡିକୁ ନିୟମିତ ଯାଞ୍ଚ ସହ ବନ୍ଧରେ ଉଠୁଥିବା ଗଛଗୁଡିକୁ ସଫା କରାଗଲେ ଘଳିଆ ଆଶଙ୍କା କମିବ ବୋଲି ମତବ୍ୟକ୍ତ କରିଥିଲେ। ଖାଦ୍ୟ ଓ ଗୋଖାଦ୍ୟର ସୁଷମ ବଣ୍ଟନ ଉପରେ ସେ ଗୁରୁତ୍ୱ ଦେଇଥିଲେ। କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା ଜଳସେଚନ ବିଭାଗର ବିଭିନ୍ନ ପ୍ରକଳ୍ପକୁ ତୁରନ୍ତ ଶେଷ କରିବାକୁ କହିଥିଲେ। ବୈଠକରେ ଜଗତସିଂହପୁର ସାଂସଦ ଡା. ରାଜଶ୍ରୀ ମଲ୍ଲିକ, ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ, ପୁରୀ ସଦର ବିଧାୟକ ଜୟନ୍ତ ଷଡ଼ଙ୍ଗୀ, ପିପିଲି ବିଧାୟକ ରୁଦ୍ରପ୍ରତାପ ମହାରଥୀ, ପୂର୍ବତନ ମନ୍ତ୍ରୀ ମହେଶ୍ବର ମହାନ୍ତି, ଜିଲ୍ଲା ପରିଷଦ ସଭାପତି ସ୍ୱପ୍ନାରାଣୀ ସ୍ୱାଇଁ, ଉପସଭାପତି ସ୍ୱାଧୀନ ନାୟକ ପ୍ରମୁଖ ପ୍ରତି ପଞ୍ଚାୟତରେ ଗୋଟିଏ ଲେଖାଏଁ ବନ୍ୟା, ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ, ବନ୍ୟା ଓ ବନ୍ୟା ପରବର୍ତ୍ତୀ ପରିଚାଳନା ସମ୍ପର୍କରେ ଆଲୋକପାତ କରିଥିଲେ।

ଏହି ଅବସରରେ ଜିଲ୍ଲା ପ୍ରଶାସନ ବନ୍ୟା ସଂପର୍କିତ ସୂଚନା ଦେଇ କହିଥିଲା ଯେ କଣାସ ବ୍ଲକ୍‌ର ମକରା ନଦୀର ସାହୁପଡ଼ା, ଜଟଣୀ ବ୍ଲକ୍‌ର ରାଜୁଆ ନଦୀର ହଳଦୀପଡ଼ା ଓ ଗୋପ ବ୍ଲକ୍‌ର କୁଶଭଦ୍ରା ନଦୀର ବେଦପୁର ପଞ୍ଚାୟତର ଖଣ୍ଡିଆକୁଦଠାରେ ଘାଇ ସୃଷ୍ଟି ହେବା ଫଳରେ ଜିଲ୍ଲାର ମୋଟ ୧୧ଟି ବ୍ଲକ୍‌ରୁ ୬ଟି ବ୍ଲକର ୪୫ ପଞ୍ଚାୟତର ୧୮୯ ଗ୍ରାମର ୧ ଲକ୍ଷ ୪୩ ହଜାର ୪୨୯ ଲୋକ ପ୍ରଭାବିତ ହୋଇଥିବା ପ୍ରଶାସନ ସୂଚନା ଦେଇଛି। ୧୨ ହଜାର ୩୧୯ଜଣଙ୍କୁ ପାଣି ଘେରରୁ ଉଦ୍ଧାର କରାଯାଇଛି। ୩୯ଟି ଆଶ୍ରୟସ୍ଥଳ ଖୋଲାଯାଇଛି। ୨୧ ପ୍ରସୂତିଙ୍କୁ ଚିକିତ୍ସାଳୟକୁ ପଠାଯାଇଛି। ପ୍ରଭାବିତଙ୍କୁ ୧୧୭୪.୨୩ କ୍ବିଣ୍ଟାଲ ଚୁଡା, ୧୧୧.୮୬ କ୍ବିଣ୍ଟାଲ ଗୁଡ ଓ ୧ଲକ୍ଷ ୪୭ହଜାର ୭୪୪ ପାଣି ବୋତଲ, ୮୭.୫୫ ମେଟ୍ରିକ ଟନ ଗୋଖାଦ୍ୟ, ୧୪୧୫ ଖଣ୍ଡ ପଲିଥିନ୍‌ ବଣ୍ଟନ କରାଯାଇଛି। ଜିଲ୍ଲାର ୯୦ଟି ପଞ୍ଚାୟତର ୪୧୧ ଗାଁର ୨୩ ହଜାର ୬୩୫ ହେକ୍ଟର ଚାଷ ଜମି ଜଳମଗ୍ନ ହୋଇଥିବା ଜିଲ୍ଲା ପ୍ରଶାସନ ସୂଚନା ଦେଇଛି। ଜିଲ୍ଲାରେ ବିପର୍ଯ୍ୟୟ ମୁକାବିଲା ପାଇଁ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ କାର୍ଯ୍ୟ କରୁଥିବା ବେଳେ ପରିଚାଳନା ପାଇଁ ବରିଷ୍ଠ ଅଧିକାରୀମାନଙ୍କୁ ବିଭିନ୍ନ ବ୍ଲକ୍‌ର ଦାୟିତ୍ୱ ଦିଆଯାଇଛି। ବୈଠକରେ ଜିଲ୍ଲାପାଳ ସମର୍ଥ ବର୍ମା, ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, ଅତିରିକ୍ତ ଜିଲ୍ଲାପାଳ କୈଳାସ ଚନ୍ଦ୍ର ନାୟକଙ୍କ ସମେତ ବହୁ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର