ସୁନ୍ଦରଗଡ଼ରେ ୩୮,୮୧୪ କେନ୍ଦୁପତ୍ର ତୋଳାଳି; ୫,୭୦୮ ତୋଳାଳିଙ୍କୁ ମିଳିନି ବିଜୁ ସ୍ବାସ୍ଥ୍ୟ କାର୍ଡ

କେନ୍ଦୁପତ୍ର ଶ୍ରମିକଙ୍କ ସାମାଜିକ ସୁରକ୍ଷା ଯୋଜନାର ସମୀକ୍ଷା

ରାଉରକେଲା : କେନ୍ଦୁପତ୍ର ୱେଲଫେୟାର ବୋର୍ଡ ଉପଦେଷ୍ଟା ସଞ୍ଜିତ ମହାନ୍ତି ରାଉରକେଲା କେନ୍ଦୁଲିପି ଡିଭିଜନ କାର୍ଯ୍ୟାଳୟରେ ସାମାଜିକ ସୁରକ୍ଷା ଯୋଜନାର ସମୀକ୍ଷା କରିଛନ୍ତି। ରାଉରକେଲା ଡି ଏଫ୍ ଓ ଙ୍କ କାର୍ଯ୍ୟାଳୟରେ ସରକାରଙ୍କ ଦ୍ଵାରା ଘୋଷିତ ଏବଂ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନାର ସମୀକ୍ଷା କରିଥିଲେ। ବିଶେଷ ଭାବେ ବୋନସ, ମୃତ୍ୟୁକାଳୀନ ସହାୟତା, ପାଣି ବୋତଲ, ଚପଳ, ପରିଚୟ ପତ୍ର, ଗୋଛା କଟେଇ, ଫଡି ମରାମତି ବିଷୟରେ ଆଲୋଚନା କରାଯାଇଥିଲା। ୨୦୧୯ ମସିହାରୁ ବନ୍ଦ ଥିବା ଛାତ୍ର ବୃତ୍ତି ସାହାଯ୍ୟ ପୁନର୍ବାର ଆରମ୍ଭ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ପରେ ଏଇ ଶିକ୍ଷାବର୍ଷରେ କାର୍ଯ୍ୟକାରୀ କରାଯାଉଛି।

ପ୍ରତ୍ୟେକ ତୋଳାଳୀ ଏବଂ କର୍ମଚାରୀଙ୍କୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ଅନ୍ତର୍ଭୁକ୍ତ କରିବା ପାଇଁ ଓଡ଼ିଶା ସରକାରଙ୍କ ନିର୍ଦେଶ ପରେ ସୁନ୍ଦରଗଡ କେନ୍ଦୁପତ୍ର ଡିଭିଜନରେ ଥିବା ୩୮,୮୧୪ ତୋଳାଳୀଙ୍କ ମଧ୍ୟରୁ ୩୩୧୦୬ ଜଣ ବର୍ତ୍ତମାନ ଯାଏ ଅର୍ନ୍ତଭୁକ୍ତ କରାଯାଇଛି। ଅନ୍ୟ ୫୭୦୮ ଜଣ ବିଜୁ ସ୍ବାସ୍ଥ୍ୟ କାର୍ଡ ପାଇବାରୁ ବଞ୍ଚିତଙ୍କୁ ଏହି ଯୋଜନାର ଅନ୍ତର୍ଭୂକ୍ତ କରିବା ପଦକ୍ଷେପ ଗ୍ରହଣ କରାଯାଉଛି। ସେହିପରି ୫୨ ଜଣ ତୋଳାଳୀ ମୃତ୍ୟୁ ସହାୟତା ଭାବରେ ୭୩,୦୦୦,୦୦ ଟଙ୍କା ଓ ୧୧ ଜଣ କର୍ମଚାରୀ ୧,୫୦୦,୦୦ଟଙ୍କା ସହାୟତା ପାଇଛନ୍ତି। ମୃତ୍ୟୁ ସହାୟତା ଗତ ବର୍ଷ ପର୍ଯ୍ୟନ୍ତ ଏକ ଲକ୍ଷ ଟଙ୍କା ଥିବାବେଳେ ଚଳିତ ବର୍ଷରୁ ଏହାକୁ ବୃଦ୍ଧି କରାଯାଇ ଦୁଇ ଲକ୍ଷ୍ ଟଙ୍କା କରାଯାଇଛି। ସାମାଜିକ ସୁରକ୍ଷା ଯୋଜନାର ଅନ୍ତର୍ଭୁକ୍ତ ହେବା ପାଇଁ ଦୁଇ ହଜାର କେରି ପତ୍ର ମାପଦଣ୍ଡକୁ କୋହଳ କରି ହଜାରେ କେରି ମାପଦଣ୍ଡ ରଖାଯାଇଛି। ଚଳିତ ବିଧାନସଭା ବଜେଟ ଅଧିବେଶନରେ ୫୦କୋଟି ଟଙ୍କା ମୁଖ୍ୟମନ୍ତ୍ରୀ କେନ୍ଦୁପତ୍ର ଉନ୍ନୟନ ପାଣ୍ଠିକୁ ପ୍ରଦାନ ଘୋଷଣା ସହ ଗତ ନଭେମ୍ବର ମାସରେ ଓଡ଼ିଶାର ଆଠ ଲକ୍ଷ ତୋଳାଳୀଙ୍କୁ ୧୦୦୦ ଟଙ୍କା ଏବଂ ୧୮ହଜାର ସିଜିନାଲ୍ କର୍ମଚାରୀଙ୍କୁ ୧୫୦୦ ଟଙ୍କା ପ୍ରଦାନକୁ ତୋଳାଳୀ କର୍ମଚାରୀ ଏବଂ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘର କର୍ମକର୍ତ୍ତାମାନଙ୍କ ପକ୍ଷରୁ ସ୍ବାଗତ କରାଯାଇଛି। ସମୀକ୍ଷା ବୈଠକରେ ଡି ଏଫ୍ ଓ ଗୋକୁଳ ଚନ୍ଦ୍ର ପାଇକଙ୍କ ସହ ଏସ ଡି ଏଫ୍ ଓ ପବିତ୍ର ମୋହନ ପ୍ରଧାନ, ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ରାଜ୍ୟ ସମ୍ପାଦକ ମହମ୍ମଦ, ଡିଭିଜନ ସମ୍ପାଦକ କ୍ଷେତ୍ର ଚନ୍ଦ୍ର ବାରିକ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର