କୃଷି କ୍ୟାବିନେଟ୍‌ରେ ଚାଷ ସ୍ଥିତି ସମୀକ୍ଷା : ସରକାରଙ୍କ ଖରିଫ୍‌, କାଳିଆ, ବଳରାମ ଚିନ୍ତା

ଭୁବନେଶ୍ୱର : କୋଭିଡ୍‌-୧୯ ସ୍ଥିତିରେ କୃଷକମାନଙ୍କୁ ସହାୟତା ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀ କୃଷି ଏବଂ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ପାଇଁ ୩୭୩.୯୫୮ କୋଟି ଟଙ୍କା ଘୋଷଣା କରିଛନ୍ତି। ଖରିଫ ଋତୁରେ ଚଳିତ ବର୍ଷ ୫୫.୫୨ ଲକ୍ଷ ହେକ୍ଟର ଜମିରେ ଚାଷ ହୋଇଥିବା ବେଳେ ୨୧ଲକ୍ଷ କୃଷକଙ୍କୁ ବିଭିନ୍ନ ଆର୍ଥିକ ଅନୁଷ୍ଠାନ ମାଧ୍ୟମରେ ୯ ହଜାର ୯୬୪ କୋଟି ୪୭ ଟଙ୍କାର ଫସଲ ଋଣ ପ୍ରଦାନ କରାଯାଇଛି। ଏହାସହିତ ୧୪.୦୮ ଲକ୍ଷ କୃଷକଙ୍କୁ ଫସଲ ବୀମା ଯୋଜନାରେ ସାମିଲ କରାଯାଇଛି। କାଳିଆ ଓ ବଳରାମ ଯୋଜନା କରି ଗରିବ ଓ ଭାଗଚାଷୀଙ୍କୁ ସହାୟତା କରାଯାଇପାରିଛି। କୃଷି କ୍ଷେତ୍ରରେ ଉନ୍ନତି ଆଣିବା ସହିତ କର୍ମଚାରୀମାନଙ୍କୁ ସ୍ବୀକୃତି ପ୍ରଦାନ କରିବା ଲକ୍ଷ୍ୟରେ ସରକାରଙ୍କ ୫’ଟି’ ଅନ୍ତର୍ଗତ ‘ଦକ୍ଷତା’ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଆଜି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଷଷ୍ଠ କୃଷି କ୍ୟାବିନେଟ୍‌ କମିଟି ବୈଠକରେ ଏହିସବୁ ଯୋଜନାଗୁଡ଼ିକ ସମ୍ପର୍କରେ ବିଶଦ ସମୀକ୍ଷା କରାଯାଇଛି।

ବୈଠକ ପରେ କୃଷି ସଚିବ ସୌରଭ ଗର୍ଗ କହିଛନ୍ତି ଯେ ୨୦୨୦ ଖରିଫ୍‌ ବର୍ଷରେ ୬୧.୬୧ ଲକ୍ଷ ହେକ୍ଟର ଜମିରେ ଖରିଫ ଚାଷ କରିବା ପାଇଁ ଧାର୍ଯ୍ୟ କରାଯାଇଥିଲା। କିନ୍ତୁ ଏବେସୁଦ୍ଧା ୫୫ ଲକ୍ଷ ହେକ୍ଟର ଜମିରେ ଖରିଫ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି। ଇ-ପେଷ୍ଟ୍‌ ସର୍ବେକ୍ଷଣ ଦ୍ବାରା ଫସଲ ଓ କୀଟରୋଗର ଅନୁଧ୍ୟାନ ଗ୍ରାମ ପଞ୍ଚାୟତ ସ୍ତର ପର୍ଯ୍ୟନ୍ତ ତଦାରଖ କରାଯାଇଛି। ଫସଲ ଓ କୀଟରୋଗ ପରିଚାଳନା ସମ୍ବନ୍ଧୀୟ ଆବଶ୍ୟକୀୟ ପରାମର୍ଶ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ ନେତୃତ୍ବରେ ବୈଷୟିକ ଟିମ୍‌ ଦ୍ବାରା ସାପ୍ତାହିକ ବ୍ୟବଧାନରେ ‘ଆମ କୃଷି’ ହେଲ୍‌ପ୍‌ ଲାଇନ୍‌ ନମ୍ବର-୧୫୫୩୩୩ ଜରିଆରେ ଚାଷୀମାନଙ୍କୁ ଯୋଗାଇ ଦିଆଯାଉଛି। ୟୁରିଆ ଓ ଅନ୍ୟାନ୍ୟ ସାର ଯୋଗାଇ ଦିଆଯିବା ଦିଗରେ ଭାରତ ସରକାରଙ୍କ ସହାୟତା ନିଆଯିବା ସହିତ ସାର ଯୋଗାଣର ତଦାରଖ ଓ ଯାଞ୍ଚ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଉଛି। ଅଣଧାନ ଫସଲ ଯଥା ଡାଲି, ତୈଳବୀଜ, ମାଣ୍ଡିଆ, କପା ଓ ଝୋଟ ସର୍ବନିମ୍ନ ସହାୟକ ମୂଲ୍ୟରେ ସଂଗ୍ରହ କରାଯାଉଛି। ମୋବାଇଲ୍‌ ଆପ୍‌ ଜରିଆରେ କୃଷି ଓ ଆନୁସଙ୍ଗିକ ବିଭାଗର କ୍ଷେତ୍ର କର୍ମଚାରୀଙ୍କ ଜରିଆରେ ତଦାରଖ, ବ୍ଲକ୍‌ ବୈଷୟିକ ଟିମ୍‌ ଦ୍ବାରା ଜିଓ ଟ୍ୟାଗିଂ ଓ ‘ଆମ କୃଷି’ ଯୋଜନାରେ ୯ ଲକ୍ଷ ଚାଷୀଙ୍କୁ ସାମିଲ କରାଯାଇଛି। ନୂଆ କାର୍ଯ୍ୟକ୍ରମ ସ୍ବରୂପ କୃଷି ଓ ଆନୁସଙ୍ଗିକ କ୍ଷେତ୍ରରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀଙ୍କୁ ପ୍ରୋଗ୍ରାମ୍‌ ଆସୋସିଏଟ୍‌ ଭାବରେ ନିୟୋଜିତ କରାଯାଇଛି। ଏହାସହିତ କୃଷକମାନଙ୍କ ପାଇଁ ହ୍ବାଟ୍‌ସ୍‌ ଆପ୍‌ ଗ୍ରୁପ୍‌ ଓ ଓଡ଼ିଶା ମିଲେଟ୍‌ ମିସନର ସଫଳ ରୂପାୟନ ନେଇ ମଧ୍ୟ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି।

ସମୀକ୍ଷା ବେଳେ କରୋନା ମହାମାରୀ ସମୟରେ ଚାଷୀମାନଙ୍କ ପାଇଁ ବିଭିନ୍ନ ସହାୟତା ସମ୍ପର୍କରେ ଆଲୋଚନା ହୋଇଥିଲା। ଜୀବିକା ନିର୍ବାହ ଦିଗରେ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଯୋଗୁ ୨୪ ଲକ୍ଷ ୯୯ ହଜାର ୮୫୦ ଜଣ ଚାଷୀ ଉପକୃତ ହେବେ। ଅଦ୍ୟାବଧି ଏହି ଯୋଜନାରେ ମୋଟ ୮ ଲକ୍ଷ ୧୫ ହଜାର ୭୯୩ ଜଣ ଚାଷୀ ଉପକୃତ ହୋଇଛନ୍ତି। ୨୦୧୮-୧୯ ମସିହାରୁ କାଳିଆ ଯୋଜନା ଦୁଇଟି କ୍ଷେତ୍ରରେ କାର୍ଯ୍ୟକାରୀ ହେଉଛି। ଗୋଟିଏ ହେଲା କୃଷକମାନଙ୍କୁ ଚାଷକାର୍ଯ୍ୟ ପାଇଁ ସହାୟତା ଓ ଅନ୍ୟଟି ଭୂମିହୀନ ଚାଷୀଙ୍କ ପରିବାରକୁ ଜୀବିକା ନିର୍ବାହ ନିମନ୍ତେ ସହାୟତା ପ୍ରଦାନ କରାଯାଉଛି। ଏହି ଯୋଜନାରେ ହିତାଧିକାରୀଙ୍କ ବିସ୍ତୃତ ଯାଞ୍ଚ କାର୍ଯ୍ୟ ୨୦୧୯ ମସିହା ଅଗଷ୍ଟ ମାସରୁ ଆରମ୍ଭ ହୋଇଛି। ଲୋକମାନଙ୍କ ଅଭିଯୋଗ ଗ୍ରହଣ କରିବା ପାଇଁ କାଳିଆ ପୋର୍ଟାଲ୍‌ କାର୍ଯ୍ୟକାରୀ ହୋଇଛି। ବର୍ତ୍ତମାନ ସୁଦ୍ଧା ୫୫ ଲକ୍ଷ ୨୯ ହଜାର ୮୬୦ ଜଣ ହିତାଧିକାରୀଙ୍କୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି। କାଳିଆ ହିତାଧିକାରୀଙ୍କ ସନ୍ତାନସନ୍ତତି ନିମନ୍ତେ କାଳିଆ ବୃତ୍ତି ଯୋଜନା କମନ୍‌ ସ୍କଲାରସିପ୍‌ ପ୍ଲାଟ୍‌ଫର୍ମ କାର୍ଯ୍ୟକାରୀ କରିବା ପାଇଁ ପଦକ୍ଷେପ ନିଆଯାଇଛି।

ଭାଗଚାଷୀଙ୍କୁ ସହାୟତା ପ୍ରଦାନ ପାଇଁ ନାବାର୍ଡ଼ ସହାୟତାରେ ‘ବଳରାମ’ ଯୋଜନା ପ୍ରଣୟନ କରାଯାଇଛି। ଏଥିରେ ଭାଗ ଚାଷୀମାନଙ୍କୁ କୃଷି ଋଣ ଯୋଗାଇବା ଲକ୍ଷ୍ୟରେ ଆଗାମୀ ୩ ବର୍ଷ ମଧ୍ୟରେ ଆତ୍ମା (ATMA) ଜରିଆରେ ୧ ଲକ୍ଷ ଯୁଗ୍ମ ଦେୟ ଗୋଷ୍ଠୀ ଗଠନ କରାଯିବ। ଯେଉଁଥିରେ ୫ ଲକ୍ଷ ଭାଗଚାଷୀ ଉପକୃତ ହେବେ। ଖରିଫ ଋତୁରେ ଜଳ ଅଭାବ ଦୂର କରିବା ପାଇଁ ପ୍ରତ୍ୟେକ ଆଗ୍ରହୀ ଚାଷୀଙ୍କୁ କ୍ଷେତ ପୋଖରୀ ଯୋଜନାରେ ସାମିଲ କାରଯାଇଛି। ସମନ୍ବିତ କୃଷିକ୍ଷେତ୍ର ବ୍ୟବସ୍ଥା ମାଧ୍ୟମରେ ଚାଷୀମାନଙ୍କ ଆୟ ବୃଦ୍ଧି କରାଯିବା ସହିତ ଅତ୍ୟନ୍ତ ପ୍ରତିକୂଳ ପାଣିପାଗକୁ ମୁକାବିଲା କରିବାରେ ସହାୟକ ହୋଇପାରିବ। ୨୦୧୯-୨୦ରୁ ୨୦୨୩-୨୪ ମସିହା ପର୍ଯ୍ୟନ୍ତ ୫ ବର୍ଷ ଭିତରେ ୫ ଲକ୍ଷ କ୍ଷେତ ପୋଖରୀ ଖନନ କାର୍ଯ୍ୟ ପାଇଁ ଲକ୍ଷ୍ୟ ରଖାଯାଇଛି। ୨୦୧୯-୨୦ରେ ୮ ହଜାର ୯୦୦ଟି କ୍ଷେତ ପୋଖରୀ କାର୍ଯ୍ୟ ଶେଷ ହୋଇଥିବାବେଳେ ମନରେଗା ଯୋଜନାରେ ୧୦୭ କୋଟି ଟଙ୍କା ବ୍ୟୟ କରାଯାଇ ୩୬ ଲକ୍ଷ ଶ୍ରମ ଦିବସ ସୃଷ୍ଟି କରାଯାଇଛି। ୨୦୨୦-୨୧ ବର୍ଷରେ ୧ ଲକ୍ଷ ୩ ହଜାର ୭୭୦ଟି କ୍ଷେତ ପୋଖରୀ ଖନନ କରିବାକୁ ଲକ୍ଷ୍ୟ ରଖାଯାଇଛି। ଯେଉଁଥିରେ ୧ ହଜାର ୩୮କୋଟି ଟଙ୍କା ବ୍ୟୟ କରାଯାଇ ୪.୫୧ କୋଟି ଶ୍ରମ ଦିବସ ସୃଷ୍ଟି କରାଯିବ। ୫’ଟି’ ସଂସ୍କାର କାର୍ଯ୍ୟକ୍ରମ ଅନ୍ତର୍ଗତ କୃଷି ବିଭାଗରେ କର୍ମଚାରୀମାନଙ୍କ ପାଇଁ ଲାଗୁ କରାଯାଇଥିବା ‘ ଦକ୍ଷତା’ କାର୍ଯ୍ୟକ୍ରମ ଜରିଆରେ ୫ ହଜାରରୁ ଉର୍ଦ୍ଧ୍ବ କର୍ମଚାରୀମାନଙ୍କର ଦକ୍ଷତା ନିର୍ଦ୍ଧାରଣ କରିବା ଦିଗରେ ୫ଟି ମୁଖ୍ୟ ମାପଦଣ୍ତ ନିର୍ଦ୍ଧାରଣ କରାଯାଇଛି। ଏହିସବୁ ପ୍ରସଙ୍ଗରେ କୃଷି କ୍ୟାବିନେଟ୍‌ରେ ବିସ୍ତୃତ ଆଲୋଚନା କରାଯାଇଥିଲା।

ସମ୍ବନ୍ଧିତ ଖବର