ଝାରସୁଗୁଡ଼ାରେ ପ୍ରସ୍ତାବିତ କାର୍ଡିଆକ୍ କେୟାର ହସ୍ପିଟାଲ୍‌ର ଅଗ୍ରଗତି ନେଇ ସମୀକ୍ଷା

ଭୁବନେଶ୍ବର : ଝାରସୁଗୁଡ଼ାରେ ପ୍ରସ୍ତାବିତ କାର୍ଡିଆକ୍ କେୟାର ହସ୍ପିଟାଲ୍‌ର ଅଗ୍ରଗତି ନେଇ ଏକ ସମୀକ୍ଷା ବୈଠକ ଆଜି ଲୋକସେବା ଭବନରେ ଅନୁଷ୍ଠିତ ହୋଇଯାଇଛି। ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଏସ୍‌ସିବି ମେଡିକାଲ କଲେଜରେ ରେନାଲ୍‌ ଟ୍ରାନ୍ସପ୍ଲାଣ୍ଟ୍‌ ଓ କ୍ୟାପିଟାଲ୍‌ ହସ୍ପିଟାଲ୍‌ର ବିଭିନ୍ନ ବ୍ୟବସ୍ଥାର ଅଗ୍ରଗତି ନେଇ ମଧ୍ୟ ସମୀକ୍ଷା ହୋଇଥିଲା।

ଝାରସୁଗୁଡ଼ାରେ ପ୍ରଥମ କରି ପିପିପି ମୋଡ୍‌ରେ ୧୦୦ ଶଯ୍ୟା ବିଶିଷ୍ଟ ଅତ୍ୟାଧୁନିକ କାର୍ଡିଆକ୍ କେୟାର ହସ୍ପିଟାଲ୍‌ ନିର୍ମାଣ କରାଯାଉଛି। କେୟାର ଗ୍ରୁପ୍‌ ଦ୍ବାରା ପରିଚାଳିତ ହେବାକୁ ଥିବା ଏହି ହସ୍ପିଟାଲ୍‌ ପାଇଁ ୭୨ କୋଟି ଟଙ୍କା ବ୍ୟୟ ଅଟକଳ ହୋଇଥିବା ବେଳେ ଭିତ୍ତିଭୂମି ନିର୍ମାଣ ପାଇଁ ୩୨ କୋଟି ଟଙ୍କା ଖର୍ଚ୍ଚ ହେବ। ସେହିପରି ୪୦ କୋଟି ଟଙ୍କା ବ୍ୟୟରେ ଅତ୍ୟାଧୁନିକ ଯନ୍ତ୍ରପାତି କିଣାଯିବ ଏବଂ ୨୦୨୧ ମସିହାରେ ଏହି ହସ୍ପିଟାଲ୍‌ କାର୍ଯ୍ୟକ୍ଷମ ହେବ। ଏହା ବାଦ୍ ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲ୍‌ ପରିସରରେ ରେନାଲ ଟ୍ରାନ୍ସପ୍ଲାଣ୍ଟ୍‌ର ସମ୍ପ୍ରସାରଣ ପାଇଁ ସରକାର ଖୁବ୍ ଶୀଘ୍ର ଆବଶ୍ୟକ ଯନ୍ତ୍ରପାତିର ବ୍ୟବସ୍ଥା କରିବା ସହ ରୋଗୀମାନଙ୍କ ବର୍ଦ୍ଧିତ ଆବଶ୍ୟକତାକୁ ଆଖିରେ ରଖି ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ ବୈଠକରେ ଆଲୋଚନା ହୋଇଥିଲା। କ୍ୟାପିଟାଲ ହସ୍ପିଟାଲ ପରିସରରେ ବିଭିନ୍ନ ସମ୍ପ୍ରସାରଣ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଆଲୋଚନା ହୋଇଥିଲା।

ବୈଠକରେ ସ୍ବାସ୍ଥ୍ୟ ବିଭାଗର ପ୍ରମୁଖ ସଚିବ ନିକୁଞ୍ଜ ବିହାରୀ ଧଳ, ଜାତୀୟ ସ୍ବାସ୍ଥ୍ୟ ମିସନ୍‌ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ, ଔଷଧ ନିଗମ ପରିଚାଳନା ନିର୍ଦ୍ଦେଶିକା ଯାମିନୀ ଷଡ଼ଙ୍ଗୀ, ବିଭାଗୀୟ ଯୁଗ୍ମ ସଚିବ ଗୁହା ପୁନମ ତାପସ କୁମାର, ହୃଦ୍‌ରୋଗ ବିଶେଷଜ୍ଞ ପ୍ରଭାତ କୁମାର ଦାସ, ଡିଏମ୍‌ଇଟି ସିବିକେ ମହାନ୍ତି, ଏସ୍‌ସିବି ମେଡିକାଲ କଲେଜର ପ୍ରଫେସର ଦତ୍ତେଶ୍ବର ହୋତା ଓ ଚିତ୍ତ କରଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର