ସ୍ଥିତି ସମୀକ୍ଷା କଲେ ଉନ୍ନୟନ କମିସନର ଓ ମୁଖ୍ୟମନ୍ତ୍ରୀଙ୍କ ସଚିବ, ପାରାଦୀପରେ କୋଭିଡ୍‌ ହସ୍ପିଟାଲ ଉଦ୍‌ଘାଟନ ୨୦ରେ

ଜଗତସିଂହପୁର: ଆସନ୍ତା ୨୦ ତାରିଖ ଦିନ ପାରାଦୀପଠାରେ କୋଭିଡ୍‌-୧୯ ହସ୍ପିଟାଲର ଉଦ୍‌ଘାଟନ ହେବ। ଏହାପୂର୍ବରୁ ସ୍ଥିତି ଅନୁଧ୍ୟାନ କରିଛନ୍ତି ଉନ୍ନୟନ କମିସନର ସୁରେଶ ଚନ୍ଦ୍ର ମହାପାତ୍ର ଓ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି. କାର୍ତ୍ତିକେୟନ ପାଣ୍ତିଆନ୍। ଦୁଇ ସଚିବ ଆଜି ତଟରକ୍ଷୀ ବାହିନୀ କଲୋନି ନିକଟରେ ରହୁଥିବା ପ୍ରବାସୀ ଶ୍ରମିକଙ୍କ କ୍ୟାମ୍ପ ମଧ୍ୟ ବୁଲି ଦେଖିଛନ୍ତି।

ଦୁଇ ସଚିବ ଆଜି ଦିନ ସାଢେ ଏଗାରଟା ବେଳେ ହେଲିକପ୍ଟର ଯୋଗେ ପାରାଦୀପରେ ପହଞ୍ଚିଥିଲେ। ସେଠାରୁ ସେମାନେ ସିଧାସଳଖ ବିଜୁ ଯାତ୍ରୀ ନିବାସରେ ନିର୍ମାଣ ଚାଲିଥିବା କୋଭିଡ–୧୯ ହସ୍‌ପିଟାଲକୁ ଯାଇଥିଲେ। ହସ୍‌ପିଟାଲ ନିର୍ମାଣ ନିର୍ଦ୍ଧାରିତ ସମୟରେ ସରିବା ଏବଂ ବ୍ୟବସ୍ଥାରେ କୌଣସି ତ୍ରୁଟି ନ ରହିବା ପ୍ରତି ଧ୍ୟାନ ଦେବାକୁ ସେଠାରେ ଉପସ୍ଥିତ ଥିବା ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କୁ ପରାମର୍ଶ ଦେଇଥିଲେ।

ଆସନ୍ତା ୨୦ ତାରିଖରେ ଏହି ହସ୍‌ପିଟାଲ ଉଦ୍‌ଘାଟନ ହେବ ବୋଲି ଜିଲ୍ଲାପାଳ ଶ୍ରୀ ମହାପାତ୍ର ସ୍ପଷ୍ଟ କରିଛନ୍ତି। ପାରାଦୀପ ପୋର୍ଟ ଟ୍ରଷ୍ଟ ଏହି କୋଭିଡ୍ ହସ୍‌ପିଟାଲର ସମସ୍ତ ଖର୍ଚ୍ଚ ବହନ କରୁଛି। ଏଥିପାଇଁ ୩ କୋଟି ଟଙ୍କା ବ୍ୟୟ ଅଟକଳ ଧାର୍ଯ୍ୟ କରାଯାଇଛି। ପ୍ରାଥମିକ ପର୍ଯ୍ୟାୟରେ ହସ୍‌ପିଟାଲରେ ୫୦ ଶଯ୍ୟା ସହ ୫ଟି ଆଇସିୟୁ ନିର୍ମାଣ କରାଯାଉଛି। ଏଠାରେ ରୋଗୀ ରହିବା ପରେ ଯଦି ଆବଶ୍ୟକ ପଡ଼େ, ତେବେ ଶଯ୍ୟା ସଂଖ୍ୟା ବୃଦ୍ଧି କରାଯିବ ବୋଲି ଜିଲ୍ଲାପାଳ ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି। ଏହାସହ ହସ୍‌ପିଟାଲରେ ଅଭିଜ୍ଞ ଡାକ୍ତର ଓ କର୍ମଚାରୀଙ୍କୁ ନିଯୁକ୍ତି ପ୍ରକ୍ରିୟା ମଧ୍ୟ ଶେଷ ହୋଇଥିବା ସେ କହିଛନ୍ତି।

ହସ୍‌ପିଟାଲ ପରିଦର୍ଶନ କରିବା ପରେ ଏହି ଦୁଇ ଅଧିକାରୀ ତଟରକ୍ଷୀ ବାହିନୀ କଲୋନି ନିକଟରେ ରହୁଥିବା ପ୍ରବାସୀ ଶ୍ରମିକମାନଙ୍କ କ୍ୟାମ୍ପକୁ ଯାଇ ସମସ୍ତଙ୍କୁ ଠିକ୍ ଭାବେ ଖାଦ୍ୟ ସହ ଅନ୍ୟାନ୍ୟ ସୁବିଧା ସୁଯୋଗ ମିଳୁଛି କି ନାହିଁ, ପଚାରି ବୁଝିଥିଲେ। ଏହି କ୍ୟାମ୍ପରେ ପଶ୍ଚିମବଂଗ, ବିହାର ଓ ବାଲେଶ୍ବରର ୮୬ ଜଣ ଶ୍ରମିକ ଆଶ୍ରୟ ନେଇଛନ୍ତି। ସେମାନଙ୍କୁ ପୌରପାଳିକା ପକ୍ଷରୁ ଦିନକୁ ଦୁଇ ଥର ରନ୍ଧା ଖାଦ୍ୟ, ଶୁଖିଲା ଖାଦ୍ୟ ଯୋଗାଇ ଦିଆଯିବା ସହିତ ନିୟମିତ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ‌ କରାଯାଉଛି। ଏହି ଦୁଇ ଅଧିକାରୀଙ୍କ ଗସ୍ତ ସମୟରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ପ୍ରକାଶ ରଙ୍ଗରାଜ, ଅତିରିକ୍ତ ଜିଲ୍ଲାପାଳ କାହ୍ନୁ ଚରଣ ଧୀର, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ବିଷ୍ଣୁ ଚରଣ ମିଶ୍ର, ପୌରପାଳିକା କାର୍ଯ୍ୟ ନିର୍ବାହୀ ଅଧିକାରୀ ଦିଲ୍ଲୀପ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର