ତଳିଆ ଅଚଂଳ ବୁଲି ସ୍ଥିତି ପରଖିଲେ
ରିଲିଫ୍ ଓ ରେସକ୍ୟୁ ଉପରେ ସର୍ବାଧିକ ଗୁରୁତ୍ୱ
ଜଗତସିଂହପୁର ଟାଉନ୍ : ଜଗତସିଂହପୁର ଜିଲ୍ଲା ଦେଇ ପ୍ରବାହିତ ହେଉଥିବା ତିନି ନଦୀ ପାଇକା, ଦେବୀ ଓ ମହାନଦୀରେ ବନ୍ୟା ପାଣି ଧୀରେ ଧୀରେ ବଢ଼ିବାରେ ଲାଗିଛି । ଜିଲ୍ଲାରେ ସାମ୍ଭବ୍ୟ ବନ୍ୟାକୁ ନେଇ ପ୍ରଶାସନ ତତ୍ପରତା ପ୍ରକାଶ କରିଛି । ସରକାରଙ୍କ ବରିଷ୍ଠ ମନ୍ତ୍ରୀ, ବିଧାୟକ, ବରିଷ୍ଠ ଅଧିକାରୀଙ୍କ ସମେତ ଜିଲ୍ଲାପାଳ ଘଟଣାସ୍ଥଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି । ତଳିଆ ଅଂଚଳରେ ଥିବା ଲୋକମାନଙ୍କୁ ସ୍ଥାନାନ୍ତର କରାଯାଇଛି । ତେବେ ଆଜି ଜଗତସିଂହପୁର ଜିଲ୍ଲା ପାଇଁ ସ୍ୱତନ୍ତ୍ର ଭାବେ ଦାୟିତ୍ୱ ଦିଆଯାଇଥିବା ବିଦ୍ୟାଳୟ ଓ ଗଣ ଶିଖା ବିଭାଗର ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ ଅଧିକାରୀମାନଙ୍କ ଆଲୋଚନା କରି ଲୋକମାନଙ୍କୁ କିଭଳି ଉଦ୍ଧାର କରାଯାଇ ରିଲିଫ୍ ପ୍ରଦାନ କରାଯିବା ଏବଂ ଯେଭଳି କେହି ଜଣଙ୍କର ମଧ୍ୟ ଜୀବନ ନଯାଏ ସେଥିପ୍ରତି ଗୁରୁତ୍ୱ ଦେଇଛନ୍ତି ।
ଆଜି ବନ୍ୟା ସ୍ଥିତିର ମୁକାବିଲା ପାଇଁ ସରକାରଙ୍କ ଘୋଷଣା ପରେ ଅପରାହ୍ନରେ ବରିଷ୍ଠ ଆଇଏଏସ୍ ଅଧିକାରୀ ଶ୍ରୀ ସାହୁ ଜିଲ୍ଲାରେ ପହଚିଂ ଥିଲେ । ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ସହ ତିର୍ତ୍ତୋଲ ବ୍ଳକର କୋଲର, ତାର୍ତ୍ତୋଲ ପଂଚାୟତ ଓ କୁଜଙ୍ଗ ବ୍ଲକର ହରିପୁର ପଂଚାୟତ ଗ୍ରସ୍ତ କରି ବନ୍ୟା ପରିସ୍ଥିତି ଅନୁଧ୍ୟାନ କରିଥିଲେ । ଏହାପରେ ଜଇପୁର ପଥପ୍ରାପ୍ତ ଆଶ୍ରୟସ୍ଥଳ ଠାରେ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସହ ବନ୍ୟା ମୁକାବିଲ ନିମେନ୍ତ ଆଲୋଚନା ସମୀକ୍ଷା କରିଥିଲେ । ସରକାରଙ୍କ ନିର୍ଦ୍ଦେଶ ମୁତାବକ ଯେପରି କୌଣସି ଜଣେ ଲୋକଙ୍କର ବନ୍ୟାରେ ପ୍ରାଣହାନୀ ନହୁଏ ସେଥିପାଇଁ ସମସ୍ତ ଅଧିକାରୀ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଥିଲେ । ତିର୍ତ୍ତୋଲ ବ୍ଳକର କୋଲର, ଗୋପାଳପୁର, ଶଙ୍ଖେଶ୍ୱର, କୋଷଲ ଓ କଟରା, କୁଜଙ୍ଗ ବ୍ଳକର ଜିଲ୍ଲାନାସୀ, ସାଇଲୋ, ହଂସୁରା, ବାଲିକଣି ଓ କାଠକୋଟ ଏବଂ ଜଗତସିଂହପୁର ବ୍ଲକର ଆଳିପିଙ୍ଗଳ, କଣ୍ଟିଲୋ ପଂଚାୟତ ବନ୍ୟା ଭୟ ଥିବାରୁ ସେଠାରେ ସମସ୍ତ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ବିଶେଷ କରି ବିପଦରେ ଥିବା ଲୋକମାନଙ୍କୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆଜି ସୁଧା ତିର୍ତ୍ତୋଲର ୩୪୦ ଜଣ ଏବଂ ଜଗତସିଂହପୁର ବ୍ଲକର ୧୨ ଜଣଙ୍କୁ ଆଶ୍ରୟ ସ୍ଥଳକୁ ଅଣା ଯାଇଛି ।
ତେବେ କୋଭିଡ୍ ନିୟମକୁ ଅଧିକାରୀ, କର୍ମଚାରୀ ଓ ଜନସାଧାରଣ ଯେପରି କଡ଼ା ଭାବେ ମାନିବେ ସେଥିପ୍ରତି ଗୁରୁତ୍ୱ ଦିଆଯିବାକୁ ନିଷ୍ପତ୍ତି ହୋଇଥିଲା । ଲୋକମାନଙ୍କ ପାଇଁ ଶୁଖିଲା ଓ ରନ୍ଧାଖାଦ୍ୟ ଯୋଗଇବା, ଆଶ୍ରୟସ୍ଥଳରେ ଥିବା ଲୋକମାନଙ୍କୁ ମାସ୍କ ଯୋଗାଇ ଦେବା ସହ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଓ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ମାନଙ୍କରେ ସାପକାମୁଡ଼ା ଔଷଧ, ହାଲୋଜିନ୍ ଟାବ୍ଲେଟ୍ ରାତି ସୁଦ୍ଧା ପହଞ୍ଚାଇବା, କ୍ଷତି ଗ୍ରସ୍ତ ପଂଚାୟତ ମାନଙ୍କରେ ପଲିଥିନ୍ ମହଜୁତ ରଖିବା, ଚୁଡ଼ା, ଗୁଡ଼ ମହମବତୀ ବନ୍ୟାଚଂଳକୁ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ବିଜୁଳି ପାଇଁ ଆଗୁଆ ତହସିଲଦାର ଓ ବିଡ଼ିଓମାନେ ଜେନେରେଟର ମହଜୁତ ରଖିବାକୁ କୁହାଯାଇଛି । ବନ୍ୟା ସମୟରେ ପାନୀୟ ଜଳ ଯୋଗୁଁ ଯେପରି ଡାହିରିଆ କିମ୍ବା ଅନ୍ୟ ଜଳବାହିତ ରୋଗ ନହୁଏ ସେଥିପ୍ରତି ଦୃଷ୍ଟି ଦେବାକୁ କୁହାଯାଇଛି । ପ୍ରତି ପଂଚାୟତରେ ମୋବାଇଲ୍ ସ୍ୱାସ୍ଥ୍ୟ ଟିମ୍ ତୁରନ୍ତ ଗଠନ କରିବାକୁ ସିଡିଏମ୍ଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
କ୍ଷତିଗ୍ରସ୍ତ ପଂଚାୟତରେ ମୋବାଇଲ୍ ହେଲ୍ଥ ଟିମ୍ ପଠାଇବାକୁ କୁହାଯାଇଛି । ଆବଶ୍ୟକ ଗୋଖାଦ୍ୟ ଯୋଗଇବା ସହ ଗାଇ ଗୋରୁଙ୍କ ଚିକିତ୍ସା ପାଇଁ ମୋବାଇଲ୍ ହେଲ୍ଥ୍ ଟିମ୍ ବୁଲିବାକୁ ସିଡିଭିଓଙ୍କୁ ନିର୍ଦ୍ଦେଶ ଦେଇଥିଲେ । ତେେବେ ଜିଲ୍ଲାରେ ୪୨ଟି ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳ ଏବଂ ୫୪୨ଟି ବିଦ୍ୟାଳୟ, ପଂଚାୟତ ଅଫିସ, ଅଙ୍ଗନବାଡ଼ି କେନ୍ଦ୍ର, ପ୍ରସ୍ତୁତ କରାଯାଇଛି । ଆଜି ବୈଠକରେ ବନ୍ୟା ପ୍ରସ୍ତୁତିକୁ ନେଇ ଶ୍ରୀ ସାହୁ ଜିଲ୍ଲାପାଳ ଶ୍ରୀ ମହାପାତ୍ର ଓ ଟିମ୍କୁ କୃତଜ୍ଞତା ଜଣାଇଥିଲେ । କିନ୍ତୁ ଆଜି ରାତି ଓ ଆସନ୍ତାକାଲି ଗୁରୁତ୍ୱପୂର୍ଣ୍ଣ ଥିବାରୁ କୌଣସି ଅଧିକାରୀ ଜିଲ୍ଲା ବାହାରକୁ ଯାଇ ପାରିବେ ନାହିଁ ଓ ଏହି ସମୟରେ କୌଣସି ଅଧିକାରୀ ଛୁଟି ନେଇ ପାରିବେ ନାହିଁ ବୋଲି ନିର୍ଦ୍ଦେଶ ଦିଆଯାଇଛି । ଏଥିସହ ଆଜି ରାତିରେ ଜଳ ସମ୍ପଦ ବିଭାଗ ଯନ୍ତ୍ରୀ ମୋବାଇଲ୍ ପାଟ୍ରୋଲିଂ କରି ବନ୍ଧ ଗୁଡ଼ିକରେ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଶ୍ରୀ ସାହୁ କହିଛନ୍ତି ଯେ ଜଗତସିଂହପୁର ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ସେଭଳି ଗୁରୁତର ସମସ୍ୟା ଆସି ନାହିଁ । ଲୋକମାନଙ୍କର ଭୟଭିତ ହେବାର କୌଣସି କାରଣ ନାହିଁ । ପ୍ରଶାସନ ଓ ସରକାରଙ୍କୁ ଜନସାଧାରଣ ସହଯୋଗ କରିବାକୁ ନିବେଦନ କରିଛନ୍ତି । ଆଜି ରିଲିଫ୍ ଓ ରେସକ୍ୟୁ ଉପରେ ଗୁରୁତ୍ୱ ଦିଆଯାଇଛି । ପରବର୍ତ୍ତୀ ସମୟରେ କ୍ଷୟକ୍ଷତି ଆକଳନ ଏବଂ ପୁନଃ ନିର୍ମାଣ ଉପରେ ଗୁରୁତ୍ୱ ଦିଆଯିବ ବୋଲି କହିଛନ୍ତି । ତେବେ ଆଜି ସକାଳେ ଜଳସମ୍ପଦ ବିଭାଗ ମନ୍ତ୍ରୀ ରଘଉନନ୍ଦନ ଦାସ, ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଏବଂ ପାରାଦୀପ ବିଧାୟକ ସମ୍ବିତ ରାଉତରାୟ ତଳିଆ ଅଂଚଳ ବୁଲି ଦେଖିଥିଲେ ।