ଆଇଟି ପାର୍କ ଅଞ୍ଚଳରେ ସୁରକ୍ଷା, ଭିତ୍ତିଭୂମି ଚିନ୍ତା : ପୁଲିସ୍, ଇଡ୍‌କୋ, ଅଗ୍ନିଶମ, ବିଏମ୍‌ସିକୁ ନେଇ ସୂଚନାପ୍ରଯୁକ୍ତି ବିଦ୍ୟା ବିଭାଗର ସମୀକ୍ଷା

ଭୁବନେଶ୍ବର : ରାଜଧାନୀର ଉପକଣ୍ଠରେ ଥିବା ଆଇଟି ପାର୍କ ଅଞ୍ଚଳରେ ସୁରକ୍ଷା ଓ ଭିତ୍ତିଭୂମି ଚିନ୍ତା ଏବେ ସରକାରଙ୍କୁ ଘାରିଛି। ଇନ୍‌ଫୋଭ୍ୟାଲି, ଇନ୍‌ଫୋସିଟି ଓ ଏସ୍‌ଟିପିଆଇ(ଗୋଠପାଟଣା) ଅଞ୍ଚରେ ସୁରକ୍ଷା ବ୍ୟବସ୍ଥା ବିଗିଡ଼ିଯାଇଥିବା ନେଇ ବିଭିନ୍ନ ସମୟରେ ଅଭିଯୋଗ ଆସୁଛି। ସେହିପରି ଇନ୍‌ଫୋଭ୍ୟାଲିରେ ଆବଶ୍ୟକ ଭିତ୍ତିଭୂମି ନ ଥିବାରୁ ତାହା ଆଇଟି କମ୍ପାନିମାନଙ୍କୁ ଆକର୍ଷିତ କରିପାରୁନି। ଏହି ସମସ୍ୟାଗୁଡ଼ିକର ସ୍ଥାୟୀ ସମାଧାନ ପାଇଁ ଆଜି ଇଲେକ୍ଟ୍ରୋନିକ୍ସ ଓ ସୂଚନାପ୍ରଯୁକ୍ତି ବିଦ୍ୟା ବିଭାଗ ପକ୍ଷରୁ ଏକ ସମୀକ୍ଷା ବୈଠକ ଡକାଯାଇଥିଲା। ବିଭାଗୀୟ ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ କମିସନରେଟ୍‌ ପୁଲିସ୍‌, ଇଡ୍‌କୋ ଓ ଅଗ୍ନିଶମ ସଂସ୍ଥାର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇ ମାନସ ମନ୍ଥନ କରିଥିଲେ।

ବୈଠକରେ ଇନ୍‌ଫୋଭ୍ୟାଲି, ଇନ୍‌ଫୋସିଟି ଓ ଗୋଠପାଟଣାସ୍ଥିତ ଏସ୍‌ଟିପିଆଇ ଅଞ୍ଚଳର ସୁରକ୍ଷା‌ ବ୍ୟବସ୍ଥା, ନିୟମିତ ପାଟ୍ରୋଲିଂ, ନିଶାଖୋର ଓ ମଦ୍ୟପ ଗୋଷ୍ଠୀଙ୍କ ଉପରେ କଡ଼ା ନଜର ରଖିବା ଉପରେ ଗୁରୁତ୍ବାରୋପ କରାଯାଇଥିଲା। ରାସ୍ତାଘାଟର ଉନ୍ନତୀକରଣ, କ୍ୟାମ୍ପସ୍‌ର ସୌନ୍ଦର୍ଯୀକରଣ, ପାଚେରୀ ନିର୍ମାଣ, ଷ୍ଟ୍ରିଟ୍‌ ଲାଇଟ୍‌ ମରାମତି, ଆଇଟି କମ୍ପାନିଗୁଡ଼ିକର ଅଗ୍ନି ନିରାପତ୍ତା ଏବଂ ବୃତ୍ତିଗତ ପ୍ରମାଣପତ୍ର ପ୍ରଦାନ ସହ ଭିତ୍ତିଭୂମି ଉନ୍ନତିକରଣ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ମନ୍ତ୍ରୀ କହିଥିଲେ।

ବୈଠକରେ ଇଡ୍‌କୋ ସିଏମ୍‌ଡି ସଞ୍ଜୟ କୁମାର ସିଂହ ଉକ୍ତ ଅଞ୍ଚଳରେ ରାସ୍ତାଘାଟର ଉନ୍ନତୀକରଣ, କ୍ୟାମ୍ପସ୍‌ର ସୌନ୍ଦର୍ଯୀକରଣ, ଫନିରେ ନଷ୍ଟ ହୋଇଥିବା କ୍ୟାମ୍ପସ୍‌ ପାଚେରୀ ନିର୍ମାଣ ସହ ଆବଶ୍ୟକ ସମସ୍ତ କାର୍ଯ୍ୟ ଶୀଘ୍ର ଶେଷ ହେବ ବୋଲି କହିଥି‌େଲ। ଡିସିପି ଅନୁପ ସାହୁ ଉପସ୍ଥିତ ରହି ଏହିସବୁ ଅଞ୍ଚଳର ସୁରକ୍ଷା ବ୍ୟବସ୍ଥାକୁ ଦୃଢ଼ କରିବା ପାଇଁ ସ୍ବତନ୍ତ୍ର ଟିମ୍ ଗଠନ କରାଯିବା ସହ ପାଟ୍ରୋଲିଂ ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବ ବୋଲି କହିଥିଲେ। ଆଇଟି କମ୍ପାନିମାନଙ୍କରେ ପ୍ରତ୍ୟକ୍ଷ ଅନୁଧ୍ୟାନ କରାଯାଇ ମାର୍ଗଦର୍ଶିକା ପାଳନ କରିଥିବା କମ୍ପାନିକୁ ଖୁବ୍ ଶୀଘ୍ର ଅଗ୍ନିନିରାପତ୍ତା ଓ ବୃତ୍ତିଗତ ପ୍ରମାଣପତ୍ର ପ୍ରଦାନ କରାଯିବ ବୋଲି ଅଧିକାରୀମାନେ ଜଣାଇଥିଲେ। ଅଗ୍ନିଶମ ସେବା ଆଇଜି ଅସିତ ପାଣିଗ୍ରାହୀ, ବିଏମ୍‌ସି ଅତିରିକ୍ତ କମିସନର୍ ସୁରଥ ଚନ୍ଦ୍ର ମଲ୍ଲିକ, ଇଡ୍‌କୋ ସିଜିଏମ୍‌ ଭକ୍ତକବି ଦାସ, ଏସ୍‌ଟିପିଆଇ ନିର୍ଦ୍ଦେଶକ ମାନସ ପଣ୍ଡା, ଯୁଗ୍ମ ନିର୍ଦ୍ଦେଶକ ଏସ୍ ଆର୍ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର