ବାତ୍ୟାରେ ପୂର୍ବତଟ ରେଳପଥର ୬୦୦କୋଟି କ୍ଷତି : ରେଳବାଇ ବୋର୍ଡ ରୋଲିଙ୍ଗ ଷ୍ଟକ ସଦସ୍ୟଙ୍କ ସମୀକ୍ଷା, ଜୁଲାଇ ୧ ସୁଦ୍ଧା ପୁରୀ ରେଳ ଷ୍ଟେସନର ପୁନରୁଦ୍ଧାର ସରିବ

ରଥଯାତ୍ରା ପାଇଁ ପୁରୀକୁ ଚାଲିବ ୧୯୪ ସ୍ବତନ୍ତ୍ର ଟ୍ରେନ୍‌, ଖୋର୍ଦ୍ଧା ରୋଡରୁ ବାହାରୁଥିବା ସମସ୍ତ ପାସେଞ୍ଜର ଟ୍ରେନ୍ ମେମୁ ଟ୍ରେନ୍ ହେବ

ଭୁବନେଶ୍ବର : ବାତ୍ୟା ଫନିରେ ପୂର୍ବତଟ ରେଳପଥର ୬୦୦କୋଟିର କ୍ଷୟକ୍ଷତି ହୋଇଛି। ଏଥିରେ ଭିତ୍ତିଭୂମି କ୍ଷୟକ୍ଷତି ୪୦୦କୋଟିର ହୋଇଥିବାବେଳେ ଟ୍ରେନ୍‌ ଚଳାଚଳ ବ୍ୟାଘାତ ଯୋଗୁଁ ଆୟ ବାବଦରେ ୨୦୦କୋଟି କ୍ଷତି ହୋଇଛି। ଏହି ପୁନଃରୁଦ୍ଧାର କାର୍ଯ୍ୟ ପାଇଁ ପୂର୍ବତଟ ରେଳପଥ ସ୍ୱତନ୍ତ୍ର ଆର୍ଥିକ ସହାୟତା ପାଇଁ ରେଳମନ୍ତ୍ରଣାଳୟକୁ ଅନୁରୋଧ କରିଛି।

ରେଳବାଇ ବୋର୍ଡ ରୋଲିଙ୍ଗ ଷ୍ଟକ୍‌ସ ସଦସ୍ୟ ରାଜେଶ ଅଗ୍ରୱାଲ ଆଜି ପୂର୍ବତଟ ରେଳପଥର ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିବା ସମୟରେ ଏହା ଜଣାପଡ଼ିଛି। ଶ୍ରୀ ଅଗ୍ରୱାଲ କହିଛନ୍ତି ଯେ, ବାତ୍ୟାରେ କ୍ଷୟକ୍ଷତି ହୋଇଥିବା ରେଳ ଭିତ୍ତିଭୂମିକୁ ଖୁବ୍‌ ଶୀଘ୍ର ପୁନରୁଦ୍ଧାର କରାଯିବ। ବାତ୍ୟା ପପରେ ପୂର୍ବତଟ ରେଳପଥ କର୍ତ୍ତୃପକ୍ଷ ଯେଉଁଭଳି କାର୍ଯ୍ୟ କରିଛନ୍ତି ତାହା ପ୍ରଶଂସନୀୟ।

ସେହିପରି ବାତ୍ୟା ଦ୍ୱାରା ପ୍ରଭାବିତ ପୁରୀ ରେଳ ଷ୍ଟେସନ୍‌କୁ ଜୁଲାଇ ୧ ସୁଦ୍ଧା ସବୁ କ୍ଷେତ୍ରରେ ପୂର୍ବପରି ପୁନଃରୁଦ୍ଧାର କରାଯିବ। ରଥଯାତ୍ରା ସମୟରେ ପୁରୀ ରେଳ ଷ୍ଟେସନକୁ ସମସ୍ତ ସ୍ୱତନ୍ତ୍ର ଟ୍ରେନ୍‌ ଗୁଡ଼ିକର ଚଳାଚଳ ପାଇଁ ପ୍ରସ୍ତୁତ କରାଯିବ। ଚଳିତ ରଥଯାତ୍ରା ସମୟରେ ରେଳବାଇ ପକ୍ଷରୁ ୧୯୪ଟି ସ୍ୱତନ୍ତ୍ର ଟ୍ରେନ୍‌ ଚଳାଚଳ କରାଯିବ ଏବଂ ପୁରୀକୁ ଲକ୍ଷାଧିକ ତୀର୍ଥଯାତ୍ରୀ/ଶ୍ରଦ୍ଧାଳୁ ଏହା ଦ୍ୱାରା ଗମନାଗମନର ସୁବିଧା ପାଇପାରିବେ। ଜୁଲାଇ ପହିଲା ସୁଦ୍ଧା ସମସ୍ତ ପ୍ରକାର ପୁନରୁଦ୍ଧାର କାର୍ଯ୍ୟ ସମ୍ପାଦନ କରାଯାଇ ପୁରୀ ରେଳ ଷ୍ଟେସନର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ହେବ।

ପୂର୍ବତଟ ରେଳପଥର ଅନ୍ୟାନ୍ୟ ଭିତ୍ତିଭୂମି କାର୍ଯ୍ୟର ସମୀକ୍ଷାରୁ ଜଣାପଡ଼ିଛି ଯେ, ବର୍ତ୍ତମାନ ପୂର୍ବତଟ ରେଳପଥରେ ୧୫ଟି ରେକ୍‌ରେ ଏଲ୍‌ଏଚ୍‌ବି କୋଚ୍ ଲାଗିଥିବାବେଳେ ଚଳିତ ଆର୍ଥିକ ବର୍ଷରେ ଏହାକୁ ୩୦ ପର୍ଯ୍ୟନ୍ତ ବଢ଼ାଯିବ। ସେହିପରି ଅଟୋମୋବାଇଲ ଡିଲରମାନଙ୍କ ସୁବିଧା ପାଇଁ ରେଳବାଇ ପୂର୍ବତଟ ରେଳପଥରେ ଚାରି ଚକିଆ ଓ ୨ଚକିଆ ଯାନ ପରିବହନ ପାଇଁ ସ୍ୱତନ୍ତ୍ର ପ୍ରକାର ୱାଗନ ଉପଲବ୍ଧ କରାଇବ। ମଞ୍ଚେଶ୍ୱରସ୍ଥିତ ରେଳ ଡବା ମରାମତି କାରଖାନାକୁ ପୁନଃ ଉନ୍ନତୀକରଣ ସହିତ ଏଲ୍‌ଏଚ୍‌ବି କୋଚଗୁଡ଼ିକର ମରାମତି କାର୍ଯ୍ୟ ପାଇଁ ସୁବିଧା ପ୍ରଦାନ କରାଯାଇଛି। ଖୋର୍ଦ୍ଧ‌ା ରୋଡ୍‌ରେ ମେମୁ ସେଡ୍‌ର ଦ୍ବିତୀୟ ପର୍ଯ୍ୟାୟ କାର୍ଯ୍ୟକୁ ୍ଅନୁମୋଦନ କରାଯାଇଛି। ଏହାଦ୍ବାରା ଖୋର୍ଦ୍ଧା ରୋଡ୍‌ରୁ ବାହାରୁଥିବା ‌ସମସ୍ତ ପାସେଞ୍ଜର ଟ୍ରେନ୍‌କୁ ମେମୁ ଟ୍ରେନ୍େର ପରିବର୍ତ୍ତନ କରାଯିବ। ଆସନ୍ତା ତିନି ମାସ ମଧ୍ୟରେ ପୁରୀ ଓ ଭୁବନେଶ୍ୱର ଠାରେ ମେକାନାଇଜଡ଼ ଲଣ୍ଡ୍ରି କାର୍ଯ୍ୟକ୍ଷମ ହେବ। ଯାତ୍ରୀବାହୀ ଟ୍ରେନ ଗୁଡିକରେ ପାଣିର ଅଭାବକୁ ଦୂର କରିବା ପାଇଁ ଶୀଘ୍ର ଜଳଯୋଗାଣ ପ୍ରତି ବିଶେଷ ବ୍ୟବସ୍ଥା କରାଯିବ।

ଏହାବାଦ୍‌ ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ସ୍ଥାନୀୟ କଳ କାରଖାନାଗୁଡ଼ିକର ମାଲ ପରିବହନ ଚାହିଦା ମେଣ୍ଟାଇବା ଅଧିକ ୱାଗନ ଯୋଗାଇ ଦିଆଯିବ। ଏହାଦ୍ୱାରା ପାୱାର ପ୍ଲାଣ୍ଟ ଓ କୋଇଲା ଉତ୍ପାଦନ ସଂସ୍ଥା ଗୁଡିକ ଉପକୃତ ହେବେ। ଟ୍ରେନ ଶୌଚାଳୟ ଗୁଡିକୁ ଦୁର୍ଗନ୍ଧ ମୁକ୍ତ କରିବା ପାଇଁ ପୂର୍ବତଟ ରେଳପଥ ବାୟୋଟଏଲେଟ ଟ୍ରେନ ଶୌଚାଳୟଗୁଡ଼ିକରେ ଭେନଚୁରି ପ୍ରଣାଳୀ ଉପଲବ୍ଧ କରୁଛି। ଏହି ପ୍ରଣାଳୀକୁ ସମସ୍ତ ଟ୍ରେନ୍‌ରେ ଉପଲବ୍ଧ କରାଯିବ। ସେହିପରି ହେଡ଼ ଅନ ଜେନେରେସନ ଯାନ୍ତ୍ରିକ ପ୍ରଣାଳୀ ଦ୍ୱାରା ବର୍ତ୍ତମାନ ରାଜଧାନୀ, ଶତାବ୍ଦୀ ଭଳି ଚଳାଚଳ କରୁଥିବା ଟ୍ରେନ୍‌ଗୁଡ଼ିକର ଜେନେରେଟର କାରକୁ ପୁନଃସ୍ଥାପନ କରାଯିବ। ଯାହାଦ୍ୱାରା ଟ୍ରେନ୍‌ଗୁଡ଼ିକରେ ଅତିରିକ୍ତ କୋଚ ଉପଲବ୍ଧ ହେବା ସହିତ ଅଧିକ ବର୍ଥ ଯୋଗାଇ ଦିଆଯାଇପାରିବ। ଏହା ସହିତ ଟ୍ରେନ କୋଚଗୁଡ଼ିକୁ ଜେନେରେଟର କାରରୁ ଇଲେକ୍ଟ୍ରି ପରିବର୍ତ୍ତେ ଉପରେ ଥିବା ଇଲେକ୍ଟ୍ରି ତାରରୁ ଇଲେକ୍ଟ୍ରି ଅଣାଯାଇପାରିବ ବୋଲି କୁହାଯାଇଛି। ଆଜିର ଏହି ବୈଠକରେ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ବିଦ୍ୟାଭୂଷଣ, ଅତିରିକ୍ତ ମହାପ୍ରବନ୍ଧକ ସୁଧୀର କୁମାର ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର