ଆଗାମୀ ୫ ବର୍ଷରେ ୧୫ ଲକ୍ଷ ଯୁବକଙ୍କୁ ତାଲିମ

ଦକ୍ଷତା ବିକାଶ ତାଲିମ କାର୍ଯ୍ୟକ୍ରମର ଅଗ୍ରଗତି ନେଇ ମନ୍ତ୍ରୀଙ୍କ ସମୀକ୍ଷା

ଭୁବନେଶ୍ବର : ରାଜ୍ୟ ସରକାର ଆଗାମୀ ୫ ବର୍ଷ ମଧ୍ୟରେ ୧୫ ଲକ୍ଷ ଯୁବକଙ୍କୁ ତାଲିମ ମାଧ୍ୟମରେ ସେମାନଙ୍କ ଦକ୍ଷତା ବିକାଶ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ଏହି କଥା କହିଛନ୍ତି ରାଜ୍ୟ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିକାଶ ମନ୍ତ୍ରୀ ପ୍ରେମାନନ୍ଦ ନାୟକ। ଚଳିତବର୍ଷ ଯୁବକମାନଙ୍କୁ ଅର୍ଥନୈତିକ କ୍ଷେତ୍ରରେ ସଶକ୍ତ କରିବା ପାଇଁ ବ୍ୟାପକ କର୍ମନିଯୁକ୍ତି ସୃଷ୍ଟି କରିବା ଉପରେ ସରକାର ଗୁରୁତ୍ବ ଦିଆଯାଇଛି। ଏ ନେଇ ପ୍ରତ୍ୟେକ କାର୍ଯ୍ୟରତ ପ୍ରକଳ୍ପ ସଂସ୍ଥା ପକ୍ଷରୁ କେେତ ସଂଖ୍ୟକ ଯୁବକଙ୍କୁ ତାଲିମ ପ୍ରଦାନ କରାଯାଇଛି ସେ ନେଇ ମନ୍ତ୍ରୀ ଶ୍ରୀ ନାୟକ ସମୀକ୍ଷା କରିଛନ୍ତି।

ସୋମବାର କର୍ମନିଯୁକ୍ତି ସହାୟକ ତାଲିମ କାର୍ଯ୍ୟକ୍ରମ ଓ ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା ଅନ୍ତର୍ଗତ ଦକ୍ଷତା ବିକାଶ ତାଲିମ କାର୍ଯ୍ୟକ୍ରମରେ କାର୍ଯ୍ୟରତ ପ୍ରକଳ୍ପ କାର୍ଯ୍ୟକାରୀ ସଂସ୍ଥାଗୁଡ଼ିକର ସମୀକ୍ଷା କରିବା ଅବସରରେ ମନ୍ତ୍ରୀ ଶ୍ରୀ ନାୟକ କହିଥିଲେ, ଦକ୍ଷତା ଏକ ପ୍ରମୁଖ ମାପକାଠି। ଏହାକୁ କେହି ଅସ୍ବୀକାର କରିପାରିବେ ନାହିଁ। ଅର୍ଥନୈତିକ ବିକାଶ ଦିଗରେ କୃଷିଠାରୁ ଆରମ୍ଭ କରି ନିର୍ମାଣ କ୍ଷେତ୍ର ପର୍ଯ୍ୟନ୍ତ ସବୁଠାରେ କୁଶଳୀ ଓ ଦକ୍ଷ ଶ୍ରମିକର ଆବଶ୍ୟକତା ରହିଛି। ଏଥିପାଇଁ ଦକ୍ଷତା ତାଲିମ କାର୍ଯ୍ୟକ୍ରମରେ ପରିମାଣ ଓ ମାନ ଉଭୟ ଦିଗକୁ ନଜର ଦେଇ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଏହି ଅଭିନବ ମିସନର ଲକ୍ଷ୍ୟ ହାସଲ ଦିଗରେ ସମସ୍ତ ତାଲିମ ସହଯୋଗୀଙ୍କ ସହଯୋଗ ନିହାତି ଆବଶ୍ୟକ ବୋଲି ମନ୍ତ୍ରୀ ଶ୍ରୀ ନାୟକ ଆହ୍ବାନ କରିଥିଲେ।

ବିଭାଗୀୟ ସଚିବ ସଞ୍ଜୟ ସିଂହ କହିଥିଲେ, ବର୍ତ୍ତମାନ ସମୟରେ ପାଇପ ମିସ୍ତ୍ରୀ ଓ ଆତିଥେୟତା କ୍ଷେତ୍ରରେ ବ୍ୟାପକ କର୍ମନିଯୁକ୍ତିର ସମ୍ଭାବନା ରହିଛି। ସରକାର ଉନ୍ମେଷ କାର୍ଯ୍ୟକ୍ରମକୁ ଆଗେଇ ନେବା ପାଇଁ ପ୍ରାଧାନ୍ୟ ଦେଇଆସୁଛନ୍ତି। ଏହି ଅବସରରେ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ସଦସ୍ୟ ସଚିବ ରଶ୍ମିତା ପଣ୍ଡା ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନାରେ କର୍ମନିଯୁକ୍ତି ସହାୟକ ତାଲିମ କାର୍ଯ୍ୟକ୍ରମର ଆଭିମୁଖ୍ୟ ଓ ବିଭିନ୍ନ ଦିଗ ସମ୍ପର୍କରେ ଆଲୋକପାତ କରିଥିଲେ।

ସମ୍ବନ୍ଧିତ ଖବର