ଟିଟିଲାଗଡ଼ ସବ୍‌ଡିଭିଜନ୍‌ରେ ରେଳ ପ୍ରକଳ୍ପ ନେଇ ଆଲୋଚନା

ଭୁବନେଶ୍ବର : ଟିଟିଲାଗଡ଼ ସବ୍‌ଡିଭିଜନ୍‌ରେ ବିଭିନ୍ନ ରେଳ ପ୍ରକଳ୍ପକୁ ତ୍ବରାନ୍ବିତ କରିବା ନିମନ୍ତେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ଆଜି ରେଳ ବିଭାଗର ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି। ଟିଟିଲାଗଡ଼ ସହରରେ ନିର୍ମାଣାଧୀନ ରେଳ ଓଭର୍‌ବ୍ରିଜ୍ ଓ ଅଣ୍ଡର୍‌ବ୍ରିଜ୍ ନିର୍ମାଣ କାର୍ଯ୍ୟ ତ୍ବରାନ୍ବିତ କରିବା, ଭୁବନେଶ୍ବର-ବଲାଙ୍ଗୀର ଇଣ୍ଟର୍‌ସିଟି ଏକ୍ସପ୍ରେସ୍‌କୁ ବଲାଙ୍ଗୀରରୁ ଟିଟିଲାଗଡ଼ ଜଙ୍କସନ୍ ପର୍ଯ୍ୟନ୍ତ ସମ୍ପ୍ରସାରଣ କରିବା ଏବଂ ରେଳବାଇ ତରଫରୁ ଟିଟିଲାଗଡ଼ରେ ଏକ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ କରିବା ନେଇ ମନ୍ତ୍ରୀ ଆଲୋଚନା କରିଥିଲେ। ଟିଟିଲାଗଡ଼ ସହରରେ ରେଳ ଅଣ୍ଡର୍‌ବ୍ରିଜ୍ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି ଏବଂ ଓଭର୍‌ବ୍ରିଜ୍ ନିର୍ମାଣ କାର୍ଯ୍ୟ ଡିସେମ୍ବର ମାସ ସୁଦ୍ଧା ଶେଷ ହେବ ବୋଲି ରେଳ ବିଭାଗ ଅଧିକାରୀମାନେ ସୂଚନା ଦେଇଥିଲେ। ସେହିପରି କେନ୍ଦ୍ରୀୟ ବିଦ୍ୟାଳୟ ପାଇଁ ଜମି ଅଧିଗ୍ରହଣ ଶେଷ ହୋଇଛି ଏବଂ ଇଣ୍ଟର୍‌ସିଟିର ସମ୍ପ୍ରସାରଣ ନିମନ୍ତେ ରେଳ ମନ୍ତ୍ରଣାଳୟର ଦୃଷ୍ଟି ଆକର୍ଷଣ କରାଯିବ ବୋଲି ଅଧିକାରୀମାନେ ଜଣାଇଥିଲେ। ଏହି ଆଲୋଚନାରେ ବାଣିଜ୍ୟ ଓ ପରିବହନ ବିଭାଗର ସ୍ବତନ୍ତ୍ର ଅଧିକାରୀ(ରେଲ୍‌ କୋ-ଅର୍ଡିନେସନ୍) ଲଳିତ ମୋହନ ପଟ୍ଟନାୟକ ଓ ଅନ୍ୟ ଅଧିକାରୀମା‌େନ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର