ସମୀକ୍ଷା କଲେ ନବୀନ: ସୁରତ ଯାତ୍ରୀଙ୍କୁ ବସ୍‌ ମନା, ଏବେ ଟ୍ରେନ୍‌

ବିଶୃଙ୍ଖଳିତ ଆଚରଣକୁ ବରଦାସ୍ତ କରାଯିବନି, ଦିନକୁ ୧୫ ହଜାର ଟେଷ୍ଟିଂ କରିବାକୁ ନିର୍ଦେଶ

ଭୁବନେଶ୍ବର: ସୁରତରୁ ବସ୍‌ରେ ଫେରୁଥିବା ଯାତ୍ରୀଙ୍କ ଦୁର୍ଦଶା, ସେମାନଙ୍କ ମଧ୍ୟରୁ ସଂକ୍ରମିତ ବାହାରିବା ଓ ବାରମ୍ବାର ଦୁର୍ଘଟଣାକୁ ଲକ୍ଷ୍ୟ ରଖି ରାଜ୍ୟ ସରକାର ଆଜି ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରିଷ୍ଠ ପଦାଧିକାରୀଙ୍କ ସହିତ ଆଲୋଚନା ପରେ କହିଛନ୍ତି ଯେ ଏବେ ସୁରତରୁ କେବଳ ଟ୍ରେନରେ ହିଁ ଆସିବା ଲାଗି ଅନୁମତି ଦିଆଯିବ। ସୁରତରୁ ଓଡ଼ିଶାକୁ ଦୀର୍ଘ ପଥରେ ବସରେ ଫେରିବା ସମୟରେ ଖାଇବା ପିଇବାରେ ଅସୁବିଧା, ଅଂଶୁଘାତ, ଦୁର୍ଘଟଣା ଭଳି ସମସ୍ୟା ଦେଖାଯିବା ସହିତ ମହିଳା ଓ ଶିଶୁମାନେ ବିଶେଷ ଅସୁବିଧାର ସମ୍ମୁଖୀନ ହେଉଥିବାରୁ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ଅନ୍ୟପକ୍ଷରେ ସଙ୍ଗରୋଧ କେନ୍ଦ୍ରରେ ରହିଥିବା ଅନ୍ତେବାସୀମାନେ କଡ଼ାକଡ଼ି ଭାବେ ନିୟମ ପାଳନ କରିବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦେଶ ଦେଇଛନ୍ତି। ସ୍ପଷ୍ଟ ଭାବେ କହିଛନ୍ତି ଯେ କୌଣସି ପ୍ରକାର ବିଶୃଙ୍ଖଳିତ ଆଚରଣକୁ ବରଦାସ୍ତ କରାଯିବ ନାହିଁ। ବର୍ତମାନର ଅସାଧାରଣ ପରିସ୍ଥିତିରେ ସମସ୍ତଙ୍କୁ ତ୍ୟାଗ ସ୍ବୀକାର କରିବାକୁ ପଡିବ। ସେହିପରି ଆସନ୍ତା ଦିନରେ ବିଦେଶରୁ ଓଡ଼ିଆ ଲୋକ ଫେରିବେ। ଓଡ଼ିଶା ଆସିବା ପୂର୍ବରୁ ସେମାନଙ୍କ ପାଇଁ ପଞ୍ଜୀକରଣ ବାଧ୍ୟତାମୂଳକ କରାଯିବ। ସେମାନେ ଆସିବା ପରେ ସ୍ବାବ୍‌ ପରୀକ୍ଷା ଓ ସଙ୍ଗରୋଧ କରିବାକୁ ବାଧ୍ୟ।

ବାଲେଶ୍ବର, କୋରାପୁଟ ଓ ବଲାଙ୍ଗୀରରେ ବି ଟେଷ୍ଟିଂ
୬ ଜିଲ୍ଲା ଉପରେ ରହିବ ସ୍ବତନ୍ତ୍ର ନଜର
ଏସ୍‌ଏଚ୍‌ଜିଙ୍କୁ ପ୍ରତି ମିଲ୍‌ ପିଛା ୨ ଟଙ୍କା ପ୍ରୋତ୍ସାହନ
ଶିଳ୍ପ ସମସ୍ୟାର ସମାଧାନ ପାଇଁ ଆଦର୍ଶ ନୀତି
ବିଦେଶରୁ ପୁଞ୍ଜି ଗୋଟାଇବା ପାଇଁ ଠୋସ୍ ଯୋଜନା
ମନରେଗାରେ ୧ଲକ୍ଷ ପୋଖରୀ ନିର୍ମାଣ ହେବ

ଆଜି ସକାଳେ ମୁଖ୍ୟମନ୍ତ୍ରୀ ଭିଡ଼ିଓ କନଫରେନ୍ସିଂ ଯୋଗେ ରାଜ୍ୟର କରୋନା ସଂକ୍ରମଣ ସ୍ଥିତି ଓ ସେ ସଂକ୍ରାନ୍ତ ସମସ୍ୟା ନେଇ ବରିଷ୍ଠ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ। ପରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟରେ ଦୈନିକ ନମୁନା ପରୀକ୍ଷଣ ୧୫ ହଜାରକୁ ବୃଦ୍ଧି ଲାଗି ପଦକ୍ଷେପ ନିଆଯିବ। ରାଜ୍ୟରେ ବର୍ତମାନ ସୁଦ୍ଧା ୩୫୦୦ ଟେଷ୍ଟିଂ କରାଯାଉଛି। ଆସନ୍ତା ଦିନରେ ବାରିପଦା, ବାଲେଶ୍ବର, କୋରାପୁଟ ଓ ବଲାଙ୍ଗୀରରେ ମଧ୍ୟ ନମୁନା ପରୀକ୍ଷାର ବିକାଶ କରାଯିବ। ସରକାରଙ୍କ ପକ୍ଷରୁ କୁହାଯାଇଛି, ରାଜ୍ୟରେ ବର୍ତମାନ ସୁଦ୍ଧା ୪୬ ହଜାର ଟେଷ୍ଟିଂ ହୋଇଥିବା ବେଳେ ଏ ମଧ୍ୟରୁ ୧୭୦ଟି ପଜିଟିଭ୍ ଆସିଛି। ସାରା ଦେଶରେ ପ୍ରତି ୧୦ଲକ୍ଷରେ ୮୮୩ଟି ଟେଷ୍ଟିଂ ହେଉଥିବା ବେଳେ ଓଡ଼ିଶାରେ ପ୍ରତି ୧୦ଲକ୍ଷରେ ହଜାରେ ଟେଷ୍ଟିଂ କରାଯାଉଛି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଆହୁରି କହିଲେ ଯେ ଗ୍ରିନ ଜୋନରେ କୃଷିକାର୍ଯ୍ୟ, ଶିଳ୍ପ, ଜୀବନଜୀବିକା, ପରିବହନ ସ୍ବାଭାବିକ କରାଯିବ। ଶିଳ୍ପ ସଂସ୍ଥାଗୁଡିକର ସମସ୍ୟାର ସମାଧାନ ପାଇଁ ଏକ ଆଦର୍ଶ ନୀତି ପ୍ରଣୟନ ହେବ। ଚାଷୀ ଓ ଏସଏଚଜିଙ୍କ ଋଣ ସହାୟତା ବୃଦ୍ଧି କରାଯିବ। ମିସନ ଶକ୍ତିର ମାଆମାନେ ଏହି କଠିନ ପରିସ୍ଥିତିରେ ୧ କୋଟିରୁ ଅଧିକ ମିଲ୍ ଯୋଗାଇ ସାରିଲେଣି। ତେଣୁ ସେମାନଙ୍କୁ ପ୍ରତି ମିଲ ପିଛା ୨ ଟଙ୍କା ଲେଖାଏଁ ପ୍ରୋତ୍ସାହନ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ଦିଆଯିବ। ଗଞ୍ଜାମ, କେନ୍ଦ୍ରାପଡା, ଭଦ୍ରକ, ବଲାଙ୍ଗୀର, ଯାଜପୁର ଓ ବାଲେଶ୍ବର ପରି ଜିଲ୍ଲା ଯେଉଁଠାରେ ଅଧିକ ଲୋକ ବାହାର ରାଜ୍ୟରେ କାମ କରୁଛନ୍ତି, ତା ଉପରେ ସ୍ବତନ୍ତ୍ର ଦୃଷ୍ଟି ଦିଆଯିବ। ଆସନ୍ତା ଖରିଫ ଋତୁ ପାଇଁ ବିହନ ଓ ଅନ୍ୟନ୍ୟା କୃଷି ଉପକରଣ ଯେପରି ଚାଷୀମାନେ ସୁବିଧାରେ ପାଇପାରିବେ ସେ ଦିଗରେ ପଦକ୍ଷେପ ନିଆଯିବ। ଏହି ସମୀକ୍ଷାରୁ ଜଣାପଡିଥିଲା, ରାଜ୍ୟ ବାହାରୁ ଆସୁଥିବା ବ୍ୟକ୍ତିଙ୍କ ପାଇଁ ପଞ୍ଚାୟତିରାଜ ବିଭାଗ ୧୦ ହଜାର ୭୫୧ଟି ଅସ୍ଥାୟୀ ଚିକିତ୍ସା ଶିବିର ପ୍ରତିଷ୍ଠା କରିଛି ଓ ଏଥିରେ ୪.୬୮ଲକ୍ଷ ଲୋକଙ୍କର ରହିବା ବ୍ୟବସ୍ଥା ହୋଇଛି। ସେମାନଙ୍କ ଖାଦ୍ୟ ପାଇଁ ଦୈନିକ ମୁଣ୍ଡପିଛା ୧୨୦ ଟଙ୍କା ଲେଖାଏଁ ଖର୍ଚ୍ଚ କରାଯିବ। ବ୍ୟକ୍ତିଗତ ପରିଚ୍ଛନ୍ନତା ପାଇଁ ମଧ୍ୟ ଗୁରୁତ୍ବ ଦିଆଯାଉଛି। ସେହିପରି ସହରାଞ୍ଚଳରେ ନଗର ଉନ୍ନୟନ ବିଭାଗ ପକ୍ଷରୁ ୪୧୫ଟି ସଙ୍ଗରୋଧ କେନ୍ଦ୍ରରେ ୩୨ ହଜାର ୫୨୪ ଜଣ ରହିବା ପାଇଁ ବ୍ୟବସ୍ଥା କରାଯାଇଛି।

ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନାରୁ ଜଣାପଡିଛି ଯେ ରାଜ୍ୟରେ ୧୬ଟି ଜିଲ୍ଲାରେ କରୋନା ସଂକ୍ରମଣ ରହିଛି। ସେଥିପାଇଁ ୬୨ଟି ଅଞ୍ଚଳକୁ ସଂକ୍ରମଣ ଅଞ୍ଚଳ ରୂପେ ଘୋଷଣା କରାଯାଇଛି। ସେଥିମଧ୍ୟରୁ ୪୭ଟି ଜୋନ ସକ୍ରିୟ ରହିଛି। ସଂକ୍ରମିତ ଅଞ୍ଚଳରୁ ସଂଗୃହୀତ ୬୩୭୬ଟି ନମୁନା ମଧ୍ୟରୁ ୧୩୬ଟି ପଜିଟିଭ୍ ବାହାରିଛି, ଯାହାକି ମୋଟ ପଜିଟିଭର ୮୩ ପ୍ରତିଶତ ଅଟେ। କୋଭିଡ ରୋଗର ଚିକିତ୍ସା ପାଇଁ ଆବଶ୍ୟକ ଉପକରଣ ସଂଗ୍ରହ କାର୍ଯ୍ୟ ସନ୍ତୋଷଜନକ ରହିଛି ବୋଲି ବୈଠକରେ କୁହାଯାଇଥିଲା। କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ପକ୍ଷରୁ ମିଳିଥିବା ସୂଚନାରୁ ଜଣାଯାଇଛି ଯେ ଧାନ ଅମଳ ବର୍ତମାନ ୪୦ ପ୍ରତିଶତରେ ପହଞ୍ଚିଥିବା ବେଳେ ଆସନ୍ତା ୬ ତାରିଖରୁ ଧାନ ସଂଗ୍ରହ କାର୍ଯ୍ୟ ଆରମ୍ଭ ହେବ। ମୁଗ, ବିରି ଆଦି ରବି ଫସଲ ସଂଗ୍ରହ ମେ ୭ରୁ ଆରମ୍ଭ ହେବ। ଖରିଫ ଋତୁରେ ଅଣଧାନ ଚାଷ ଉପରେ ଗୁରୁତ୍ବ ଦିଆଯିବ। କୃଷି କ୍ଷେତ୍ର ପାଇଁ ଶ୍ରମିକ ସମସ୍ୟା ନାହିଁ ବୋଲି ବିଭାଗ ଜଣାଇଛି। ଚଳିତବର୍ଷ ମନରେଗାରେ ୧ଲକ୍ଷ ଚାଷ ପୋଖରୀ ନିର୍ମାଣ ହେବ ବୋଲି ଲକ୍ଷ୍ୟ ରଖାଯାଇଛି। ସେହିପରି ଶିଳ୍ପ ଏବଂ କ୍ଷୁଦ୍ର, ମଧ୍ୟମ, ଅଣୁ ଶିଳ୍ପଙ୍କ ସମସ୍ୟା କ୍ଷେତ୍ରରେ ସରକାର ସିଆଇଆଇ ଓ ଚାମ୍ବର ଅଫ୍ କମର୍ସ, ବ୍ୟାଙ୍କ ମାନଙ୍କ ସହିତ ଖୁବ୍ ଶୀଘ୍ର ଆଲୋଚନା କରିବେ। ଏହା ସହିିତ ଜାପାନ, କୋରିଆ ଓ ଆମେରିକାରୁ ଅଧିକ ପୁଞ୍ଜି ଯେପରି ରାଜ୍ୟକୁ ଆସିବ, ସେଥିପାଇଁ କଥାବାର୍ତା ଆରମ୍ଭ ହୋଇଛି। ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ ରହିଛି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ କ୍ରମେ ଘରୋଇ ହିଂସା ରୋକିବା ପାଇଁ ପୁଲିସ ୫୬୪୯ ଜଣଙ୍କ ସହିତ ଯୋଗାଯୋଗ କରିଥିଲେ। ତା ମଧ୍ୟରୁ ୧ପ୍ରତିଶତ ଅଭିଯୋଗ ଆସିଥିଲା ଏବଂ ସେ ଅନୁସାରେ ପଦକ୍ଷେପ ନିଆଯାଇଛି।

ଲକଡାଇନ ଉଲ୍ଲଂଘନ ଅଭିଯୋଗରେ ୬୫୦୦ ଜଣଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇଥିବା ବେଳେ ୪୭୦୦୦ ଗାଡି ଜବତ କରି ଫେରାଇ ଦିଆଯାଇଛି। ଅନ୍ୟାନ୍ୟ ବିଷୟମାନଙ୍କ ମଧ୍ୟରେ ହସ୍ତତନ୍ତ ଓ ହସ୍ତଶିଳ୍ପ ଉପରେ ନିର୍ଭର କରୁଥିବା ଅଢେଇ ଲୋକ ପରିବାରର ସମସ୍ୟା ଉପରେ ମଧ୍ୟ ଆଲୋଚନା କରାଯାଇଥିଲା। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଡାକ୍ତର, ସ୍ବାସ୍ଥ୍ୟ କର୍ମୀଙ୍କ ସହିତ ଉତ୍ସର୍ଗୀକୃତ ଭାବେ କାମ କରୁଥିବା ପ୍ରଶାସନ, ପୁଲିସ, ଶିକ୍ଷକ, ପଞ୍ଚାୟତିରାଜ ବିଭାଗ, ନଗର ଉନ୍ନୟନ ବିଭାଗ ଓ ପୌର ସଂସ୍ଥାର କର୍ମଚାରୀଙ୍କୁ ଧନ୍ୟବାଦ ଦେଇଥିଲେ। ଆସନ୍ତା ଦିନରେ ପରିସ୍ଥିତିକୁ ମୁକାବିଲା ପାଇଁ ଜୋରଦାର ଉଦ୍ୟମ କରିବାକୁ ନବୀନ ନିର୍ଦେଶ ଦେଇଥିଲେ।

ସମ୍ବନ୍ଧିତ ଖବର