କଟକ : ଓଡ଼ିଶା ବୋଟ ନିୟମାବଳୀରେ ସଂଶୋଧନ ପାଇଁ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି। ନ୍ୟାସନାଲ ଇନଲ୍ୟାଣ୍ଡ୍ ନାଭିଗେସନ୍ ଇନଷ୍ଟିଚ୍ୟୁଟ(ନିନି) ମାଧ୍ୟମରେ ଇନଲ୍ୟାଣ୍ଡ୍ ଭେସେଲ ରୁଲ/ ଓଡ଼ିଶା ବୋଟ୍ ରୁଲ ପ୍ରଣୟନ କରିବାକୁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। ହାଇକୋର୍ଟରେ ରାଜ୍ୟ ପୋର୍ଟସ୍ ଆଣ୍ଡ ଇନଲ୍ୟାଣ୍ଡ୍ ୱାଟର ଟାନ୍ସପୋର୍ଟ ନିର୍ଦ୍ଦେଶକ ଦାଖଲ କରିଥିବା ସତ୍ୟପାଠରେ ଏହା ଉଲ୍ଲେଖ କରାଯାଇଛି। କୁହାଯାଇଛି ଯେ ବୋଟ ଦୁର୍ଘଟଣା ରୋକିବାକୁ ତଥା ଏଥିରେ ଯାତ୍ରା କରୁଥିବା ବ୍ୟକ୍ତିଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସହିଦ ବାଜି ରାଉତ ନୌଯାତ୍ରା ସୁରକ୍ଷା ଯୋଜନା ରାଜ୍ୟ ସରକାର ପ୍ରଣୟନ କରିଥିଲେ। ଏହି ଯୋଜନା ଅଧୀନରେ ବୋଟ ଓ ଲଞ୍ଚ୍ ଗୁଡିକରେ ଲାଇଫବଏ, ଲାଇଫଜ୍ୟାକେଟ, ଅଗ୍ନିନିର୍ବାପକ ବ୍ୟବସ୍ଥା ରହିବା ବ୍ୟବସ୍ଥା କରାଯାଇଥିଲା। ଏହି ସବୁ ଜୀବନ ରକ୍ଷାକାରୀ ସରଞ୍ଜାମ ଉଭୟ ଘରୋଇ ଓ ସରକାରୀ ଯାତ୍ରୀବାହୀ ବୋଟ/ଲଞ୍ଚକୁ ଏକ କାଳୀନ ପ୍ରଦାନ ପାଇଁ ଏହି ଯୋଜନାରେ ନିଷ୍ପତ୍ତି ହୋଇଥିଲା। ଏହି ସବୁ ସରଞ୍ଜାମ ଘରୋଇ ବୋଟ ଗୁଡିକୁ ୯୫ ପ୍ରତିଶତ ସବ୍ସିଡିରେ ପ୍ରଦାନ କରାଯାଇଥିବା ବେଳେ ସରକାରୀ ଓ ଅର୍ଦ୍ଧସରକାରୀ ସଂସ୍ଥାକୁ ମାଗଣାରେ ଦିଆଯାଇଥିଲା। ଏହି ଯୋଜନାରେ ୧୫୨୫ ଲାଇଫବୟ, ୭୬୪୫ ଲାଇଫଜ୍ୟାକେଟ ଓ ୩୦୫ଟି ଅଗ୍ନିନିର୍ବାପକ ୨୦୧୬-୧୭ରେ ପ୍ରଦାନ କରାଯାଇଥିଲା। ଏବେ ଆଉ ୭ ହଜାର ଲାଇଫବୟ ଓ ୩୫ ହଜାର ଲାଇଫଜ୍ୟାକେଟ ପ୍ରଦାନ ପାଇଁ ପଦକ୍ଷେପ ନିଆଯାଉଛି।
ବୋଟ୍ ଗୁଡିକର ନୂଆ ପଞ୍ଜୀକରଣ, ପଞ୍ଜୀକରଣ ନବୀକରଣ, ଉପଯୁକ୍ତ ଯାଞ୍ଚ, ଫିଟନେସ୍ ସୁନିଶ୍ଚିତ କରିବା ପାଇଁ ଓଡ଼ିଶା ବୋଟ୍ ନିୟମାବଳୀ, ୨୦୦୪ ପ୍ରଣୟନ କରାଯାଇଥିଲା। ୱେବ ପୋର୍ଟାଲ ମାଧ୍ୟମରେ ସମଗ୍ର ବୋଟ ସୂଚନା ପରିଚାଳନା ସହିତ ମାଲିକଙ୍କ ସବୁ ତଥ୍ୟ ଗୋଟଏ ଡାଟାବେସରେ ରଖାଯାଇଛି। ନିୟମାବଳୀ ଅନୁସାରେ ବୋଟରେ ସବୁ ସୁରକ୍ଷା ସରଞ୍ଜାମ ବ୍ୟବସ୍ଥା, ବୀମା, ଫିଟନେସ୍ ସୁନିଶ୍ଚିତ କରିବା ସହିତ ଏ ସଂପର୍କିତ ତଥ୍ୟ ପ୍ରଦର୍ଶନ ପାଇଁ ସବୁ ଜିଲ୍ଲାପାଳଙ୍କୁ ପରାମର୍ଶ ଦିଆଯାଇଛି। ପଞ୍ଚାୟତିରାଜ, ଜଳ ସଂପଦ, ପର୍ଯ୍ୟଟନ, ମତ୍ସ୍ୟ, ଜଙ୍ଗଲ ଓ ପରିବେଶ ବିଭାଗକୁ ମଧ୍ୟ ବୋଟ ଯାତ୍ରୀଙ୍କ ସୁରକ୍ଷା ପ୍ରସଂଗରେ ଆବଶ୍ୟକ ପଦକ୍ଷେପ ସହିତ ନିୟମ ସଂପର୍କିତ ତଥ୍ୟ ପ୍ରଦର୍ଶନ ପାଇଁ ୨୦୨୩, ଏପ୍ରିଲରେ ଅନୁରୋଧ କରାଯାଇଛି ବୋଲି ସତ୍ୟପାଠରେ ଦର୍ଶାଯାଇଛି। ଏଥି ସହିତ କୋରାପୁଟ ଏସପି ଓ ଜିଲ୍ଲାପାଳଙ୍କ ତରଫରୁ ମଧ୍ୟ ହାଇକୋର୍ଟରେ ପୃଥକ ସତ୍ୟପାଠ ଦାଖଲ କରାଯାଇଛି।
ସରକାରଙ୍କ ସତ୍ୟପାଠରେ ବୋଟ ଦୁର୍ଘଟଣାରେ ମୃତାହତଙ୍କ ପାଇଁ କ୍ଷତିପୂରଣ ପ୍ରସଂଗରେ କଣ ବ୍ୟବସ୍ଥା ରହିଛି ସେ ନେଇ ବିସ୍ତୃତ ଭାବେ ଉଲ୍ଲେଖ ନାହିଁ ବୋଲି ଆଇନଜୀବୀ ପ୍ରବୀର କୁମାର ଦାସ କହିଥିଲେ। ପରବର୍ତ୍ତୀ ଶୁଣାଣି ସମୟରେ ବିସ୍ତୁତ ତଥ୍ୟ ଉପସ୍ଥାପନ ପାଇଁ ଶ୍ରୀ ଦାସଙ୍କୁ ହାଇକୋର୍ଟ କହିଥିଲେ। ପରବର୍ତ୍ତୀ ଶୁଣାଣି ଜୁଲାଇ ୨୭କୁ ଧାର୍ଯ୍ୟ କରିଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଗୌରୀଶଙ୍କର ଶତପଥୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଇନଜୀବୀ ପ୍ରବୀର କୁମାର ଦାସ, ରେଜିଷ୍ଟ୍ରାର୍ (ଜୁଡିସିଆଲ୍) ଓ ଆର୍.କେ. ମାଇତିଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ଆମିକସ୍ କ୍ୟୁରି ବରିଷ୍ଠ ଆଇନଜୀବୀ ଶକ୍ତିଧର ଦାସ ଓ ଆଇନଜୀବୀ ପ୍ରବୀର କୁମାର ଦାସ ମାମଲା ପରିଚାଳନା କରୁଛନ୍ତି।