ଭୁବନେଶ୍ବର : ସଂପ୍ରତି ଜଳବାୟୁ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ଜଳ ପରିଚାଳନା, ଜଳର ଉପଯୁକ୍ତ ବ୍ୟବହାର, ଜଳ ଉପରେ ନିର୍ଭର କରୁଥିବା ସହଭାଗୀ ଅନୁଷ୍ଠାନଗୁଡ଼ିକର ଆବଶ୍ୟକତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ରାଜ୍ୟ ଜଳନୀତି-୨୦୦୭ରେ ଆବଶ୍ୟକୀୟ ପରିବର୍ତ୍ତନ ଆଣୁଛନ୍ତି। ଏହାକୁ ସାରା ରାଜ୍ୟରେ ଲାଗୁ କରିବା ପାଇଁ ଜଳସମ୍ପଦ ବିଭାଗ ଯୋଜନା କରିଥିବାବେଳେ ଏନେଇ ବିଭିନ୍ନ ବିଭାଗକୁ ସଂଶୋଧିତ ଜଳନୀତିରେ ହୋଇଥିବା ପରିବର୍ତ୍ତନ ସମ୍ପର୍କରେ ଅବଗତ କରାଯାଇଛି।

Advertisment

ଏହି ପରିପ୍ରେକ୍ଷୀରେ ଜଳ ସମ୍ପଦ ମନ୍ତ୍ରୀ ଟୁକୁନି ସାହୁଙ୍କ ଅଧ୍ୟକ୍ଷତାରେ ନୂତନ ଜଳ ନୀତି ପ୍ରଣୟନ ସମ୍ପର୍କିତ ଅନ୍ତଃବିଭାଗୀୟ ବୈଠକ ରାଜ୍ୟ ଜଳସମ୍ପଦ ବିଭାଗ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ମନ୍ତ୍ରୀ ଶ୍ରୀମତୀ ସାହୁ କହିଥିଲେ ଯେ କୃଷି, ଶିଳ୍ପ ତଥା ଆନୁଷଙ୍ଗିକ କ୍ଷେତ୍ରରେ କୃଷକ ତଥା ଜନସାଧାରଣଙ୍କ ନିମନ୍ତେ ଜଳର ଆବଶ୍ୟକତା ପୂରଣ ଦିଗରେ ରାଜ୍ୟ ସରକାର ଯେଉଁ ଲକ୍ଷ୍ୟ ରଖି କାର୍ଯ୍ୟ କରୁଛନ୍ତି ପ୍ରସ୍ତାବିତ ନୂତନ ଜଳନୀତି ଏ ଦିଗରେ ସହାୟକ ହେବ। ଏହି ବୈଠକରେ ନୂତନ ରାଜ୍ୟ ଜଳନୀତିରେ ଜଳସମ୍ପଦ ବିଭାଗରେ ଥିବା ବିଭିନ୍ନ ଉପବିଭାଗର କାର୍ଯ୍ୟ ନୀତିରେ ହେବାକୁ ଥିବା ପରିବର୍ତ୍ତନ ସମ୍ପର୍କରେ ବ୍ୟାପକ ଆଲୋଚନା କରାଯାଇଥିଲା। ଜଳସମ୍ପଦ ବିଭାଗ ଜରିଆରେ କାର୍ଯ୍ୟକାରୀ ହେଉଥିବା ମଧ୍ୟମ, ବୃହତ ଓ କ୍ଷୁଦ୍ର ଜଳସେଚନ, ମେଗା ଉଠା ଜଳସେଚନ ଓ ଅନ୍ୟାନ୍ୟ ବ୍ୟବସ୍ଥାରେ ଜଳସେଚନ କରାଯାଉଥିବାବେଳେ ରାଜ୍ୟ ଜଳନୀତିରେ ଆବଶ୍ୟକ ପରିବର୍ତ୍ତନ କରାଗଲେ ବ୍ୟବସ୍ଥାରେ ଅଧିକ ଉନ୍ନତୀକରଣ ହେବ ବୋଲି ଏ ସମ୍ପର୍କରେ ବିଭାଗୀୟ ମୁଖ୍ୟଯନ୍ତ୍ରୀମାନେ ପାୱାର ପଏଣ୍ଟ ମାଧ୍ୟମରେ ବୁଝାଇଥିଲେ। ନୂତନ ଜଳନୀତିରେ ଭୂତଳ ଜଳ ସଂରକ୍ଷଣ, ସେଚାଞ୍ଚଳ ଉନ୍ନୟନ କାର୍ଯ୍ୟକ୍ରମ ଓ ୱାଲମୀ ଜରିଆରେ କାର୍ଯ୍ୟକ୍ରମ ସମ୍ପର୍କିତ ବ୍ୟବସ୍ଥାରେ ଆବଶ୍ୟକ ପରିବର୍ତ୍ତନ ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା।

ବୈଠକରେ ଜଳସମ୍ପଦ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଯୋଗଦେଇ ନୂତନ ଜଳନୀତିରେ କ’ଣ କ’ଣ ପରିବର୍ତ୍ତନ କରାଗଲେ ଜନସାଧାରଣ ଅଧିକରୁ ଅଧିକ ବ୍ୟବହାର ଉପଯୋଗୀ ଜଳ ପାଇପାରିବେ ସେନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। କେତେକ ସ୍ଥଳେ ବିଭାଗୀୟ ଅଧିକାରୀ ତଥା ମୁଖ୍ୟଯନ୍ତ୍ରୀମାନଙ୍କୁ ପ୍ରସ୍ତାବିତ ନୂତନ ଜଳନୀତିକୁ ପୁନଃ ଅବଲୋକନ କରିବାକୁ ଶ୍ରୀମତୀ ଗର୍ଗ ପରାମର୍ଶ ଦେଇଥିଲେ।

ସଂଶୋଧିତ ଜଳ ନୀତିରେ ଅଧିକ କ’ଣ କ’ଣ ସୁବିଧା ରହିବା ଦରକାର ସେନେଇ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ, ମତ୍ସ୍ୟ ଓ ପଶୁସମ୍ପଦ ବିଭାଗ, ପଞ୍ଚାୟତିରାଜ, ପାନୀୟ ଜଳ ଓ ଜଳବାୟୁ ପରିବର୍ତ୍ତନ, ଗୃହ ଓ ନଗର ଉନ୍ନୟନ ବିଭାଗ, ସୂଚନା ଓ ପ୍ରଯୁକ୍ତି ବିଦ୍ୟା ସହ ଅନ୍ୟ ସହଯୋଗୀ ସରକାରୀ ବିଭାଗ ଓ ବେସରକାରୀ ଅନୁଷ୍ଠାନଗୁଡ଼ିକ ଆଲୋଚନା ଜାରି ରହିଛି। ‌ବୈଠକରେ ବିଭାଗୀୟ ସ୍ବତନ୍ତ୍ର ସଚିବ ଅର୍ଚ୍ଚନା ପଟ୍ଟନାୟକ, ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ରଂଜନ ମହାନ୍ତିଙ୍କ ସମେତ ବିଭାଗର ବିଭିନ୍ନ ଶାଖାର ମୁଖ୍ୟ ଯନ୍ତ୍ରୀ, ନିର୍ଦ୍ଦେଶକ ତଥା ଉଚ୍ଚ ପଦାଧିକାରୀମାନେ ଯୋଗଦେଇଥିଲେ।