ସଂଶୋଧିତ ଭୋଟର ତାଲିକା ପ୍ରକାଶିତ, ବୌଦ୍ଧ ଜିଲ୍ଲାରେ ବଢ଼ିଛନ୍ତି ୫୨୯୭ ଭୋଟର

ବୌଦ୍ଧ : ବୌଦ୍ଧ ଜିଲ୍ଲା ଅଧୀନରେ ଥିବା କଣ୍ଟାମାଳ ଓ ବୌଦ୍ଧ ବିଧାନସଭା ନିର୍ବାଚନ ମଣ୍ଡଳୀର ଭୋଟର ତାଲିକା ପ୍ରକାଶିତ ହୋଇଛି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସଭାରେ ଉପଜିଲ୍ଲାପାଳ ଅଶ୍ବିନୀ ମେହେର ଓ ନିର୍ବାଚନ ଅଧିକାରୀ ସ୍ମିତାରାଣୀ ରଥ ଉନ୍ମୋଚନ କରିଛନ୍ତି। ସଂଶୋଧିତ ତାଲିକା ଅନୁସାରେ କଣ୍ଟାମାଳ ବିଧାନସଭା ନିର୍ବାଚନମଣ୍ଡଳୀ (୮୫)ରେ ପୂର୍ବରୁ ୧ଲକ୍ଷ ୬୩ ହଜାର ୫୨ ଜଣ ଭୋଟର ଥିବାବେଳେ ବର୍ତ୍ତମାନ ଏଥିରେ ୪୮୨ ଜଣଙ୍କ ବୃଦ୍ଧି ହୋଇ ୧ଲକ୍ଷ ୬୩ ହଜାର ୫୩୪ ହୋଇଛି। ସେମାନଙ୍କ ମଧ୍ୟରେ ୮୩୫୮୬ ଜଣ ପୁରୁଷ, ୭୯୯୪୬ ମହିଳା, ୨ ଜଣ ତୃତୀୟ ଲିଙ୍ଗ ଓ ୩୭ ଜଣ ସର୍ଭିସ୍‌ ଭୋଟର ରହିଛନ୍ତି। ସେହିପରି ବୌଦ୍ଧ ବିଧାନସଭା ନିର୍ବାଚନମଣ୍ଡଳୀ (୮୬) ରେ ପୂର୍ବରୁ ୧ଲକ୍ଷ ୫୭ ହଜାର ୫୪୧ ଜଣ ଭୋଟର ଥିଲେ। ୪୮୧୫ ଜଣ ନୂତନ ଭୋଟର ଯୋଡ଼ିହେବା ପରେ ୧ଲକ୍ଷ ୬୨ ହଜାର ୩୫୬ ହୋଇଛି। ସେମାନଙ୍କ ମଧ୍ୟରେ ପୁରୁଷ ୮୩ ହଜାର ୪୨୮, ମହିଳା ୭୮ ହଜାର ୯୨୩, ୬ ଜଣ ତୃତୀୟ ଲିଙ୍ଗ ଓ ୮୨ ଜଣ ସର୍ଭିସ୍‌ ଭୋଟର ରହିଛନ୍ତି। ୨ ବିଧାନସଭା ନିର୍ବାଚନମଣ୍ଡଳୀର ଭୋଟରଙ୍କୁ ମିଶାଇ ଜିଲ୍ଲାର ମୋଟ୍‌ ଭୋଟର ସଂଖ୍ୟା ୩ ଲକ୍ଷ ୨୫ ହଜାର ୮୯୦ ରେ ପହଞ୍ଚିଛି। ଉନ୍ମୋଚନ ବେଳେ ବିଜେଡିର ପ୍ରତିନିଧି ସୀତାଂଶୁ ମହାକୁଡ଼, ବିଜେପିର ଚିତ୍ତରଞ୍ଜନ ପାଣିଗ୍ରାହୀ ଓ କଂଗ୍ରେସ ଦଳର ପ୍ରତିନିଧି ସମରେଶ ମିଶ୍ର ଉପସ୍ଥିତଥିଲେ। ବିଭାଗୀୟ ଅଧିକାରୀଙ୍କ ମଧ୍ୟରେ ଡିଆଇପିଆରଓ ବିରଞ୍ଚି ଧରୁଆ, ସେକ୍‌ସନ୍‌ ଅଫିସର ନିରଞ୍ଜନ ପାଢ଼ୀ ଓ ବରିଷ୍ଠ କିରାଣି ସରୋଜ ବେହେରା ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର